୨୦ ବର୍ଷ ପରେ ରାଜ୍ୟପାଳଙ୍କ ଅଚାନକ ବାଣୀବିହାର ପରିଦର୍ଶନ, ଜମି ଗାଏବ୍‌କୁ ନେଇ ତନାଘନା

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ଜମି ହଡ଼ପ ନେଇ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। କେଉଁ ପାଖରେ କେତେ ଜମି ଜବରଦଖଲ ହୋଇଛି? କେତେ ଜମିକୁ ମାଫିଆ ମାଡ଼ି ବସିଛନ୍ତି ସେ‌ନେଇ ତଥ୍ୟ ବି ଦିଆଯାଇଥିଲା? ୩୯୮.୯୮ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟର ୩୫୯ଏକର ଜମି ରହିଥିବା ନେଇ ଭୂ-ଲେଖରେ ଉଲ୍ଲେଖ ହୋଇଛି। ୪୦ ଏକର ଜମି ଗାଏବ ହେବା ନେଇ ୨୦୧୮ ମେ’ ମାସରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ କଥା ହାଇକୋର୍ଟ ପର୍ଯ୍ୟନ୍ତ ବି ଯାଇଥିଲା। ତଥାପି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ନିଦ ଭାଙ୍ଗି ନଥିଲା। ଜମି ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେଲେନି।

ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବି ଜମି ହଡ଼ପ ଘଟଣାରେ ହସ୍ତକ୍ଷେପ କଲେ। ଜବରଦଖଲ ଜମି ଫେରାଇ ଆଣିବାକୁ ବିଶ୍ବବିଦ୍ୟାଳୟ କୁଳପତିକୁ କହିଲେ। ରାଜଭବନର ଅଧିକାରୀମାନେ ମଧ୍ୟ ବିଭିନ୍ନ ସମୟରେ ଗସ୍ତ କରି ଜମି ସ୍ଥିତି ଅନୁଧ୍ୟାନ କଲେ। ତା’ପରେ ବି କର୍ତୃପକ୍ଷଙ୍କ ଚେତା ପଶିଲାନି। ଆଜି ରାଜ୍ୟପାଳ ପ୍ରଫେସର ଲାଲ୍‌ ବିଶ୍ବବିଦ୍ୟାଳୟକୁ ଅଚାନକ ଗସ୍ତ କରି ଜମି ଜବରଦଖଲ ଉଚ୍ଛେଦ ସ୍ଥିତି ସମ୍ପର୍କରେ ପଚାରି ବଝିଥିଲେ। କାହିଁକି ଉଚ୍ଛେଦ ହୋଇନି ବୋଲି କୁଳପତି ଓ କୁଳସଚିବଙ୍କୁ ତଥ୍ୟ ମାଗିଥିଲେ। ଜମି ଜବରଦଖଲ ଉଚ୍ଛେଦ କରିବା ସହ ସମ୍ପୂର୍ଣ୍ଣ ପାଚେରି ନିର୍ମାଣ କରିବାକୁ କହିଥିଲେ। ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ।

ବାତ୍ୟା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହୋଇଥି‌ଲେ, ତାହାକୁ ନେଇ ମଧ୍ୟ କୁଳାଧିପତି ଚିନ୍ତା ପ୍ରକଟ କରିଛନ୍ତି। କ୍ୟାମ୍ପସରେ ବିଦ୍ୟୁତ୍‌ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥିତ ହୋଇପାରିନି। ମାସେ ହେଲା ଭାଙ୍ଗି ପଡ଼ିଥିବା ଛାତ୍ରୀନିବାସ ପାଚେରି ମରାମତି ହୋଇନି। କ୍ୟାମ୍ପସରୁ ଅଳିଆ ଉଠିପାରିନି। ବାତ୍ୟା ପରେ ବିଦ୍ୟୁତ୍‌ ସଂଯୋଗ ବିଳମ୍ବ ହେବାରୁ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ସବୁ ବିଷୟକୁ ଦୃଷ୍ଟି‌ରେ ରଖି ବାଣୀବିହାରରେ ଭୂତଳ କେବଲିଂ ବ୍ୟବସ୍ଥା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ କୁଳାଧିପତି ପରାମର୍ଶ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନିମନ୍ତେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ବି କହିଛନ୍ତି। ଏଥିସହ ଅଧ୍ୟାପକମାନେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କରେ ରହିବା, ବାଣୀବିହାରରେ ଅନୁକୂଳ ଶୈକ୍ଷିକ ପରିବେଶ ସୃଷ୍ଟି ଉପରେ ଗୁରୁତ୍ବ ଦେବା, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନକୁ ଅଗ୍ରାଧିକାର ଦେବାକୁ ରାଜ୍ୟପାଳ ପ୍ରଫେସର ଲାଲ୍‌ ନିର୍ଦେଶ ଦେଇଛନ୍ତି। ପ୍ରାୟ ଏକ ଘଣ୍ଟା ଧରି କୁଳାଧିପତି କ୍ୟାମ୍ପସରେ ରହି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ କୁଳପତି ପ୍ରଫେସର ‌ସୌମେନ୍ଦ୍ର ମୋହନ ପଟ୍ଟନାୟକ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା‌ ଅଭିଯାନ(ଋଷା)ର ସଫଳ ରୂପାୟନ ନି‌ମନ୍ତେ ଏକ ସ୍ପେସାଲ ପର୍ପସ୍‌ ଭେଇକିଲ୍‌(ଏସ୍‌ପିଓ) ଗଠନ ହୋଇଥିବା କୁଳାଧିପତିଙ୍କୁ ଅବଗତ କରାଇଥିଲେ। ଏଥିସହ ଅକ୍ଟୋବର ୨ରେ ଚଣ୍ଡିଖୋଲ କ୍ୟାମ୍ପସରେ ସେଣ୍ଟର ଫର୍‌ ରୁରାଲ ଷ୍ଟଡିଜ୍‌ ଖୋଲାଯିବ ପାଇଁ ବ୍ୟବସ୍ଥା ହୋଇଥିବା କୁଳପତି ଜଣାଇଥିଲେ। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ବର ଫେରିଲା ବେଳେ ରାଜ୍ୟପାଳ ଏହି ଅଚାନକ ଗସ୍ତ ସମୟରେ ରାଜ୍ୟପାଳଙ୍କ ସ୍ବତନ୍ତ୍ର ସଚିବ ଚିତ୍ତରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ।

ପୂବର୍ରୁ ୧୯୯୯ ମହାବାତ୍ୟା ପରେ ସେତେବେଳର ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଏମ୍‌.ଏମ୍‌ ରା‌‌ଜେନ୍ଦ୍ରନ୍‌ ମଧ୍ୟ କ୍ୟାମ୍ପସକୁ ଅଚାନକ ଗସ୍ତ କରିଥିଲେ।

ସମ୍ବନ୍ଧିତ ଖବର