ଜଗନ୍ନାଥ ଦର୍ଶନ ପୂର୍ବରୁ ଦୁର୍ଘଟଣାରେ ଜେଜେମା’, ନାତିଙ୍କ ମୃତ୍ୟୁ

ମାଲବାହୀ ଟ୍ରକ ପଛରେ ପିଟିହେଲା ବୋଲେରୋ, ୨ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

ନାଚୁଣୀ/ବିଷମକଟକ : ପୁଅବୋହୂ, ନାତିଙ୍କ ସହିତ ରାୟଗଡ଼ାରୁ ବାହାରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିଲେ ମହିଳା । ହେଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ‌ ମହିଳା ଓ ତାଙ୍କ ନାତି ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅପରପକ୍ଷେ ମହିଳାଙ୍କ ପୁଅବୋହୁଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।ଏପରି ଏକ ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।

ରାୟଗଡା ଜିଲ୍ଲାର ବିଷମକଟକ ମାର୍କମା ସାହିର ଶିକ୍ଷକ ଶରତ ଚନ୍ଦ୍ର ଆଚାର୍ଯ୍ୟ ନିଜ ମା’ ଉର୍ମିଳା ଆଚାର୍ଯ୍ୟ (୭୬) ଏବଂ ୪ବର୍ଷର ପୁଅ ଶ୍ରେୟାସ ଓରଫ ଶ୍ରୀଅଂଶ ଆଚାର୍ଯ୍ୟ ଓ ପତ୍ନୀ ଅଳକା ଆଚାର୍ଯ୍ୟ ସହିତ ଓଡି୧୮ ବି ୭୭୧୭ ନମ୍ବର ବିଶିଷ୍ଟ ବୋଲେରୋ ଗାଡ଼ିରେ ପୁରୀ ଅଭିମୁଖେ ଯାଉଥିଲେ। ପୁରୀରେ ଶ୍ରୀଜଗନ୍ନାଥ ଦର୍ଶନ ସହିତ ପୁଅର ମୁଣ୍ଡନ ପାଇଁ ଶ୍ରୀ ଆଚାର୍ଯ୍ୟ ମାନସିକ କରିଥିବାର ଏହା ପୂରଣ ପାଇଁ ସେ ସପରିବାରେ ପୁରୀ ଯାଉଥିଲେ। ତେବେ ଆଜି ଭୋର ୪ଟା ସମୟେ ୧୬ନମ୍ବର ଜାତୀୟ ରାଜପଥର ସୁନାଖଳା ଡାକବଙ୍ଗଳା ନିକଟରେ ରାସ୍ତା ଧାରରେ ଅଟକି ରହିଥିବା ଡବ୍ଲ୍ୟୁବି ୨୩ ବି ୯୭୨୨ ନମ୍ବର ବିଶିଷ୍ଟ ଏକ ମାଲବାହୀ ଟ୍ରକ ପଛରେ ଏହି ବୋଲେରୋଟି ଦୃତଗତିରେ ଆସି ପିଟି ହୋଇଯାଇଥିଲା। ଫଳରେ ଉର୍ମିଳା, ତାଙ୍କ ନାତି ଶ୍ରେୟାସ ଆଚାର୍ଯ୍ୟ ଙ୍କ ସମେତ ବୋଲେରୋରେ ଥିବା ସମସ୍ତେ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଉଥିବାବେଳେ ନାତି ଶ୍ରେୟାସ ଓ ଜେଜେମା ଉର୍ମିଳାଙ୍କର ବାଟରେ ମୃତ୍ୟୁ ଘଟିଥିିଲା। ଅନ୍ୟମାନେ ଚିକିତ୍ସାଧିନ ରହିଥିବା ଖବରରୁ ପ୍ରକାଶ। ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡିକୁ ନାଚୁଣୀ ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ଦାଶ ଜବତ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର