ସିଭିଲ ସର୍ଭିସ ପରୀକ୍ଷା: ଉଭୟ ପ୍ରାର୍ଥୀଙ୍କ ଦାବି ମିଛ, କାର୍ଯ୍ୟାନୁଷ୍ଠାନ ନେବ ୟୁପିଏସ୍‌ସି

ନୂଆଦିଲ୍ଲୀ : ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହୋଇଥିବା ନେଇ ଦାବି କରୁଥିବା ଦୁଇ ପ୍ରାର୍ଥୀଙ୍କ ବିରୋଧରେ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) କାର୍ଯ୍ୟାନୁଷ୍ଠାନ ନେବା ଉପରେ ବିଚାର କରୁଛି। ସଫଳତା ଦାବି କରିଥିବା ବ୍ୟକ୍ତି ମଧ୍ୟରୁ ଜଣେ ମଧ୍ୟପ୍ରଦେଶର ଆୟେଶା ମକ୍ରାନି ଏବଂ ଅନ୍ୟ ଜଣେ ବିହାରର ତୁଷାର। ଏହି ଦୁଇଜଣ ଜାଲିଆତି କରି ୟୁପିଏସ୍‌ସି ପରୀକ୍ଷାରେ ସଫଳ ହୋଇଥିବା ଦାବି କରିଥିଲେ। ପ୍ରକୃତରେ ସଫଳ ହୋଇଥିବା ୨ ଜଣ ପିଲାଙ୍କ ରୋଲ ନମ୍ବରରେ ଏମାନେ ସଫଳ ହୋଇଥିବା ଦାବି କରିଛନ୍ତି।

ଉଭୟ ପ୍ରାର୍ଥୀଙ୍କ ଦାବି ମିଛ। ସେମାନଙ୍କ ଦାବିକୁ ଯଥାର୍ଥ ଦର୍ଶାଇବା ପାଇଁ ସେମାନେ ଡକୁମେଣ୍ଟ ଜାଲିଆତି କରିଛନ୍ତି ବୋଲି ୟୁପିଏସ୍‌ସି ଶୁକ୍ରବାର କହିଛି। ଏଭଳି କାର୍ଯ୍ୟକରି ଉଭୟ ଆୟେଶା ଏବଂ ତୁଷାର ଭାରତ ସରକାରଙ୍କ କାର୍ମିକ ଓ ତାଲିମ ବିଭାଗ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଥିବା ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ନିୟମ ବିରୋଧରେ କାର୍ଯ୍ୟ କରିଥିବା ଦାବି କରାଯାଇଛି। ‌ଦୁଇଜଣ ବ୍ୟକ୍ତି ଜାଲିଆତି କାର୍ଯ୍ୟ କରିଥିବାରୁ ସେମାନଙ୍କ ବିରୋଧରେ ୟୁପିଏସ୍‌ସି ଉଭୟ ଅପରାଧିକ ଏବଂ ଶୃଙ୍ଖଳାଗତ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛି। ୟୁପିଏସ୍‌ସିର ବ୍ୟବସ୍ଥା ଅତ୍ୟନ୍ତ ବଳିଷ୍ଠ। ଏଭଳି ତ୍ରୁଟି ସମ୍ଭବ ନୁହେଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର