କୋଣାର୍କ ଉତ୍ସବରେ ପର୍ଯ୍ୟଟକ ସଂଖ୍ୟାରେ ନଗଣ୍ୟ ବୃଦ୍ଧି

ବଲାଙ୍ଗୀର : ହକି ବିଶ୍ୱ କପ ଚାଲିଥିବା ସମୟରେ କୋଣାର୍କ ଉତ୍ସବ ୨୦୧୮ ପାଳନ କରାଯାଇଥିଲା। ଆନ୍ତର୍ଜାତିକ ହକି ଖେଳାଳିମାନଙ୍କ ପାଇଁ କୋଣାର୍କ ଉତ୍ସବ ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା କଥା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଥିଲା। ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀ ଏକଥା ଘୋଷଣା କରିଥିଲେ। କିନ୍ତୁ ହକି ଖେଳାଳିମାନେ ଉତ୍ସବ ଦେଖିବା ନେଇ ପର୍ଯ୍ୟଟନ ବିଭାଗ ପାଖରେ କୌଣସି ତଥ୍ୟ ନଥିବା ସୂଚନା ଅଧିକାର ଆଇନ ଯୋଗେ ମିଳିଥିବା ତଥ୍ୟରୁ ଜଣାପଡିଛି। ସୂଚନା କର୍ମୀ ହେମନ୍ତ ପଣ୍ଡା ରାଜ୍ୟ ପର୍ଯ୍ୟଟନ ବିଭାଗକୁ ମାଗିଥିବା କୋଣାର୍କ ଉତ୍ସବ ସମ୍ବନ୍ଧୀୟ କେତେକ ତଥ୍ୟର ଉତ୍ତରରୁ ଏହା ଜଣାପଡିଛି। ଶ୍ରୀ ପଣ୍ଡା କହିଛନ୍ତି, କୋଣାର୍କ ଉତ୍ସବ ଉପଭୋଗ କରିବା ପାଇଁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ହୋଇ ନଥିବା ମଧ୍ୟ ଜଣାପଡିଛି। ଗତ ୫ ବର୍ଷରେ ମାତ୍ର ୧୬୦ ଜଣ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ୨୦୧୪ ମସିହାରେ ବିଦେଶୀ ପର୍ଯ୍ୟଟକ ସଂଖ୍ୟା ୨୧୦ ଥିବା ବେଳେ ୨୦୧୮ରେ ଏହା ମାତ୍ର ୩୭୦ରେ ପହଞ୍ଚିଛି ଏବଂ ଘରୋଇ ପର୍ଯ୍ୟଟକ ସଂଖ୍ୟା ୨୦୧୪ରେ ୧୩୪୯୪ ଥିବା ବେଳେ ୨୦୧୮ରେ ମାତ୍ର ୧୭୬୯୧ ରହିଛି। ଅର୍ଥାତ୍ ଏହି ୫ ବର୍ଷରେ ଘରୋଇ ଦର୍ଶକଙ୍କ ସଂଖ୍ୟା ସମୁଦାୟ ୪୧୯୭ ବୃଦ୍ଧି ପାଇଛି। ଏହି ତଥ୍ୟରୁ ଅନ୍ତର୍ଜାତିକ ସ୍ତରରେ କୋଣାର୍କ ଉତ୍ସବକୁ ସରକାର ଲୋକପ୍ରିୟ କରିବା ପାଇଁ କେତେ ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର