୩୩% ମହିଳା ସଂରକ୍ଷଣ ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲା ଜାତିସଂଘ

ଭୁବନେଶ୍ବର : ଲୋକସଭା ଓ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂସ୍ଥା ପ୍ରଶଂସା କରିଛି । ଏ ନେଇ ଭାରତରେ ଅବସ୍ଥାପିତ ଜାତିସଂଘ ଉପମୁଖ୍ୟ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରଶଂସା ପତ୍ର ଲେଖି ଖୁସି ବ୍ୟକ୍ତ କରିବା ସହ ସରକାରଙ୍କ ଏଭଳି ଯୁଗାନ୍ତକାରୀ ଉଦ୍ୟମ ଜାତୀୟ ସ୍ତରରେ ପୁଣି ଥରେ ମହିଳା ସଂରକ୍ଷଣ ଦାବିକୁ ପୁନର୍ଜୀବିତ କରିବ ବୋଲି ଜଣାଇଛି।

ଭାରତରେ ଅବସ୍ଥାପିତ ଜାତିସଂଘ ଉପମୁଖ୍ୟ ପ୍ରତିନିଧି ନିଷ୍ଠା ସତ୍ୟମ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ଲେଖିଛନ୍ତି, ଗତବର୍ଷ ନଭେମ୍ବର ୨୦ ତାରିଖରେ ମହିଳାଙ୍କୁ ୩୩% ସ୍ଥାନ ସଂରକ୍ଷଣ ଦେବା ନେଇ ଓଡ଼ିଶା ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଦେଶରେ ପ୍ରଥମ କରି ଏକ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଛି। ଭାରତର ସଂସଦରେ ଏ ନେଇ ଯେତେବଳେ ୧୦୮ତମ ସମ୍ବିଧାନ ସଂଶୋଧନ ନେଇ ବହୁ ଦିନରୁ ବତର୍କ ଜାରି ଅଛି, ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଉଦ୍ୟମ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଯଥେଷ୍ଟ ସହାୟକ ହେବ। ମୁଖ୍ୟମନ୍ତ୍ରୀଙ୍କର ଏପରି ଉଦ୍ୟମକୁ ଜାତିସଂଘ ପୂର୍ଣ୍ଣ ସମର୍ଥନ କରୁଛି। ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ନିରନ୍ତର ବିକାଶ ସେତିକିବେଳେ ସମ୍ଭବ ହୋଇପାରିବ ଯଦି ଦେଶର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ପ୍ରତିନିଧିତ୍ବ କରୁଥିବା ମହିଳାଙ୍କୁ ବିଧାନସଭା ଓ ସଂସଦରେ ସଦସ୍ୟ ହେବା ପାଇଁ ସୁଯୋଗ ମିଳିବ।

ଶ୍ରୀ ସତ୍ୟମ୍ ଚିଠିରେ ଆହୁରି ଦର୍ଶାଇଛନ୍ତି, ନୀତି ନିର୍ଦ୍ଧାରଣରେ ମହିଳାଙ୍କୁ ସମାନ ଭାଗିଦାରୀ କରିବାକୁ ସୁଯୋଗ ସୃଷ୍ଟି କଲେ ସମାଜରେ ଏକ ପରିବର୍ତ୍ତନ ଆସିବା ସହ ବାସ୍ତବ ବିକାଶ ସମ୍ଭବ ହୋଇପାରିବ ଆଉ ଏପରି ଉଦ୍ୟମକୁ ଜାତିସଂଘ ମହିଳା ସଂଗଠନ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରିଆସିଛି। ସାମାଜିକ ସ୍ତରରେ ଲିଙ୍ଗଗତ ବୈଷମ୍ୟର ଶିକାର ହେଉଥିବା ମହିଳାମାନଙ୍କ ପାଇଁ ଜାତିସଂଘ ମହିଳା ସଂଗଠନ ଅନେକ ସଚେତନତା ଓ ସଶକ୍ତିକରଣ କାର୍ଯ୍ୟକ୍ରମ କରିଆସୁଛି। ପାଖାପାଖି ଏକ ଦଶନ୍ଧି ଧରି ଜାତିସଂଘ ମହିଳା ସଂଗଠନ ଓଡ଼ିଶା ସରକାରଙ୍କ ସହଯୋଗରେ ରାଜ୍ୟରେ ଲିଙ୍ଗଗତ ବୈଷମ୍ୟ ଦୂର କରିବାକୁ କାର୍ଯ୍ୟକରୁଛି। ଆଗକୁ ମଧ୍ୟ ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ ବିଭାଗ ସହିତ ମିଳିତ ଭାବେ ଜାତିସଂଘ ମହିଳା ସଂଗଠନ ମହିଳା ସଶକ୍ତିକରଣ ନେଇ କାର୍ଯ୍ୟ କରିବାକୁ ଆଗ୍ରହୀ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରି ଜାତିସଂଘ ଉପମୁଖ୍ୟ ପ୍ରତିନଧି ଜଣାଇଛନ୍ତି।

ସମ୍ବନ୍ଧିତ ଖବର