ଦେଶର ୨୦ଟି ରାଜ୍ୟରେ ହୋଇପାରେ ଭୟଙ୍କର ଘୂର୍ଣ୍ଣିଝଡ଼; ଆଇଏମ୍‌ଡିର ସତର୍କ ସୂଚନା ପରେ କେନ୍ଦ୍ର ସରକାର ଜାରି କଲେ ଟୋଲ୍‌ ଫ୍ରି ହେଲପ୍‌ ଲାଇନ୍‌ ନମ୍ବର ୧୦୮

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଏହାର ପାର୍ଶ୍ୱବର୍ତ୍ତୀ ରାଜ୍ୟ ହରିୟାଣା, ଚଣ୍ଡୀଗଡ଼ ଓ ରାଜସ୍ଥାନ ଏବଂ ଉତ୍ତରଭାରତ ସମେତ ଦେଶର ୨୦ଟି ରାଜ୍ୟରେ ଆଜି (ମଙ୍ଗଳବାର) ସନ୍ଧ୍ୟା ପରଠାରୁ ଆସନ୍ତା ଦୁଇଦିନ ମଧ୍ୟରେ ଭୟଙ୍କର ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ଆଜି ମଧ୍ୟାହ୍ନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏକ ଅତ୍ୟନ୍ତ ଜରୁରୀ ସୂଚନା ଜାରି କରାଯାଇଛି। ଏହି ଘୂର୍ଣ୍ଣିବତ୍ୟା ସମୟରେ ପ୍ରବଳ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ସହ ୭୦ରୁ ୯୦ କିଲୋମିଟର ବେଗରେ ଏବଂ ସ୍ଥଳ ବିଶେଷରେ ୧୦୦ କିଲୋମିଟରରୁ ସୁଦ୍ଧା ଅଧିକ ବେଗରେ ପବନ ବହିବାର ଆଶଙ୍କା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି। ଆଇଏମ୍‌ଡି ପକ୍ଷରୁ ଜାରି ସତର୍କ ସୂଚନାକୁ ଦୃଷ୍ଟିରେ ରଖି ଦିଲ୍ଲୀ, ହରିୟାଣା, ଚଣ୍ଡୀଗଡ଼ ଓ ରାଜସ୍ଥାନର ସମସ୍ତ ବିଦ୍ୟାଳୟକୁ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି। ଘୂର୍ଣ୍ଣିବାତ୍ୟା କାଳରେ ଯଦି ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟରରୁ ଅଧିକ ବଢ଼େ ତେବେ ମେଟ୍ରୋ ରେଳସେବାକୁ ବନ୍ଦ କରି ଦିଆଯିବ ବୋଲି ଦିଲ୍ଲୀ ମେଟ୍ରୋ ପକ୍ଷରୁ ଘୋଷଣା କରାଯାଇଛି।

ଆଇଏମ୍‌ଡି ପକ୍ଷରୁ ଜାରି ସତର୍କ ସୂଚନା ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୂର୍ଣ୍ଣିବାତ୍ୟା ସମୟରେ ଲୋକମାନଙ୍କୁ ଘରୁ ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯିବା ସହ ପରିସ୍ଥିତିର ମୁକାବିଲା ପାଇଁ ଏକ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ଏହି ହେଲ୍‌ପଲାଇନର ନମ୍ବର ରହିଛି ୧୦୮। ଘୂର୍ଣ୍ଣିବାତ୍ୟା ଫସିଯାଇ ସାହାଯ୍ୟ ଲୋଡ଼ୁଥିବା ଲୋକମାନେ ଏହି ହେଲପ୍‌ଲାଇନ୍‌ ନମ୍ବରକୁ ଫୋନ୍‌ କରିପାରିବେ। ଉଉୟ ମୋବାଇଲ ଓ ଲାଣ୍ଡଲାଇନ୍‌ ନମ୍ବରରୁ ଏହି ହେଲପ୍‌ଲାଇନ୍‌ ନମ୍ବରକୁ ଫୋନ୍‌ କରାଯାଇ ପାରିବ। ୧୦୮ ନମ୍ବର ଡାଏଲ କରିବା ପୂର୍ବରୁ ଆଉ କୌଣସି କୌଣସି ପ୍ରକାରର ଅତିରିକ୍ତ ନମ୍ବର ଡାଏଲ କରିବାର ଆବଶ୍ୟତା ନାହିଁ ଏବଂ ଏହି ନମ୍ବରଟି ଟୋଲ ଫ୍ରି (ଦେୟମୁକ୍ତ) ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହି ଟୋଲ ଫ୍ରି ନମ୍ବରରେ ଫୋନ୍‌ କଲେ ୧୮ ମିନିଟ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର