ପ୍ରେମ ହିଁ ବିଭିନ୍ନତା ମଧ୍ୟରେ ଏକତାକୁ ସୁଦୃଢ଼ କରିଛି: ରାଜ୍ୟପାଳ

ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବ

କଟକ : ଜ୍ଞାନ ଓ ଧୀଶକ୍ତି ଅପେକ୍ଷା ପ୍ରେମ ଓ ଆନନ୍ଦର କ୍ଷମତା ଅଧିକ। ପ୍ରେମର ପ୍ରଭାବରେ ଅହଂଭାବ, ରାଗ, ହିଂସା, ଦ୍ବେଷ ଓ ମାନସିକ ଅସ୍ଥିରତା ଦୂରେଇ ଯାଏ। ପ୍ରେମ ହିଁ ଆମ ଭିତରେ ବିଭିନ୍ନତା ମଧ୍ୟରେ ଏକତାକୁ ସୁଦୃଢ଼ କରିଛି। ରେଭେନ୍ସା ବିଶ୍ବବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି।

ବିଶ୍ବବିଦ୍ୟାଳୟର ସେଭେନ୍‌ ପିଲାର୍ସସ୍ଥିତ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ୧୦ଟାରେ ଆୟୋଜିତ ସମ୍ମାବର୍ତ୍ତନ ଉତ୍ସବ‌କୁ ରେଭେନ୍ସା କୁଳପତି ପ୍ରଫେସର ଡକ୍ଟର ସଂଜୟ ନାୟକ ପରିଚାଳନା କରିଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆର୍‌. ବାଲକ୍ରିଷ୍ଣନ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିକ୍ଷା ଶ୍ରେଷ୍ଠ ସମ୍ପଦ। ଏହା ଅନ୍ୟ କାହାସହ ତୁଳନୀୟ ନୁହେଁ। ଜ୍ଞାନ ହିଁ ଶକ୍ତି ଏବଂ ଶିକ୍ଷାଦ୍ବାରା ଏହା ପ୍ରାପ୍ତି ହୋଇଥାଏ। ସମ‌ାଜରେ ଥିବା ଅସମାନତାକୁ ଶିକ୍ଷା ‌ହିଁ ଦୂର କରିଥାଏ। ଶିକ୍ଷା ସବୁସମୟରେ ପ୍ରତ୍ୟେକ ବ୍ୟକ୍ତି, ପରିବାର, ସମାଜ ଓ ଦେଶ ପାଇଁ ହିତକର। ଉଚ୍ଚଶିକ୍ଷା ଦୁର୍ବଳ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିଛି ବୋଲି ଶ୍ରୀ ବାଲକ୍ରିଷ୍ଣନ୍‌ ପ୍ରକାଶ କରିଥିଲେ।

ଦେବଦାସ ଛୋଟରାୟ ଓ ପ୍ରଣବ ପଟ୍ଟନାୟକଙ୍କୁ ‘ଡକ୍ଟର ଅଫ୍‌ ଲିଟ୍‌ରେଚର୍‌’, ଡକ୍ଟର ପ୍ରଭାତ ମିଶ୍ର ଓ ଡାକ୍ତର ବିଦ୍ୟୁତ୍‌ ଦାସଙ୍କୁ ‘ଡକ୍ଟର ଅଫ୍‌ ସାଇନ୍ସ’ ଉପାଧି
୬୮ଟି ସ୍ବର୍ଣ୍ଣ ଓ ୮୫ଟି ପିଏଚ୍‌ଡି ଡିଗ୍ରି ପ୍ରଦାନ

ଏହି ଅବସରରେ ଦେଶର ୪ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଉପାଧି ପ୍ରଦାନ କରାଯାଇଛି।


ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ତଥା ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟ ଓ ଖ୍ୟାତନାମା କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ‘ଡକ୍ଟର ଅଫ୍‌ ଲିଟ୍‌ରେଚର୍‌’ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ଡକ୍ଟର ପ୍ରଭାତ କୁମାର ମିଶ୍ର ଓ ଏସ୍‌ସିବି ରୁମାଟୋଲୋଜି ଓ ଇମ୍ୟୁନୋଲୋଜି ବିଭାଗର ପ୍ରଫେସର ତଥା ଖ୍ୟାତନାମା ଡାକ୍ତର ବିଦ୍ୟୁତ୍‌ କୁମାର ଦାସଙ୍କୁ ‘ଡକ୍ଟର ଅଫ୍‌ ସାଇନ୍ସ ସମ୍ମାନ’ ପ୍ରଦାନ କରାଯାଇଛି।

ସମାବର୍ତ୍ତନ ଉତ୍ସବରେ କୁଳସଚିବ କାହ୍ନୁଚରଣ ମଲ୍ଲିକ, ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷା ପ୍ରଫେସର୍‌ ଡକ୍ଟର ଅସୀମା ସାହୁଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର