ତିନି ରଥ କନା କାମ ଅନୁକୂଳ, ନଡ଼ିଆ ବାଡ଼େଇ କାମରେ ଯୋଗଦେଲେ ଦର୍ଜୀ‌ ସେବକ

ପୁରୀ : ଆଉ ୧୩ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥକାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ଲାଗିବା ପାଇଁ ଶୁକ୍ରବାର ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ଦିନ ଦର୍ଜୀ ସେବକମାନେ ନଡ଼ିଆ ବାଡ଼େଇ ରଥକନା କାମ ଆରମ୍ଭ କରିଛନ୍ତି। ସିଲେଇ ମେସିନ୍‌ ସାହାଯ୍ୟରେ ନୂଆ କପଡ଼ା କାଟି ଅନୁକୂଳ କାମ ଆରମ୍ଭ କରିଛନ୍ତି। ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର ଓ ଅନ୍ୟମାନେ ଅନୁକୂଳ କାର୍ଯ୍ୟ ପରେ କାମ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ନାଲି ଓ କଳା ରଙ୍ଗର କପଡ଼ା ଲାଗିଥାଏ। କପଡ଼ା କାମ ଶେଷ ପରେ ତିନି ରଥ ପାଇଁ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ କାମ ଆରମ୍ଭ ହେବ। ବିଜେ ଚକା ପାଇଁ ବନାରସୀ ଜରି କନା ଖୋଳ, ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ତିଆରି ହେବ।

ସମ୍ବନ୍ଧିତ ଖବର