ମୌସୁମୀ ଚିନ୍ତା

ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ ଯେ, ସାଧାରଣତଃ ଜୁନ୍‌ ପହିଲାରେ କେରଳ ଛୁଉଁଥିବା ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଏବର୍ଷ ସାମାନ୍ୟ ବିଳମ୍ବିତ ହୋଇ ଜୁନ୍‌ ୬ରେ ପହଞ୍ଚିବ। କିନ୍ତୁ ଆହୁରି ଦୁଇଦିନ ବିଳମ୍ବ କରି ମୌସୁମୀ ଜୁନ୍‌ ୮ରେ ପହଞ୍ଚିଲା। ପୂର୍ବାନୁମାନ କରାଯାଇଥିଲା, ଜୁଲାଇ ୧୫ ତରିଖ ସୁଦ୍ଧା ମୌସୁମୀ ଦେଶର ସବୁ ଅଞ୍ଚଳକୁ ଖେଳିଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ, ପଞ୍ଜାବର କେତେକ ଅଞ୍ଚଳରେ ମୌସୁମୀ ସହ ବର୍ଷାର ଆଗମନକୁ ଅପେକ୍ଷା କରାଯାଇଛି। ପଶ୍ଚିମ ଉପକୂଳରେ ସାମୁଦ୍ରିକ ଘୂର୍ଣ୍ଣିଝଡ ‘ବାୟୁ’ର ପ୍ରଭାବରେ ମୌସୁୁମୀର ଅଗ୍ରଗତି ବାଧାପ୍ରାପ୍ତ ହୋଇଥିବାରୁ ଏ ପ୍ରକାର ସ୍ଥିତି ଦେଖା ଦେଇଥିବା କୁହାଯାଉଛି। ଇତିମଧୢରେ ପ୍ରବଳ ବର୍ଷା ଯୋଗୁ ବିହାର, ଆସାମ, ମହାରାଷ୍ଟ୍ରରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ଜୁଲାଇ ୧୭ ତାରିଖ ସୁଦ୍ଧା ସାରା ଦେଶରେ ସ୍ବାଭାବିକଠାରୁ ୧୬% କମ୍‌ ବର୍ଷା ହୋଇଛି। ଜୁନ୍‌ରୁ ସେପ୍ଟେମ୍ବର ଚାରିିମାସିଆ ବର୍ଷା ଋତୁର ପ୍ରଥମ ଦେଢ ମାସରେ ସ୍ବାଭାବିକ ଭାବେ ୩୦୮ ଏମ.ଏମ. ବୃଷ୍ଟିପାତ ବଦଳରେ ୨୬୫ ଏମ.ଏମ. ବର୍ଷା ରେକର୍ଡ କରାଯାଇଛି। ମୌସୁମୀର ପ୍ରଥମ ମାସ ଜୁନ୍‌ରେ ମଧୢ ବର୍ଷା ସ୍ବାଭାବିକ ପରିମାଣ ତୁଳନାରେ ୩୩% ନିଅଣ୍ଟିଆ ପଡ଼ିଛି। ଓଡ଼ିଶାରେ ମଧୢ ଜୁଲାଇ ୧୭ ସୁଦ୍ଧା ବର୍ଷା ସ୍ବାଭାବିକଠାରୁ ୨୬% କମ୍‌ ରହିଛି। କେତେକ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ପରିମାଣ ୪୦%ରୁ ଅଧିକ।

ଭାରତୀୟ କୃଷି ପାଇଁ ଜୀବନରେଖା ଓ ସାମଗ୍ରିକ ଭାବେ ଭାରତୀୟ ଅର୍ଥନୀତି ଲାଗି ଏକ ନିର୍ଣ୍ଣାୟକ ଭୂମିକା ରଖୁଥିବା ମୌସୁମୀର ବର୍ତ୍ତମାନ ସୁଦ୍ଧା ଆଚରଣ ବିଭିନ୍ନ ମହଲରେ ଉଦ୍‌ବେଗର କାରଣ ହୋଇଛି। ନିଅଣ୍ଟିଆ ବୃଷ୍ଟିପାତ ପରିମାଣ, ଏଥର ସ୍ବାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅବଶ୍ୟ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ମୌସୁମୀ ନେଇ ଏ ପ୍ରକାର ଅନିଶ୍ଚିତତା ଦେଖାଯାଇଛି। ଗତ ବର୍ଷ ମଧୢ ସ୍ବାଭାବିକ ବୃଷ୍ଟିପାତର ପୂର୍ବାନୁମାନ ହୋଇଥିଲା। କିନ୍ତୁ ବର୍ଷା ପରିମାଣ ସ୍ବାଭାବିକଠାରୁ ୯% କମ୍‌ ଥିଲା। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଦେଶର କେତେକ ଅଞ୍ଚଳରେ ବର୍ଷା ୨୦ରୁ ୩୭% ପର୍ଯ୍ୟନ୍ତ ନିଅଣ୍ଟିଆ ରହିଥିଲା। ୨୦୦୦ରୁ ୨୦୧୮ ପର୍ଯ୍ୟନ୍ତ ଅଠର ବର୍ଷରୁ ତେର ବର୍ଷ ଦେଶରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ହୋଇଛି। ୨୦୧୫ରୁ ୨୦୧୮ ଚାରିବର୍ଷରେ କୌଣସି ଗୋଟିଏ ହେଲେ ବର୍ଷ ସ୍ବାଭାବିକ ପରିମାଣର ବର୍ଷା ହୋଇନାହିଁ। ପାଣିପାଗ ବିଭାଗ ଅନୁଯାୟୀ ସ୍ବାଭାବିକ ପରିମାଣର ୯୫%ରୁ କମ୍‌ ବର୍ଷା ହେଉଥିବା ବର୍ଷଗୁଡ଼ିକୁ ନିଅଣ୍ଟିଆ ବର୍ଷ ଏବ˚ ୯୦%ରୁ କମ୍‌ ବର୍ଷା ହେଉଥିବା ବର୍ଷ ଗୁଡ଼ିକୁ ‘ମରୁଡ଼ି ବର୍ଷ’ କୁହାଯାଇଥାଏ। ଉଲ୍ଲେଖନୀୟ ଯେ, ଗତ ଅଠର ବର୍ଷ ମଧୢରୁ ସ୍ବାଭାବିକଠାରୁ କମ୍‌ ବର୍ଷା ହେଉଥିବା ୧୩ ବର୍ଷ ମଧୢରୁ ସାତଟି ମରୁଡ଼ି ବର୍ଷ।

ବିଡ଼ମ୍ବନା ହେଲା ଦେଶର କିଛି ଅଞ୍ଚଳ ନିପାଣିଆ ରହୁଥିବାରୁ ମରୁଡ଼ି କବଳିତ ହେଉଥିବା ବେଳେ ଆଉ କେତେକ ଅଞ୍ଚଳ ପ୍ରବଳ ବର୍ଷା ଜନିତ ବିତ୍ପାତର ଶିକାର ହେଉଛି। ଉଦାହରଣ ସ୍ବରୂପ ଚଳିତବର୍ଷ ବର୍ଷାଭାବ ଯୋଗୁ ବର୍ତ୍ତମାନ ସୁଦ୍ଧା ଗତବର୍ଷ ତୁଳନାରେ ୨୭% କମ୍‌ ଜମିରେ ଚାଷ ହୋଇପାରିଛି। କେତେକ ଅଞ୍ଚଳରେ ପାନୀୟ ଜଳର ଅଭାବ ମଧୢ ଲାଗି ରହିଛି। ଅଥଚ, ଅନ୍ୟ କେତେକ ଅଞ୍ଚଳରେ ବନ୍ୟାର ପ୍ରକୋପରେ ଧନ-ଜନ ପ୍ରଭାବିତ।

ବର୍ତ୍ତମାନ ସୁଦ୍ଧା ମୌସୁମୀର ଯେଉଁ ଆଚରଣ ରହିଛି ତାହା କ’ଣ ବଦଳିବ? ପ୍ରଥମ ଦେଢ଼ମାସର ନିଅଣ୍ଟିଆ ଭରଣା କରି କ’ଣ ସ୍ବାଭାବିକ ବୃଷ୍ଟିପାତ ସହ ଆଗାମୀ ସେପ୍ଟେମ୍ବରରେ ମୌସୁମୀ ବିଦାୟ ନେବ? ନା ବର୍ଷା ପରିମାଣ ଦୃଷ୍ଟରୁ ଦେଶ ଆଉ ଏକ ନିଅଣ୍ଟିଆ ବର୍ଷାଋତୁ ଦେଖିବ? ତେବେ ଏସବୁ ପ୍ରଶ୍ନ ଯେତିକି ଗୁରୁତ୍ବପୂର୍ଣ୍ଣ, ଦୀର୍ଘମିଆଦୀ ସୂତ୍ରରେ ଭବିଷ୍ୟତ ପାଇଁ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ଆଉ ଏକ ପ୍ରଶ୍ନ ପାଣିିପାଗ ବିଜ୍ଞାନୀ, କୃଷି ବିଶାରଦ ଓ ନୀତି ନିର୍ଧାରକଙ୍କ ଧୢାନ ଓ ସମାଧାନର ଅପେକ୍ଷା ରଖୁଛି। ଦେଶରେ ମୋଟ ବର୍ଷାପାଣିର ୭୫%ରୁ ଅଧିକ ଦେଉଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର କ’ଣ ଚରିତ୍ର ବଦଳୁଛି? ଏଥିପାଇଁ କ’ଣ ଉନ୍ନତତର ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ସତ୍ତ୍ବେ ପାଣିପାଗର ଆକଳନ ଓ ପୂର୍ବାନୁମାନ ଅଧିକା˚ଶ ସମୟରେ ଠିକ୍‌ ହେଉନାହିଁ? ଏ ପ୍ରଶ୍ନ ଯେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତାହା ନିମ୍ନୋକ୍ତ ତଥ୍ୟ ସୂଚନା ଦେଉଛି। ସାଧାରଣତଃ ଜୁନ୍‌ ପହିଲାରେ ଦେଶର ମୁଖ୍ୟ ଭୂଖଣ୍ତକୁ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରବେଶ ହୋଇଥାଏ ବୋଲି ଧାରଣା। ପାଣିପାଗ ବିଭାଗ ମଧୢ ଏହା ଆକଳନ କରିଥାନ୍ତି। କିନ୍ତୁ ବାସ୍ତବତା ହେଲା, ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଛଅ ବର୍ଷରେ କୌଣସି ଗୋଟିଏ ବର୍ଷ ବି ମୌସୁମୀର ଆଗମନ ଜୁନ୍‌ ପହିଲା ତାରିଖରେ ହୋଇନାହିଁ। ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ମୌସୁମୀ ଯଥାକ୍ରମେ ଜୁନ୍‌ ୬, ଜୁନ୍‌ ୫, ଜୁନ୍‌ ୮, ମେ ୩୦, ମେ ୨୯ରେ କେରଳ ଛୁଇଁଥିଲା। ସେହିଭଳି ସ୍ବାଭାବିକ ଭାବେ ସେପ୍ଟେମ୍ବର ପହିଲାରୁ ମୌସୁମୀର ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିନ୍ତୁ ପାଣିପାଗ ବିଭାଗର ରେକର୍ଡ କହୂଛି, ପ୍ରତ୍ୟେକ ବର୍ଷ ମୌସୁମୀର ପ୍ରତ୍ୟାହାର ପ୍ରକ୍ରିିୟା ସପ୍ତାହେରୁ ତିନି ସପ୍ତାହ ପର୍ଯ୍ୟନ୍ତ ବିଳମ୍ବିତ ହୋଇଆସୁଛି।

ଏହାର ଅର୍ଥ, ବିଗତ ୫୦ କିମ୍ବା ୧୦୦ ବର୍ଷରେ ମୌସୁମୀର ଆଗମନ, ଅଗ୍ରଗତି ଓ ବିଦାୟ ଆଧାରରେ ପାଣିପାଗର ଆକଳନ ଓ ପୂର୍ବାନୁମାନ ପାଇଁ ପ୍ରସ୍ତୁତ ‘ମଡେଲ’ ଠିକଣା ଭାବେ ଆଉ କାମ କରୁନାହିଁ। ଗତ ଅଠର ବର୍ଷରୁ ନିଅଣ୍ଟିଆ ବର୍ଷା ହୋଇଥିବା ୧୩ ବର୍ଷ ମଧୢରୁ ଅନେକ ବର୍ଷ ମୌସୁମୀ ସ୍ବାଭାବିକ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା। କିନ୍ତୁ ତାହା ଠିକ୍‌ ହେଲାନାହିଁ। ସମ୍ଭବତଃ ପାଣିପାଗ ପରିବର୍ତ୍ତନ, ବିଶେଷ କରି ତାପମାତ୍ରା ବୃଦ୍ଧି ଯୋଗୁ ମୌସୁମୀର ଚରିତ୍ର ବଦଳୁଛି। ସେଥିପାଇଁ ଏହାର ଆଗମନ, ଅଗ୍ରଗତି ଓ ପ୍ରତ୍ୟାହାର ନେଇ ଠିକ୍‌ ପୂର୍ବାନୁମାନ ସମ୍ଭବ ହେଉନାହିଁ। ଏବେ ବୈଜ୍ଞାନିକମାନେ ମୌସୁମୀର ପରିବର୍ତ୍ତିତ ଚରିତ୍ରକୁ ବିଚାରକୁ ନେଇ ପୂର୍ବାନୁମାନ ଲାଗି ନୂଆ ମଡେଲ ତିଆରି ଚିନ୍ତା କରିବାକୁ ପଡ଼ିବ। ସୁଖର କଥା ଭାରତୀୟ ପାଣିପାଗ ବିଭାଗ ଏ ନେଇ ସଚେତନ। ବିଭାଗର ସଚିବ ଏନ୍‌. ରାଜୀବନ୍‌ଙ୍କ ସୂଚନା ଅନୁଯାୟୀ ମୌସୁମୀର ପରିବର୍ତ୍ତିତ ଚରିତ୍ରର ଅନୁଧୢାନ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଇତିମଧୢରେ ମୌସୁମୀର ଆଚରଣରେ ପରିବର୍ତ୍ତନକୁ ଆଖି ଆଗରେ ରଖି ପାଣିପାଗ ବିଭାଗ ସ୍ବାଭାବିକ ବୃଷ୍ଟିପାତର ପରିମାଣର ନୂଆ କରି ଧାର୍ଯ୍ୟ କରିବା ବିଷୟ ଚିନ୍ତା କରୁଛନ୍ତି। ୧୯୬୦ରୁ ୨୦୧୦ ପଚାଶ ବର୍ଷର ହାରାହାରି ବୃଷ୍ଟିପାତ ପରିପ୍ରେକ୍ଷୀରେ ସ୍ବାଭାବିକ ବୃଷ୍ଟିପାତର ପରିମାଣ ବାର୍ଷିକ ୮୯ ସେମି ଧାର୍ଯ୍ୟ କରାଯାଇଥିଲା। ଏବେ ଏହା ୨% ହ୍ରାସ କରିବା ବିଷୟ ଚିନ୍ତା କରାଯାଉଛି। କିନ୍ତୁ ସ୍ବାଭାବିକ ବର୍ଷାର ପରିମାଣ ପୁନଃଧାର୍ଯ୍ୟ ସମସ୍ୟାର ଉତ୍ତର ନୁହେଁ। ମୌସୁମୀର ଚରିତ୍ର ପରିବର୍ତ୍ତନ ଉପରେ ବିଶେଷଜ୍ଞ କମିଟି ଦ୍ବାରା ତ୍ବରାନ୍ବିତ ବେଗରେ ଅଧିକ ଅନୁଧୢାନ ଆବଶ୍ୟକ।

ଯଦି ମୌସୁମୀର ଚିତ୍ର ପ୍ରକୃତରେ ବଦଳୁଛି, ତେବେ ପାଣିପାଗ ପୂର୍ବାନୁମାନଠାରୁ ଆରମ୍ଭ କରି ଜଳ ସ˚ପଦର ସୁରକ୍ଷା, ସ˚ରକ୍ଷଣ, କୃଷି ପଦ୍ଧତି, ଫସଲ ଖସଡ଼ା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନୂଆ ଚିନ୍ତନ ଓ ପରିସ୍ଥିତିର ମୁକାବିଲା ପାଇଁ ନୂଆ ରଣନୀତି ସ୍ଥିର ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର

Comments are closed.