ଭୁବନେଶ୍ବର : ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପୁଳ ଅର୍ଥ ଦେବା ସତ୍ତ୍ୱେ ଏଠାରେ ସ୍ଥାଣୁ ଓ ଭ୍ରଷ୍ଟ ସରକାର ଓଡ଼ିଆ ଲୋକଙ୍କ ହକ୍‌କୁ ବାଟମାରଣା କରୁଛନ୍ତି। ଆଜି ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦୀ ସରକାରଙ୍କ ଜନ କଲ୍ୟାଣକାରୀ ଓ ସ୍ଥାନୀୟ ସରକାରର ଅବ୍ୟବସ୍ଥା ସଂପର୍କରେ ଜନ ଜାଗରଣ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି।

Advertisment

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ଏଜେଣ୍ଡାରେ ଦୁଇ ସୂତ୍ରୀ ଯୋଜନା ଅଛି। ବୁଥ, ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ କାର୍ଯ୍ୟକର୍ତ୍ତାମାନେ ଯଥାସମ୍ଭବ ଉଦ୍ୟମ କରିବା। ଦ୍ବିତୀୟରେ ସ୍ଥାନୀୟ ସରକାର ବିରୋଧରେ ଥିବା ଅସନ୍ତୋଷର ପ୍ରବକ୍ତା ହେବା। ଗାଁ ଗାଁ ପର୍ଯ୍ୟନ୍ତ ଏହି କଥାକୁ ପହଞ୍ଚାଇବା ଦରକାର। ମୋଦୀ ସରକାର ଓଡ଼ିଶାର ୩.୨୫ କୋଟି ହିତାଧିକାରୀଙ୍କ ପାଇଁ ଚାଉଳ ପିଛା ବର୍ଷକୁ ପ୍ରାୟ ୮,୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ରାଜ୍ୟ ସରକାର ନିଜସ୍ୱ ଯୋଜନାରେ ୯ ଲକ୍ଷ ଲୋକଙ୍କ ପାଇଁ ଚାଉଳ ପିଛା ମାତ୍ର ୧୮୫ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗ୍ରାମାଞ୍ଚଳରେ ଭୋଟ ଦେଲେ ଚାଉଳ ଦିଆଯାଉଛି, ଭୋଟ ନ ଦେଲେ ତାଲିକାରୁ ନାଁ କଟାଯାଉଛି। ରାଜ୍ୟ ସରକାର ଶ୍ରେୟ ନିଅନ୍ତୁ ପଛେ ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାର ଲାଭାର୍ଥୀଙ୍କୁ ବଞ୍ଚିତ ନ ରଖାଯାଉ। ବିନା ବାଟମାରଣା ଓ ରାଜନୈତିକ ଉଦ୍ଦେଶ୍ୟରେ ପ୍ରକୃତ ହିତାଧିକାରୀଙ୍କୁ ଚାଉଳ ଦିଆଯାଉ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଂପାଦକ ଉମେଶ ଜେନା ଓ ବିଭିନ୍ନ ଦଳର କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ଅବସ‌ରରେ ଶ୍ରୀ ପ୍ରଧାନ ସେମାନଙ୍କୁ ସ୍ୱାଗତ କରିଥିଲେ। ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ସ୍ମୃତି ପଟ୍ଟନାୟକ, ଜିଲ୍ଲା ସଭାପତି ଗୌତମ ରାୟ, ଜିଲ୍ଲା ପ୍ରଭାରୀ ଶାରଦା ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସଦ୍ୟ ପ୍ରଦୀପ ବଳସାମନ୍ତ, ଆଶୁତୋଷ ପରିଡ଼ା, ରବି ନାରାୟଣ ବେହେରା, ମୁଖପାତ୍ର ଠାକୁର ରଣଜିତ୍ ଦାସ, ଜିଲ୍ଲା ସଭାପତି ବାବୁ ସିଂ, ଯୁବନେତା ସୁରଜ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।