ଚିକିତ୍ସା କ୍ଷେତ୍ରରେ ପଶ୍ଚିମ ଓଡ଼ିଶାକୁ ଅବହେଳା ଅଭିଯୋଗ: ବୁର୍ଲାରେ ବିଜେପି ନେତାଙ୍କ ମେଳି

ବୁର୍ଲା : କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ନେଇ ବିଜେପି ନେତା ଓ ଜନପ୍ରତିନିଧିମାନେ ସମ୍ବଲପୁରରେ ଗର୍ଜିଥିବାବେଳେ ଆଜି ଭିମ୍‌ସାର ପ୍ରତି ଚରମ ଅବହେଳା ତଥା ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ବୁର୍ଲାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପଶ୍ଚିମ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା, ଭିମ୍‌ସାରରେ ଶୀଘ୍ର ଏକ୍‌ମୋ ମେସିନ୍‌ ଲଗାଇବା ସହିତ ଅନ୍ୟାନ୍ୟ ସମସ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଦାବି ଉପସ୍ଥାପନ କରିଥିଲେ।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଏହି ଦାବିପତ୍ରକୁ ଆର୍‌ଡିସି ପକ୍ଷରୁ ଭିମ୍‌ସାର ନିର୍ଦ୍ଦେଶକ ଡାକ୍ତର ଲଳିତ ମେହେର ଓ ଅଧୀକ୍ଷକ ଲାଲମୋହନ ନାୟକ ଗ୍ରହଣ କରିଥିଲେ। ବୁର୍ଲା ଦୀନଦୟାଲ ଉପାଧ୍ୟାୟ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ ନାଉରି ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାଏକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର