ଟ୍ରକ୍‌ ମାଡ଼ିଯାଇ ୨ ଯବାନ ମୃତ

ପଥର ଫିଙ୍ଗାଳିଙ୍କ ଆକ୍ରମଣ ବେଳେ

ଶ୍ରୀନଗର: ଜମ୍ମୁ-କଶ୍ମୀରର କୋକେରନାଗ ହିଲ୍ଲର ଅଞ୍ଚଳରେ ଆଜି ବିଚ୍ଛିନ୍ନତାବାଦୀମାନେ ସିଆର୍‌ପିଏଫ୍‌ର ଏକ ଗାଡ଼ି ଉପରକୁ ପଥରବର୍ଷା କରିବା ଫଳରେ ଏଥିଯୋଗୁଁ ଘଟିଥିବା ଦୁର୍ଘଟଣାରେ ଦୁଇଜଣ ଯବାନ ପ୍ରାଣ ହରାଇଛନ୍ତି। ପ୍ରବଳ ପଥର ମାଡ଼ ପରେ ସିଆର୍‌ପିଏଫ୍‌ର ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ସମ୍ମୁଖ ଦିଗରୁ ବାଇକ୍‌ରେ ଆସୁଥିବା ୨ ଜଣ ଯବାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ଟି ମଧ୍ୟ ଓଲଟି ପଡ଼ିବାରୁ ଆଉ କେତେକ ଯବାନ ଆହତ ହୋଇଥିବା ଖବର ମିଳିଛି । ସିଆର୍‌ପିଏଫ୍‌ ୧୨୬ ବାଟାଲିଅନ୍‌ ର ଯବାନମାନେ ନିତି ଦିନିଆ ରୁଟିନ୍‌ ଯାଞ୍ଚ କରୁଥିବା ବେଳେ ହିଲର ଅଞ୍ଚଳରେ କିଛି ବିଚ୍ଛିନ୍ନତାବାଦୀ ସେମାନଙ୍କ ଗାଡ଼ି ଉପରକୁ ଭୟଙ୍କର ପଥର ମାଡ଼ କରିଥିଲେ। ଡ୍ରାଇଭରଙ୍କ ମୁଣ୍ଡରେ ପଥର ବାଜିବା ଫଳରେ ସେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଗାଡ଼ିଟିି ନିୟନ୍ତ୍ରଣ ହରାଇ ଯବାନଙ୍କ ବାଇକ୍‌କୁ ଧକ୍କା ଦେବାରୁ ରିୟାଜ୍‌ ଅହମ୍ମଦ ଓ୍ଵାନୀ ଓ ନିସାର ଅହମ୍ମଦ ଓ୍ଵାନୀଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ କିଗାନ୍‌ ଗ୍ରାମରେ ସିଆର୍‌ପିଏଫ୍‌ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର