ହାଟଡ଼ିହି: ହାଟଡିହି ବ୍ଲକ ଓରାଳି, ଅଁରା ଓ କଳିଗାଁ ପଞ୍ଚାୟତରେ ମାଟିଆଗୁଣ୍ଡି ପୋକ ଯୋଗୁଁ ଶହଶହ ଏକର ାନଚାଷ ଜମି ନଷ୍ଟ ହେବାକୁ ବସିଲାଣି। ଚାଷୀମାନେ ମାଟିଆଗୁଣ୍ଡି ପୋକ ନିପାତ ପାଇଁ ଔଷଧ ଆଣିବାକୁ କୃଷି ବିଭାଗ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ପଛେ କୀଟନାଶକ ଔଷଧ ପାଉ ନାହାନ୍ତି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଚଳିତବର୍ଷ ଉପଯୁକ୍ତ ପାଣିପାଗ ଯୋଗୁଁ ଭଲ ଧାନ ଅମଳ କରିବାକୁ ଚାଷୀମାନେ ଆଶା ରଖିଥିଲେ। ମାତ୍ର ଏବେ ଧାନ ପାଚିଲା ବେଳକୁ ମାଟିଆଗୁଣ୍ଡି ପୋକ ଧାନକୁ ନଷ୍ଟ କରିଦେବାକୁ ବସିଛନ୍ତି। ଓରାଳି ପଞ୍ଚାୟତର ଓରାଳି, କ୍ଷେତୁ୍ରଆଳି, ନନ୍ଦିପଦା, କରଞ୍ଜପଦି, ଅଁରା ପଞ୍ଚାୟତର ଅଁରା, ମଧୁରଗଡିଆ, ଜାମିତିରା, କଳିଗାଁ ପଞ୍ଚାୟତର କଳିଗାଁ, ତାମ୍ପଳା, ଦାଶରଥିପୁର, କନକମ୍ପା, ରଘୁନାଥପୁର, କଇଥଗଡିଆ ଆଦି ଗ୍ରାମରେ ମାଟିଆଗୁଣ୍ଡିପୋକ ଯୋଗୁଁ ଧାନ ଚାଷ ନଷ୍ଟ ହେବାକୁ ବସିଛି। ଚାଷୀମାନେ ମାଟିଆଗୁଣ୍ଡି ପୋକ ନିୟନ୍ତ୍ରଣ ପାଇଁ ବଜାରରେ ମିଳୁଥିବା ଔଷଧ ଆଣି ସିଞ୍ଚନ କରିଥିଲେ ମଧ୍ୟ ତାହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଫଳରେ ଧାନକ୍ଷେତ ନଷ୍ଟ ହେବାକୁ ବସିଲାଣି। କୃଷି ସୂଚନା କେନ୍ଦ୍ର ମରୈଗାଁକୁ କୀଟନଶକ ପାଇଁ ଯିବା ବେଳକୁ କୃଷି ଅଧିକାରୀମାନେ ସିଧାସଳଖ ମନା କରିଦେଉଛନ୍ତି। ଫଳରେ ଚାଷୀମାନେ ହତୋତ୍ସାହିତ ହୋଇ ପଡିଛନ୍ତି। କୃଷି ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଅରୁଣ କୁମାର ପ୍ରଧାନ, ଭୀମ ନାୟକ, ହିମାଦ୍ରୀ ଜେନା, ଜିତେନ୍ଦ୍ର ଜେନା, ଅର୍ଜୁନ ଜେନା, ପ୍ରଫୁଲ ସାହୁ, ବିଦ୍ୟାଧର ଜେନା, ଆନନ୍ଦ ନାୟକ, ଗୋବିନ୍ଦ ଜେନା, ରବୀନ୍ଦ୍ର ରାଉତ, ଗୋପ ଜେନା, କୁନା ଜେନା, ରାଜେନ୍ଦ୍ର ଲେଙ୍କା, କାଳନ୍ଦୀ ଜେନା, ଫକିର ରାଉତ, ଶିବ ପୁହାଣ ପ୍ରମୁଖ ଚାଷୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ହାଟଡିହି ବ୍ଲକ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ରଙ୍କୁ ପଚାରିବାରେ ଧାନଚାଷ ପାଇଁ ମୋଟ ୧୮ହଜାର ଲିଟର କୀଟନାଶକର ଆବଶ୍ୟକତା ଥିବାବେଳେ ଚଳିତବର୍ଷ ୪ହଜାର ଲିଟର ଦିଆଯାଇଛି। ଦୁଇଦିନ ହେଲା ତାହା ସରିଯାଇଛି। ତେଣୁ ଆସନ୍ତା କାଲିଠାରୁ ସେମାନଙ୍କୁ କୀଟନାଶକ ପ୍ରଦାନ ସହିତ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରି ମାଟୁଆଗୁଣ୍ଡି ପୋକ ଦାଉରୁ ଧାନବିଲକୁ ରକ୍ଷା କରିବା ପାଇଁ କି କି ପଦକ୍ଷେପ ନିଆଯିବ ତାହା ଉପରେ ତର୍ଜମା କରିବୁ ବୋଲି କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର