ପ୍ରେମ ଜାଲରେ ଫସାଇବାକୁ ସାଜିଲେ ନକଲି ପୁଲିସ; ଗିରଫ ହେଲେ, ଜାମିନ ପାଇ ମୁକୁଳିଲେ

ରାଉରକେଲା: ବୟସ ମାତ୍ର ୨୧। ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ପାସ୍‌। ମାତ୍ର ନିଜକୁ ପୁଲିସ ସବଇନ୍ସପେକ୍ଟରର ପରିଚୟ ଦେଉଥିଲେ। ପୁଲିସ ଡ୍ରେସ୍‌ ପିନ୍ଧି ହୋଣ୍ଡା ସାଇନ୍‌ରେ ବୁଲୁଥିଲେ। ପୁଲିସ ପରିଚୟ ଦେଇ ଅନେକ ଝିଅଙ୍କୁ ବି କୁଆଡ଼େ ପ୍ରେମ ଫାସରେ ପକାଇଥିଲେ। ବେଶ୍‌ କିଛି ଦିନ ହେଲା ଏହି ଯୁବକଙ୍କ ଏଭଳି କାରବାର ଚାଲୁରହିଥିଲା। ଆଜି କିନ୍ତୁ ଏଥିରେ ପୂର୍ଣ୍ଣାହୂତି ପଡ଼ିଯାଇଛି। ଏହି ନକଲି ପୁଲିସକୁ ଅସଲ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲେ। ତେବେ ତାଙ୍କର ଜାମିନ ମଞ୍ଜୁର ହୋଇଯାଇଛି।

ସେକ୍ଟର-୧୫ ଏଚ୍‌-ବ୍ଳକରେ ରୁହନ୍ତି ଅଶୋକ କୁମାର ଜେନା(୨୧)। ଯୁକ୍ତ ଦୁଇ ପାସ୍‌ କଲାପରେ ପାଠ ପଢ଼ା ବନ୍ଦ ହୋଇଯାଇଥିଲା। ସେ ସବୁବେଳେ ହୋଣ୍ଡା ସାଇନ୍‌(ଓଡି୦୧-ଏଡି-୨୨୭୯)ରେ ବୁଲୁଥିଲେ। ଝିଅଙ୍କୁ ଆକୃଷ୍ଟ କରିବାକୁ କୁଆଡ଼େ ସେ ପୁଲିସ୍‌ ସବଇନ୍ସପେକ୍ଟର ପରିଚୟ ଦେଉଥିଲେ। ଏମିତିକି ପାୱାରହାଉସ୍‌ ରୋଡ୍‌ ଅଞ୍ଚଳରେ ଥିବା ଏକ ଦୋକାନରେ ପୁଲିସ ୟୁନିଫର୍ମ ତିଆରି କରିଥିଲେ। ତାଙ୍କ ପୋଷାକରେ ଷ୍ଟାର୍‌, ନାଁ ବି ଯୋଡ଼ିଥିଲେ; ଯାହାକି ସତସତିକା ପୁଲିସର ଭ୍ରମ ସୃଷ୍ଟି କରୁଥିଲା। ସେକ୍ଟର-୧୮ କମ୍ୟୁନିଟି ସେଣ୍ଟର୍‌ ପାଖରେ ଅଭିଯୁକ୍ତ ଅଶୋକ ଉପସ୍ଥିତ ଥିବା ସେକ୍ଟର-୧୫ ପୁଲିସ ସେଠାରେ ପହଞ୍ଚିଥିଲା। ପଚରାଉଚରା କରିବା ସହ ପରିଚୟପତ୍ର ମାଗିଥିଲେ। ମାତ୍ର ଅଭିଯୁକ୍ତ ପ୍ରମାଣପତ୍ର ଦେଖାଇବାରେ ବିଫଳ ହୋଇଥିଲେ। ଏହାପରେ ଅଧିକ ଖୋଲତାଡ଼ ହେବାରୁ ଅଭିଯୁକ୍ତ ସବୁ ସତ ଓଗାଳିଦେଇଥିଲା। ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ତାଙ୍କର ଜାମି ମଞ୍ଜୁର ହୋଇଯାଇଛି। ଯୁବତୀଙ୍କୁ ପ୍ରେମଜାଲରେ ଫସାଇବାକୁ ନକଲି ପୁଲିସ ସାଜିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର