ମୋଦି ବିରୋଧୀ ରାଲିରେ ଶତ୍ରୁଘ୍ନ, ଯଶୋବନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ ଆପ୍‌ର ‘ଜନ ବିରୋଧୀ ’ ରାଲିରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶୋବନ୍ତ ସିଂହ ନେତୃତ୍ୱ ନେଉଛନ୍ତି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ରାଲିରେ ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ସାମିଲ ହୋଇଛନ୍ତି। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ରାଲିରେ ସାମିଲ ହେବେ ନାହିଁ ବୋଲି ଜଣାପଡ଼ିଛି। ନିକଟରେ ଦିଲ୍ଲୀ ପ୍ରଶାସନିକ ଅସହଯୋଗକୁ ବିରୋଧ କରି ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଘରେ ଅନଶନରେ ବସିଥିବା କାରଣରୁ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବାରୁ ସେ ଏବେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ରର ମୋଦି ସରକାର ଓ ୟୁପିର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଅଘୋଷିତ ଜରୁରୀ ପରିସ୍ଥିତିକୁ ବିରୋଧ କରି ଆପ୍‌ ଏହି ଜନ ବିରୋଧୀ ରାଲି ଆୟୋଜନ କରିଛି। କେନ୍ଦ୍ରର ମୋଦି ସରକାର ୨୦୧୪ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏହାକୁ ବିରୋଧ କରି ଆପ୍‌ ୫ଟି ପର୍ଯ୍ୟାୟରେ ଏହି ରାଲି କରିବାକୁ ଯାଉଛି।
୨୦୧୯ ପୂର୍ବରୁ ମହାମେଣ୍ଟ ହେବନି!
ନୂଆଦିଲ୍ଲୀ,: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ବିଜେପି ବିରୋଧୀ ମହାମେଣ୍ଟ ନେଇ ପ୍ରସ୍ତୁତି ଚାଲିଛି। ସେପଟେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ୨୦୧୯ ପୂର୍ବରୁ ମହାମେଣ୍ଟ ହେବା ନେଇ ସେଭଳି କୌଣସି ପରିସ୍ଥିତି ସୃଷ୍ଟି ହୋଇନି। ପାଓ୍ଵାର କହିଛନ୍ତି ଯେ, ତାଙ୍କ ଆକଳନ ମୁତାବକ ୨୦୧୯ ପୂର୍ବରୁ ଏକ ରାଜ୍ୟଓ୍ଵାରୀସ୍ଥିତି ସୃଷ୍ଟି ହେବ। କିନ୍ତୁ ନିର୍ବାଚନ ପରେ ବିଜେପି ବିରୋଧୀ ମେଣ୍ଟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳ ପରେ ଅଣ ବିଜେପି ନେତା ଏକଜୁଟ ହୋଇ ବିଜେପିକୁ କ୍ଷମତା ଦଖଲରୁ ଦୂରେଇ ରଖିବା ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି। ସେପଟେ, ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଥିବା ଦଳଙ୍କୁ ଲୋକେ ବରବାଦ କରିଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର