ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ଶୋଭା ଓ ଶିମିଳିପାଳ ବିଶ୍ୱରେ ବିରଳ: ସୌମ୍ୟରଞ୍ଜନ

ରଂଜନ ପ୍ରଧାନଙ୍କ ଲିିଖିତ ‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ: ମୟୂରଭଞ୍ଜ’ ଗ୍ରନ୍ଥ ଲୋକାର୍ପିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ଶୋଭା ଓ ଶିମିଳିପାଳ ବିଶ୍ୱରେ ବିରଳ। ମୟୂରଭଞ୍ଜର ପର୍ଯ୍ୟଟନକୁ ବିଶ୍ୱ ବଜାରରେ ପ୍ରଦର୍ଶିତ କରାଯାଇ ଏଥିରୁ ରାଜସ୍ୱ ଆଦାୟ କରାଯିବା ନେଇ ଉଭୟ ପ୍ରଶାସନ ଓ ସରକାର ଯତ୍ନବାନ ହେବା ଉଚିତ୍‌। ଗାଳ୍ପିକ ଓ ଗବେଷକ ରଞ୍ଜନ ପ୍ରଧାନଙ୍କ ଦ୍ଵାରା ଲିଖିତ ପୁସ୍ତକ ‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ: ମୟୂରଭଞ୍ଜ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଏହା କହିଛନ୍ତି। ଶ୍ରୀପଟ୍ଟନାୟକ କହିଛନ୍ତି, ଏହି ଗ୍ରନ୍ଥଟି ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରାଇବାରେ ସହାୟକ ହେବ।

ମୟୂରଭଞ୍ଜ ଜିଲ୍ଲାର ଭୂଗୋଳ, ପର୍ଯ୍ୟଟନ, ପ୍ରତ୍ନତତ୍ତ୍ଵ, ସଂସ୍କତି, ଐତିହ୍ୟ, କଳା, ପ୍ରଥା, ପରଂପରା, ପର୍ବପର୍ବାଣି, ମଠ, ମନ୍ଦିର, ପୁରୁଣା ଐତିହ୍ୟପୂର୍ଣ୍ଣ ନିର୍ମାଣ, ପ୍ରାଚୀନ ମୂର୍ତ୍ତି, ସାପ୍ତାହୀକ ହାଟ, ସାମାଜିକ ଓ ଅର୍ଥନୈତିକ ଜୀବନ, ପାହାଡ଼, ନଦୀ, ଝରଣା ଓ ସର୍ବୋପରି ଶିମିଳିପାଳ ଜୈବମଣ୍ଡଳକୁ ନେଇ ରଚିତ ବିଶାଳ ଗ୍ରନ୍ଥ ‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ: ମୟୂରଭଞ୍ଜ’ ବାରିପଦା ସହର ଉପକଣ୍ଠ ପୋଡ଼ାଅସ୍ତିଆସ୍ଥିତ ‘ଡିଭାଇନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ ସଭାଗୃହରେ ଲୋକାର୍ପିତ ହୋଇଯାଇଛି।

ଗ୍ରନ୍ଥ ‘ପର୍ଯ୍ୟଟନ ଓ ପ୍ରତ୍ନତତ୍ତ୍ଵ: ମୟୂରଭଞ୍ଜ’- ମୟୂରଭଞ୍ଜ ଜିଲ୍ଲାର ଭୂଗୋଳ, ପର୍ଯ୍ୟଟନ, ପ୍ରତ୍ନତତ୍ତ୍ଵ, ସଂସ୍କତି, ଐତିହ୍ୟ, କଳା, ପ୍ରଥା, ପରଂପରା, ପର୍ବପର୍ବାଣି, ମଠ, ମନ୍ଦିର, ପୁରୁଣା ଐତିହ୍ୟପୂର୍ଣ୍ଣ ନିର୍ମାଣ, ପ୍ରାଚୀନ ମୂର୍ତ୍ତି, ସାପ୍ତାହୀକ ହାଟ, ସାମାଜିକ ଓ ଅର୍ଥନୈତିକ ଜୀବନ, ପାହାଡ଼, ନଦୀ, ଝରଣା ଓ ସର୍ବୋପରି ଶିମିଳିପାଳ ଜୈବମଣ୍ଡଳକୁ ନେଇ ରଚିତ ଏକ ବିଶାଳ ସଙ୍କଳନ।

ସମାରେହରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଭାଷାବିତ୍‌ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଯୋଗଦେଇ ଗବେଷକ ରଂଜନ ପ୍ରଧାନଙ୍କ ନିଷ୍ଠା ଓ ପରିଶ୍ରମ ଏହି ଗ୍ରନ୍ଥର ପ୍ରତି ପୃଷ୍ଠାରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ପୁସ୍ତକଟିର ଭାଷା ଖୁବ୍‌ ସରଳ ଓ ଉପଭୋଗ୍ୟ। ଗ୍ରନ୍ଥଟିର ପ୍ରତିଟି ପୃଷ୍ଠା ତଥ୍ୟ ଓ ରୋମାଞ୍ଚରେ ଭରା ବୋଲି ଡ. ତ୍ରିପାଠୀ କହିିଥିଲେ। ସମ୍ମାନିତ ଅତିଥି ଭାବେ ‘ମୟୂରଭଞ୍ଜ ସିଟିଜେନ୍‌ ଫୋରମ୍‌’ର ସଭାପତି ପୂର୍ଣ୍ଣଚନ୍ଦ୍ର ବୁଗୁଡ଼େଇ ଯୋଗଦେଇ ପୁସ୍ତକଟି ମୟୂରଭଞ୍ଜ ଜିଲ୍ଲାର ପ୍ରତିଟି ପରିବାରରେ ସଂଗ୍ରହ କରି ରଖାଯିବା ଉଚିତ୍‌ ବୋଲି କହିଥିଲେ। ବିଶିଷ୍ଟ କବି ଓ ଗୀତିକାର ଶ୍ରୀଯୁକ୍ତ ନିମାଇଁ ମହାନ୍ତି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଶ୍ରୀ ପ୍ରଧାନ ଛାଡ଼ିଯାଇଥିବା ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉକ୍ତ ପୁସ୍ତକର ଲେଖକ ରଂଜନ ପ୍ରଧାନ ନିଜର ଲେଖକୀୟ ଅନୁଭୂତି ଓ ପ୍ରେରଣା ସଂପର୍କରେ ବର୍ଣ୍ଣନା କରିଥିଲେ। ‘ଡିଭାଇନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି’ର ନିର୍ଦ୍ଦେଶକ ଇଂ. ବିପ୍ଳବ ଭଞ୍ଜନ ବୁଗୁଡ଼େଇ, ‘ସବୁଜ ମୟୂରଭଞ୍ଜ’ର ସଭାପତି ଦେବାଶିଷ ମହାନ୍ତି, କପ୍ତିପଦା ନୂଆସାହି ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ ବେହେରା ପ୍ରମୁଖ ପୁସ୍ତକ ସଂପର୍କରେ ସମ୍ୟକ ଆଲୋଚନା କରିଥିଲେ। ଅନୁଷ୍ଠାନର ଡିନ୍‌ ଡ. ରଣଜିତ କୁମାର ସାହୁ ପ୍ରାରମ୍ଭିକ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କୃତୀ ଶିକ୍ଷକ ଅମିତାଭ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସାଂସ୍କତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର