‘ନ୍ୟାୟ ନ ମିଳିବା ଯାଏଁ ଅସ୍ଥି ବିସର୍ଜନ କରିବନି’, ମୃତ୍ୟୁ ପୂର୍ବରୁ ଯୁବ ବ୍ୟବସାୟୀଙ୍କ କୋହଭରା ନିବେଦନ

ଶ୍ବଶୁର ପରିବାର ମାରିଦେଲେ!

ରାଉରକେଲା: ‘ମୋ’ ହସଖୁସିର ଯୌଥ ପରିବାରକୁ ଛିନ୍‌ଭିନ୍‌ କରିଦେଲେ। ମୋ’ ନାଁରେ ମିଛ ଯୌତୁକ ମାମଲା ରୁଜୁ କଲେ। ଏମିତିକି ମୋ’ ବୃଦ୍ଧ ପିତା-ମାତାଙ୍କୁ ବି ଛାଡ଼ି‌ଲେନି। ପୁଲିସ ସହ ଭିତିରିଆ ସଲାସୁତୁରା କରି ଗିରଫ କରିବାକୁ ବାହାରିଲେ। ଗତ ୬/୭ ବର୍ଷ ହେଲା ମୁଁ ଏକା ସହୁଥିଲି, ଏବେ ମୋ’ ପିତା-ମାତାଙ୍କୁ ଅଯଥା ଏ ଭିତରକୁ ଟାଣି ଯେଭଳି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ତାହା ଅସହ୍ୟ ହେଲାଣି। ଏଭଳି ଦୁଃଖଦାୟକ ପରିସ୍ଥିତି ଆଉ ଦେଖିପାରିବିନି। ଏହା ହେଉଛି ରାଉରକେଲାର ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ପୂର୍ବର ଭିଡିଓ ବାର୍ତ୍ତା। ଏହି ଭିଡିଓ ପରେ ତାଙ୍କର ରହସ୍ୟଜନକଭାବେ ମୃତ୍ୟୁ ହୋଇଯାଇଛି। ଗତକାଲି ଅପରାହ୍ନରେ ଜାମଦେଶଦପୁର ବିଷ୍ଣୁପୁରସ୍ଥ ଏକ ୭ ମହଲା ଉପରୁ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି; ତାହା ତଦନ୍ତାଧୀନ। ତେବେ ତାଙ୍କୁ କିଭଳି ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା; ତାହା ଭିଡିଓ ବାର୍ତ୍ତାରୁ ସ୍ପଷ୍ଟ ହୁଏ।

ସ୍ଥାନୀୟ ସିଭିଲଟାଉନସିପ୍‌ର ବ୍ୟବସାୟୀ ବଜରଙ୍ଗଲାଲ ଅଗ୍ରୱାଲଙ୍କ ପୁଅ ରାହୁଲ ଅଗ୍ରୱାଲ(୩୮) ଗତ ୨୦୧୨ ମସିହାରେ ଜାମଶେଦପୁରର ବର୍ଷା ଚୁଡ଼ିୱାଲ(୩୨)ଙ୍କୁ ବିବାହ କରିଥିଲେ। ୨୦୧୬ ମସିହାରେ ତାଙ୍କର ଯାଆଁଳା ପୁଅ-ଝିଅ ବେଦ-ବେଦିକାଙ୍କ ଜନ୍ମ ହାଇଥିଲା। ଏହା ପରଠାରୁ ବର୍ଷା ନିଜ ବାପା-ମାଙ୍କ ପ୍ରରୋଚନାରେ ଆସିଥିଲେ। ରାହୁଲଙ୍କ ଯୌଥ ପରିବାର ଥିବାରୁ ପ୍ରଥମେ ଅଲଗା ରହିବାକୁ କହିବାସହ ଝଗଡ଼ା କରିଥିଲେ। ପରବର୍ତ୍ତୀ ସମୟରେ ରାହୁଲ ସବୁ ସର୍ତ୍ତକୁ ମାନିନେବାରୁ କିଛି ଦିନ ଠିକ୍‌ରେ କଟିଥିଲା।

ତେବେ ଏହାପରେ ଶ୍ବଶୂର ପ୍ରଦୀପ ଚୁଡ଼ିୱାଲ, ଶାଶୁ କୁସୁମ ଚୁଡ଼ିୱାଲ ଓ ଶାଳକ ପୀୟୁଷ ଚୁଡ଼ିୱାଲ ପତ୍ନୀ ବର୍ଷାକୁ କୁପରାମର୍ଶ ଦେଇ ରାଉରକେଲାରୁ ଜାମଶେଦପୁରକୁ ନେଇଯାଇଥିଲେ। ଏମିତିକି ପୁଅ-ଝିଅଙ୍କୁ ମଧ୍ୟ ପତ୍ନୀ ସାଙ୍ଗରେ ନେଇଯାଇଥିଲେ। ଏହାପରଠାରୁ ପୁଅ-ଝିଅଙ୍କୁ ଆଉ ରାହୁଲ ସହ ମଧ୍ୟ ଭେଟିବାକୁ ଦେଲେନି। ରାହୁଲ ଏକାଧିକବାର ଚେଷ୍ଟା କରିଥିଲେ ମଧ୍ୟ ସବୁ ବୃଥା ଯାଇଥିଲା। ଏହି ସମୟରେ ଶ୍ବଶୁର ପରିବାର ରାହୁଲ ଓ ତାଙ୍କ ବାପା-ମା’ଙ୍କ ନାଁରେ ମିଛ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ।

ସେବେଠାରୁ ଜାମଶେଦପୁର ପୁଲିସ ବିଭିନ୍ନ ସମୟରେ ରାହୁଲ ଓ ତାଙ୍କ ପରିବାରକୁ ହଇରାଣ ହରକତ କରୁଥିଲା। ଏମିତିକି ଶ୍ବଶୁର ପରିବାର ଲୋକ ତାଙ୍କ ଓକିଲକୁ ମଧ୍ୟ ନିଜ ପକ୍ଷକୁ ନେଇଯାଇଥିଲେ। ପରେ ରାହୁଲ ରାଉରକେଲାରୁ ହିଁ ଓକିଲଙ୍କ ସହାୟତା ନେଇ ନିଜର ତଥା ବାପା-ମା’ଙ୍କ ଜାମିନ ଆଣିଥିବା ମୃତ୍ୟୁ ପୂର୍ବରୁ ରେକର୍ଡ‌୍ କରାଯାଇଥିବା ଭିଡିଓରେ କହିଛନ୍ତି। ମୃତ୍ୟୁ ପୂର୍ବରୁ ରାହୁଲ ୪ଟି ଭିଡିଓରେ ନିଜେ ଭୋଗିଥିବା ଯାତନା ବିଷୟରେ ପୁଙ୍ଖାନୁପୁଙ୍ଖ କହିଛନ୍ତି। ବିନା ଛାଡ଼ପତ୍ରରେ କିଭଳି ଜଣେ ଧନୀକ ବ୍ୟକ୍ତିକୁ ପତ୍ନୀ ବର୍ଷାର ପୁନର୍ବିବାହ ପାଇଁ ଯୋଜନା କରାଯାଉଥିଲା, କିଭଳି ନିଜ ଜନ୍ମକଲା ପୁଅ-ଝିଅଙ୍କୁ କୋର୍ଟ ମାଧ୍ୟମରେ ପୋଷ୍ୟ ଗ୍ରହଣ କରିବାକୁ ପ୍ରକ୍ରିୟା କରାଯାଉଥିଲା ସେନେଇ ବିସ୍ତୃତଭାବେ କହିଛନ୍ତି। ହୃଦୟ ବିଦାରକ ଭିଡିଓରେ ସେ କାନ୍ଦି କାନ୍ଦି କହିଛନ୍ତି, ମୁଁ ଯାହା ବି ପଦକ୍ଷେପ ନେବି, ସେଥିପାଇଁ କେବଳ ଶ୍ବଶୁର-ଶାଶୁ-ଶାଳକ ଦାୟୀ ରହିବେ। ମୁଁ ମରିଗଲା ପରେ ମୋ’ର ଅସ୍ଥି ବିସର୍ଜନ କରିବନି, ବରଂ ତାକୁ ସାଇତି ଆଲମିରାରେ ରଖିବ। ମୋତେ, ମୋ’ ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଅସ୍ଥିକୁ ସମ୍ଭାଳି ରଖିଥିବ।

ଯେଉଁଦିନ ମୋତେ ନ୍ୟାୟ ମିଳିବ, ସେଦିନ ମୋ’ ପୁଅ-ଝିଅ ହିଁ ହରିଦ୍ବାରରେ ଅସ୍ଥି ବିସର୍ଜନ କରିବେ। ଏହାସହ ସମସ୍ତେ ମିଳିମିଶି ରହିବା ସହ ହସଖୁସିରେ ଦିନ କାଟିବାକୁ କରୁଣ ନିବେଦନ କରିଛନ୍ତି ରାହୁଲ। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ସମଗ୍ର ମାମଲାରେ ଓଡ଼ିଶା ପୁଲିସ ହସ୍ତକ୍ଷେପ କରି ନ୍ୟାୟ ଦେବାକୁ ମୃତକଙ୍କ ପରିବାର ନିବେଦନ କରିଛନ୍ତି। ପ୍ରକାଶଥାଉକି, ଆସନ୍ତାକାଲି ରାହୁଲଙ୍କ ମୃତଦେହ ରାଉରକେଲାରେ ପହଞ୍ଚିବ। ସେଠାରେ ପରିବାରବର୍ଗ-ପ୍ରିୟଜନ ଶେଷ ଦର୍ଶନ କରିବାପରେ ବେଦବ୍ୟାସରେ ଅନ୍ତିମ ସଂସ୍କାର କରାଯିବ।

ସମ୍ବନ୍ଧିତ ଖବର