ସନ୍ଥ ସମ୍ମିଳନୀ ଉଦ୍‌ଯାପିତ, ସରକାରଙ୍କୁ ଚରମବାଣୀ, ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ଆରମ୍ଭ ହେଉ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଜାନୁଆରିକୁ ଘୁଞ୍ଚିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତମ୍ବିତୋଫାନ ସୃଷ୍ଟି ହୋଇଛି। ଗୋଟିଏ ପଟେ ସନ୍ଥ ସମାଜ ଦିଲ୍ଲୀରେ ଧର୍ମାଦେଶ ସମ୍ମିଳନୀ ଆୟୋଜନ କରି ଅଧ୍ୟାଦେଶ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ୨୦୧୯ ନିର୍ବାଚନ ପାଇଁ ବିଜେପି ମନ୍ଦିର ପ୍ରସଙ୍ଗକୁ ନୂଆ ମୋଡ଼ ଦେଉଥିବା କହିଛନ୍ତି। ଆଜି ସନ୍ଥ ସମ୍ମିଳନୀରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ଯେ ଦେଶବାସୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଚାହୁଛନ୍ତି। ଏ କ୍ଷେତ୍ରରେ ଅଧ୍ୟାଦେଶ ଶେଷ ବିକଳ୍ପ ବୋଲି ସେ କହିଛନ୍ତି। ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ ଉଠାଇ ରବିଶଙ୍କର କହିଛନ୍ତି ଯେ ଏ ବାବଦରେ ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତି ଲୋକଙ୍କୁ ଆଘାତ ଦେଇଛି ଏବଂ ଅଯୋଧ୍ୟା ଶୁଣାଣି ଘୁଞ୍ଚିବା ମଧ୍ୟ ଲୋକଙ୍କୁ ନିରାଶ କରିଛି। ସନ୍ଥ ସମ୍ମିଳନୀରେ ସର୍ବସମ୍ମତିକ୍ରମେ ରାମ ମନ୍ଦିର ନିର୍ମାଣ ପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିବାକୁ ମତ ପ୍ରକାଶ ପାଇଥିବା ବେଳେ ଏ ଦିଗରେ ସରକାର ଟାଳଟୁଳ ନୀତି ଅବଲମ୍ବନ କଲେ ଚରମ ପରିଣତି ଭୋଗିବ ବୋଲି ଚେତାବନୀ ଦିଆଯାଇଛି। ସରକାର ଅଧ୍ୟାଦେଶ ଆଣିବା ସଂପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ମଧ୍ୟ କୁହାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ସରକାରଙ୍କୁ କୁହାଯାଇଛି। ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ରାମ ମନ୍ଦିର ନିର୍ମାଣ ସଂପର୍କରେ ଶୁଭ ଖବର ଦୀପାବଳି ପରେ ମିଳିବ।

ଆର୍‌ଏସ୍‌ଏସ୍‌ର ଆଭିମୁଖ୍ୟ ବିପଜ୍ଜନକ: ଏଆଇଏମ୍‌ପିଏଲ୍‌ବି
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୧୯୯୨ ଭଳି ଆନ୍ଦୋଳନ ଆରମ୍ଭ କରିବାକୁ ଆର୍‌ଏସ୍‌ଏସ୍‌ର ଘୋଷଣାକୁ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ଅତ୍ୟନ୍ତ ବିପଜ୍ଜନକ ବୋଲି କହିଛି। ମନ୍ଦିର ନିର୍ମାଣ ପାଇଁ ଏବେ ହଠାତ ସରଗରମ ସ୍ଥିତି ଉପୁଜିଯିବା ସଂପୂର୍ଣ୍ଣ ଭାବେ ରାଜନୈତିକ ବୋଲି ମୁସ୍‌ଲିମ ପର୍ସନାଲ ଲ ବୋର୍ଡର ମହାସଚିବ ମୌଲାନା ୱଲି ରହମାନୀ କହିଛନ୍ତି। ‌କେତେକ ସଂଗଠନ ଏବେ ମନ୍ଦିର ନିର୍ମାଣ ପାଇଁ ମାତ୍ରାଧିକ ସକ୍ରିୟତା ଦେଖାଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି। ବିଭେଦ ସୃଷ୍ଟିକାରୀ ନୀତିରୁ ସବୁ ସଂଗଠନ ଦୂରେଇ ରହିବା ଉଚିତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର