ବେଲୁଚିସ୍ତାନ ଦରଘାରେ ବିସ୍ଫୋରଣ, ୧୮ ମୃତ

ଇସ୍‌ଲାମାବାଦ : ବେଲୁଚିସ୍ତାନର ଝାଲ ମାଗିସ୍‌ ଜିଲ୍ଲାରେ ଅବସ୍ଥିତ ଫତେପୁର ସୁଫି ଦରଘାରେ ଆଜି ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୮ ଜଣ ନିହତ ହୋଇଛନ୍ତି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ପ୍ରାର୍ଥନା ପାଇଁ ଏହି ଦରଘାକୁ ଉଭୟ ସିହା ଓ ସୁନ୍ନି ସଂପ୍ରଦାୟର ଲୋକେ ପ୍ରତିଦିନ ଆସୁଥିବା ବେଳେ ସେମାନଙ୍କୁ ଟାର୍ଗେଟ୍‌ କରି ଏହି ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ ।ଏହି ଆତ୍ମଘାତୀ ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହା ପାକିସ୍ତାନୀ ତାଲିବାନର କାଣ୍ଡ ବୋଲି ସନ୍ଦେହ କରାଯାଉଛି ।

ବିସ୍ଫୋରଣରେ ଅନେକ ପୁଲିସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି । ଦରଘାରେ ସୟିଦ ଚିସାଲ୍‌ ଶାହଙ୍କ ଉଦ୍ଦେଶ୍ୟରେ ସମାରୋହ ଚାଲିଥିବା ବେଳେ ଜଣେ ଆତଙ୍କବାଦୀ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ବିସ୍ଫୋରଣ ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି। ଦଳାଚକଟାରେ ମଧ୍ୟ ଅନେକ ଆହତ ହୋଇଥିବା ଜଣାପଡ଼ିଛି। ଅଧିକ ଆକ୍ରମଣ ଆଶଙ୍କାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି ।

ପାକିସ୍ତାନୀ ତାଲିବାନ ଟାର୍ଗେଟ୍‌ରେ ଏହି ଅଂଚଳ ରହିଥିବା ବେଳେ ଏଠାରେ ଆଇଏସ୍‌ର ମଧ୍ୟ ଶକ୍ତିବୃଦ୍ଧି ହୋଇଛି। ୨୦୦୫ରେ ମଧ୍ୟ ଏହି ଦରଘାରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଘଟାଇଥିଲେ ଏବଂ ଏଥିରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିଲା। ବେଲୁଚିସ୍ତାନ ସରକାରଙ୍କ ପ୍ରବକ୍ତା କହିଛନ୍ତି ଯେ ପ୍ରଦେଶର ସମସ୍ତ ଧାର୍ମିକ ସ୍ଥଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର