ଦେହ କାରବାର, ପୁଲିସ ଚୁପ୍‌ ଜାଣିଶୁଣି ପଛଘୁଞ୍ଚା

ବଲାଙ୍ଗୀର: ବଲାଙ୍ଗୀର ସହରରେ ବେଧଡ଼କ ଭାବେ ଦେହ କାରବାରର ସାମ୍ରାଜ୍ୟ ଖୋଲିଛି। ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଗୋଷ୍ଠୀ ଏହି କାରବାର ଚଳାଇଛନ୍ତି। ଗ୍ରାମାଞ୍ଚଳରୁ କାରବାର ଅପରେଟ୍‌ ହେଉଥିବା ବେଳେ ସହରିଆ ଗରାଖଙ୍କୁ ଟାର୍ଗେଟ କରାଯାଉଛି। ଏଥିପାଇଁ ନିୟୋଜିତ ହୋଇଛନ୍ତି ଦଲାଲ। ବଲାଙ୍ଗୀର କାହିଁକି ସୋନପୁର ଜିଲ୍ଲା ସହ ବୌଦ୍ଧ ଜିଲ୍ଲାରେ ବି ଖେଳି ଯାଇଛି ଦେହ କାରବାରର ନେଟୱାର୍କ। ‘ସମ୍ବାଦ’ ହାତରେ ଖବର ଲାଗିବା ପୂର୍ବରୁ ପୁଲିସ ପାଖକୁ ଯାଇଥିଲା ଖବର। ତଥ୍ୟ ଓ ପ୍ରମାଣ ସହ ଦିଆଯାଇଥିଲା ନଥି ପତ୍ର। ପୁଲିସ ତଦନ୍ତ ବାହାନାରେ ଦିନ ଗଡ଼ାଇଥିଲା। ଖୋଳତାଡ଼ ବେଳେ କିଛି କିଛି ଘଟଣା ସାମ୍ନାକୁ ଆସିବାରେ ଲାଗିଛି।
ବଲାଙ୍ଗୀର ସହର ସ୍ୱାଭାବିକ ଲାଗୁଥିବା ବେଳେ ଦେହ କାରବାର ଭିତରେ ଭିତରେ ଚେର ଜମାଇବାରେ ଲାଗିଛି। ଯାହାକୁ ଅଣଦେଖା କରି ଆସିଛି ପୁଲିସ। ତଥ୍ୟ ପ୍ରମାଣ ସହ ପୁଲିସକୁ ଦେହ କାରବାର ନେଟୱାର୍କ ସଂପର୍କରେ ସୂଚନା ଦିଆଯାଇଥିବା ବେଳେ ପୁଲିସ ଏ ଦିଗରେ ଆଗ୍ରହ ହିଁ ଦେଖାଇ ନାହିଁ। ଯାହା ଫଳରେ ପୁଲିସ ଓ ଦେହ କାରବାରରେ ସଂପୃକ୍ତ ଲୋକଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଗଢି ଉଠିଥିବା ଅଭିଯୋଗ ଏବେ ମୁଣ୍ଡ ଟେକିଛି। ବଲାଙ୍ଗୀର କଲେଜ ଛକ ଅଞ୍ଚଳରେ ଦେହ କାରବାରର ର‍୍ୟାକେଟ ସକ୍ରିୟ ହୋଇଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ଏହାର କାୟା ବିସ୍ତାର ହୋଇଛି। ‘ସମ୍ବାଦ’ ପକ୍ଷରୁ ମଧ୍ୟ ଏହାର ଅନୁସନ୍ଧାନ କରାଯାଇଥିଲା। ଯେଉଁଥିରେ ଦେହ କାରବାର କରୁଥିବା ଲୋକେ ଧରାପଡ଼ିଥିଲେ। ତେବେ ପୁଲିସ ଏ ସଂପର୍କରେ କୌଣସି ସୂଚନା ନପାଇବା ଆଶ୍ଚର୍ଯ୍ୟ କରୁଛି।
ବଲାଙ୍ଗୀର ସହରର ଗରାଖଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ସହର ଉପକଣ୍ଠ ଗାଁରୁ ଦେହ କାରବାରର ନେଟୱାର୍କ ପରିଚାଳିତ ହେଉଛି। ଗରାଖଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଓ ସହରରେ ଧରାପଡିଯିବା ଆଶଙ୍କାରେ ଗାଁକୁ ସୁରକ୍ଷିତ ମଣୁଛନ୍ତି ଦେହ କାରବାରର ମାଫିଆମାନେ। ବଲାଙ୍ଗୀର-ସୋନପୁର ରୋଡର ସାତମାଇଲରେ ୫ରୁ୬ ଜଣ ଯୁବତୀଙ୍କୁ ରଖି ଗୋଟିଏ ଗୋଷ୍ଠୀ କାରବାର ଚଳାଇଥିବା ବେଳେ ଏହାର ଟେର କେହି ପାଉ ନାହାନ୍ତି। କେବଳ ଏହି ଗୋଷ୍ଠୀ ସକ୍ରିୟ ନୁହନ୍ତି। ବିଭିନ୍ନ ପଡ଼ା ଅଞ୍ଚଳରେ ବି ଦେହ କାରବାରର ର‍୍ୟାକେଟ ଲମ୍ବିଛି। ଜିଲ୍ଲା ପୁଲିସ ମୁଖିଆଙ୍କୁ ବାରମ୍ବାର ଏସଂପର୍କରେ ଲିଖିତ ଭାବେ ଅବଗତ କରାଯାଇଥିଲେ ବି ପୁଲିସ ମାମୁଲି କଥା କହି ଏହାକୁ ଅଣଦେଖା କରୁଛି।

ସମ୍ବନ୍ଧିତ ଖବର