ଦୁଇ ବର୍ଷ ହେଲା ଧାନ ବିକ୍ରି ପ୍ରାପ୍ୟ ପାଉନାହାନ୍ତି ବିଧବା : ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅନ୍ତର୍ଗତ ସିଲାଟି ପେକ୍ସରେ ଜଣେ ବିଧବା ଚାଷୀ ବିଳାସ କଣ୍ଟା ଧାନ ବିକ୍ରି କରିବାର ୨ ବର୍ଷ ପରେ ବି ପ୍ରାପ୍ୟ ଟଙ୍କା ନପାଇ ହନ୍ତସନ୍ତ ହେଉଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ଓ ସରକାରୀ ତନାଘନା ପରେ ବି କିଛି ଫଳ ମିଳିନି।

ଅଭିଯୋଗ ଅନୁଯାୟୀ ବିନିକା ତହସିଲ ମେଘଲା ଗ୍ରାମର ବିଧବା ବିଳାସ ୨୦୧୮- ୧୯ ଖରିଫ ଧାନ କ୍ରୟ ସମୟରେ ତା. ୪|୧ା୨୦୧୯ରେ ସିଲାଟି ପେକ୍ସରେ ଧାନ ବିକ୍ରି କରିଥିଲେ। ଧାନ ବିକ୍ରି ବାବଦକୁ ସେ ୫୭ ହଜାର ୭୫୦ ଟଙ୍କା ପାଇବା କଥା। କିନ୍ତୁ ସିଲାଟି ପେକ୍ସର ଭୁଲ ଯୋଗୁଁ ପ୍ରାୟ ୨ ବର୍ଷ ହେଲା ସେ ଏହି ଟଙ୍କା ପାଇ ନାହାନ୍ତି। ଟଙ୍କା ପାଇଁ ସେ ବାରମ୍ବାର ସିଲାଟି ପେକ୍ସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ସହିତ ଉଚ୍ଚ ଅଧିକାରୀମାନଙ୍କୁ ଗୁହାରି କରିଥିଲେ। ଏ ସମ୍ପର୍କରେ ଗତ ମେ’ ୨୩ ତାରିଖରେ ପ୍ରଥମେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ଯୋଗାଣ ବିଭାଗର ନିଦ ଭାଙ୍ଗିଥିଲା। ସିଏସ୍‌ଓ ତୁରନ୍ତ ଏ ନେଇ ଓଏସ୍‌ଏସ୍‌ସି ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ବିଳାସଙ୍କ ନାମରେ ବିକ୍ରି ହୋଇଥିବା ଧାନର ପ୍ରାପ୍ୟ ପ୍ରଦାନ ପାଇଁ ଜଣାଇଥିଲେ। ଇତିମଧ୍ୟରେ ଜିଲ୍ଲା ଯୋଗାଣ ବିଭାଗ ଓଏସ୍‌ଏସ୍‌ସିକୁ ଜଣାଇବାର ୯ମାସ ବିତି ଯାଇଛି। ତଥାପି ବିଳାସଙ୍କୁ ତାଙ୍କର ଧାନ ବିକ୍ରି ଟଙ୍କା ମିଳି ପାରି ନାହିଁ। ବିଭାଗର ଚିଠି ଆଦାନ ପ୍ରଦାନରେ ବିଳାସଙ୍କ ଧାନ ବିକ୍ରି ଟଙ୍କା ଯେମିତି ହଜି ଯାଇଛି।

ଅନ୍ୟପକ୍ଷରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ବିଳାସ ତା. ୪|୧ା୨୦୧୯ରେ ବିକ୍ରି କରିଥିବା ଧାନର ପ୍ରାପ୍ୟ ଟଙ୍କା ୫୭ ହଜାର ୭୫୦ ଟଙ୍କା ସେହି ଦିନ ପ୍ରଦାନ କରାଯାଇଥିଲା। କିନ୍ତୁ ବିଳାସଙ୍କ ନାମରେ ଥିବା ବ୍ୟାଙ୍କ ଆକାଉଣ୍ଟ ନଂ ଗଡ଼ବଡ଼ ଥିବାରୁ ସେହି ଟଙ୍କା ପୁଣି ଯୋଗାଣ ନିଗମର ଖାତାକୁ ଫେରି ଯାଇଛି। ଏହି ପତ୍ରରେ ମଧ୍ୟ ଦର୍ଶାଯାଇଛିଯେ ସିଲାଟି ପେକ୍ସର କର୍ମଚାରୀଙ୍କ ଭୁଲ ଯୋଗୁ ଏପରି ହୋଇଛି। ଏ ସମ୍ପର୍କରେ ସିଲାଟି ପେକ୍ସକୁ ତା. ୫/୧/୨୦୧୯ରେ ଜଣାଇ ଦିଆଯାଇଥିଲା। ପି.ପାସ୍‌ରୁ ପେମେଣ୍ଟ ଆଡଭାଇଜ୍‌ ପାଇଲା ପରେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ପତ୍ରରେ ଦର୍ଶାଯାଇଥିଲା। ତେବେ କେବେ ପେମେଣ୍ଟ୍‌ ଆଡଭାଇଜ୍‌ ଯିବ ଏବଂ କେବେ ବିଳାସ ତାଙ୍କର ଧାନ ବିକ୍ରି ଟଙ୍କା ପାଇବେ ତାହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବିଷ୍ଣୁ ପ୍ରସାଦ ସୂପକାରଙ୍କୁ ଯୋଗାଯୋଗ କରାଯିବାରେ ପେମେଣ୍ଟ ଆଡଭାଇଜ୍‌ ଦେଲା ପରେ ଧାନ ବିକ୍ରି ଟଙ୍କା ପାଇବାର ନିୟମ ରହିଛି। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଖୁବ୍‌ ଶୀଘ୍ର ବିଳାସ ତାଙ୍କର ଧାନ ବିକ୍ରି ଟଙ୍କା ପାଇବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର