ଗଠନ ହେବ ଏନ୍‌ଏସ୍‌ଆଇଏଲ୍‌; ଅନ୍ୟ ଦେଶକୁ ଇସ୍ରୋ ବିକ୍ରି କରିବ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ଓ ଯନ୍ତ୍ରପାତି

ବଜେଟ ଅଭିଭାଷଣରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ମହାକାଶ ଗବେଷଣା ଓ ଉନ୍ନୟନ କାର୍ଯ୍ୟକ୍ରମ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି ମୋଦି ୨.୦ ସରକାର। ସରକାରଙ୍କ ଏହି ଯୋଜନା ଅନୁଯାୟୀ ଏବେ ସରକାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ବିଶ୍ୱ ବଜାରରେ ବ୍ୟବସାୟୀକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଉଦ୍ଦେଶ୍ୟରେ ସରକାର ନିୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌) ନାମରେ ଏକ ନୂତନ ସଂସ୍ଥା ଗଠନ କରିବେ ଏବଂ ଏହି ନୂତନ ସଂସ୍ଥା ଇସ୍ରୋ ଅଧୀନରେ କାର୍ଯ୍ୟ କରିବ। ଏହି ବିଷୟରେ ଆଜି ସଂସଦରେ ନିଜ ବଜେଟ ଅଭିଭାଷଣରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ନିଜ ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇ କହିଛନ୍ତି ଯେ ଇସ୍ରୋର ବାର୍ଷିକ ବଜେଟର ପରିମାଣ ହେଉଛି ୧୦ ହଜାର କୋଟି ଟଙ୍କା (୧.୪୫ ବିଲିୟନ ଆମେରିକୀୟ ଡଲାର)। ଗତ ୫ ବର୍ଷ ତଳେ ଏହାର ଆକାର ଥିଲା ୬ ହଜାର କୋଟି ଏବଂ ଏଥିରେ କ୍ରମାଗତ ଭାବେ ଅଭିବୃଦ୍ଧି ଘଟିବାରେ ଲାଗିଛି। ଏବଂ ଏହାକୁ ଦୃଷ୍ଟିରେ ରଖି ସରକାର ଏହି ନୂତନ ଯୋଜନା ପ୍ରଣୟନ କରିଛନ୍ତି। ବିଶ୍ୱର ମହାକାଶ ବା ଅନ୍ତରୀକ୍ଷ ବ୍ୟବସାୟ କ୍ଷେତ୍ରରେ ଭାରତରେ ଏକ ସ୍ୱତନ୍ତ୍ର ସ୍ଥାନ ଗଠନ ଲକ୍ଷ୍ୟରେ ଭାରତ ସରକାର ନୂତନ ଭାବେ ଏହି ନିୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏସ୍‌ଆଇଏଲ୍‌) ସଂସ୍ଥା ଗଠନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସଂପ୍ରତି ଦେଶର ମହାକାଶ ଗବେଷଣା କ୍ଷେତ୍ରରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ଘଟିବା ସହ ଭାରତ ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛି। ତେଣୁ, ମହାକାଶ ଗବେଷଣା କ୍ଷେତ୍ରରେ ଦେଶର ଏହି ସଫଳତାର ବ୍ୟବସାୟୀକରଣ କରିବା ଲକ୍ଷ୍ୟ ନେଇ ଏହି ନୂତନ ସଂସ୍ଥାର ଗଠନ କରାଯାଇଛି। ଇସ୍ରୋର ଗବେଷଣାକୁ ଆଧାର କରି ଏହି ନୂତନ ସଂସ୍ଥା ମହାକାଶ ଗବେଷଣା ସଂକ୍ରାନ୍ତୀୟ ବିଭିନ୍ନ ଉପକରଣ ତଥା ମହାକାଶ ଯାନ ନିର୍ମାଣ କରିବା ସହ ଏହାକୁ ବିଶ୍ୱ ବଜାରରେ ବିକ୍ରୟ କରିବ।

ସମ୍ବନ୍ଧିତ ଖବର