ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତି ରାଜ୍ୟସଭା ପ୍ରାର୍ଥୀ ହେବେ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରୁ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରାଜନୈତିକ ପୃଷ୍ଠଭୂମି ଥିବା ବ୍ୟକ୍ତି ପ୍ରାର୍ଥୀ ହେବେ। ନବୀନ କହିଛନ୍ତି, ୩ ଜଣ ରାଜନୈତିକ ପ୍ରାର୍ଥୀ ରାଜ୍ୟସଭାକୁ ଯିବେ। ଖୁବ୍‌ କମ୍‌ ଦିନରେ ଏହା ଘୋଷଣା କରାଯିବ।

ଦିନିକିଆ ଦିଲ୍ଲୀ ଗସ୍ତରୁ ଫେରି ରବିବାର ନବୀନ କହିଛନ୍ତି, ବିଜୁ ମ୍ୟୁଜିୟମ ଉଦ୍‌ଘାଟନ ଉତ୍ସବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାଇଥିଲି। ବରଗଡ଼ ଜିଲ୍ଲା ବିଜେପୁର ଉପ-ନିର୍ବାଚନ ସମ୍ପର୍କରେ ନୀବନ କହିଛନ୍ତି, ଆମ ପ୍ରାର୍ଥୀ ବହୁ ବ୍ୟବଧାନରେ ଜିତିବେ।

ସୂଚନାଯୋଗ୍ୟ, ଶେଷ ହେବାକୁ ଥିବା ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ରହିଛି। ନିର୍ବାଚନ କମିସନଙ୍କ ଘୋଷଣା ମୁତାବକ ନିର୍ବାଚନ ପାଇଁ ମାର୍ଚ୍ଚ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ମାର୍ଚ୍ଚ ୧୨ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନପତ୍ର ଗୁଡ଼ିକର ଯାଞ୍ଚ କରାଯିବ ଏବଂ ୧୫ ତାରିଖ ସୁଦ୍ଧା ନାମାଙ୍କନପତ୍ର ପତ୍ୟାହାର କରାଯାଇ ପାରିବ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି।

ମାର୍ଚ୍ଚ ୨୩ ତାରିଖରେ ମତଦାନ ହୋଇ ସେହିଦିନ ହିଁ ଭୋଟ ଗଣତି ହେବ। ଓଡ଼ିଶାର ରାଜ୍ୟସଭା ସଦସ୍ୟ ଅନଙ୍ଗ ଉଦୟ ସିଂ ଦେଓ, ଦିଲ୍ଲୀପ ତୀର୍କି ଓ ଏ.ଭି.ସ୍ୱାମୀଙ୍କ କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେବ। ଅପରପକ୍ଷେ ବିହାରରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କାର୍ଯ୍ୟକାଳ ମଧ୍ୟ ଏପ୍ରିଲ ୨ ତାରିଖରେ ଶେଷ ହେବ। ଏହି ୫୮ଟି ଆସନ ମଧ୍ୟରୁ ୧୦ଟି ଆସନ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି। ସେହିଭଳି ମହାରାଷ୍ଟ୍ର ଓ ବିହାରର ୬ଟି ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ଟି ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ଟି ଲେଖାଏଁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା ଓ ରାଜସ୍ଥାନର ୩ଟି ଲେଖାଏଁ, ଝାଡ଼ଖଣ୍ଡର ୨ଟି, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୋଟିଏ ଲେଖାଏଁ ଆସନ ପାଇଁ ନିର୍ବାଚନ ହେବ।

ସମ୍ବନ୍ଧିତ ଖବର