ଜୀବନ ସହ ଖେଳି ଏହି ପୁଲିସକର୍ମୀ ଦମ୍ପତ୍ତିଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପହାଡଗଞ୍ଜରେ ବୁଧବାର ସକାଳେ ଏକ ପ୍ଲାଷ୍ଟିକ୍‌ ଗୋଦାମ୍‌ରେ ନିଆଁ ଲାଗି ଯାଇଥିଲା। ଯେତେବେଳେ କୋଠାରେ ନିଆଁ ଲାଗିଥିଲା ସେତେବେଳେ ସେଠାରେ ଅନେକଲୋକ ଥିବା ସୂଚନା ମିଳିଥିଲା। ନିଆଁ ଲାଗିବା ଖବର ପାଇବମାତ୍ରେ ପୁଲିସକର୍ମୀ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଆରମ୍ଭ କରିଥିଲା। ଏସମୟରେ ଜଣେ ବ୍ୟକ୍ତି ନିଜ ଜୀବନକୁ ବଞ୍ଚାଇବା ପାଇଁ କୋଠା ଉପରୁ ଡେଇଁ ପଡ଼ି ଗୁରୁତର ଆହତ ମଧ୍ୟ ହୋଇଥିଲେ। ଏହି ନିଆଁରେ ଏକ ଦମ୍ପତ୍ତି ଗମ୍ଭୀର ଭାବେ ଫସି ଥିଲେ, ଯାହାକୁ ପୁଲିସ କର୍ମୀ ସୁରକ୍ଷିତ ଭାବେ ମୃତ୍ୟୁମୁଖରୁ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ନିଆଁ ଲାଗିବା ଖବର ପାଇବା ପରେ ପହାଡଗଞ୍ଜ ଥାନାରେ ଥିବା ହେଡ କନେଷ୍ଟବଳ ମନୋଜ କୁମାର, କନେଷ୍ଟବଳ ସନ୍ଦୀପ ଓ କନେଷ୍ଟବଳ ଅମିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ସେ ଦେଖିବାକୁ ପାଇଥିଲେ ନିଆଁ ତଳ ମହଲାରେ ଲାଗିଛି ଓ ଏକ ଦମ୍ପତ୍ତି ଦ୍ୱିତୀୟ ମହଲାରେ ଫସି ରହିଛନ୍ତି। ପୁଲିସକର୍ମୀ ପାଖ କୋଠର ଛାତରେ ପହଞ୍ଚିଥିଲେ। ଯେତେବେଳେ ପୁଲିସ କର୍ମୀ ନିଆଁ ଲାଗିଥିବା କୋଠା ଛାତ ଉପରେ ପହଞ୍ଚିଥିଲେ ମହିଳା ଛାତରୁ ଡେଇଁବା ପାଇଁ ଉଦ୍ୟମ କରୁଥିବା ବାଲକୋନିର ଝୁଲି ରହିଥିଲେ। ତିନିଜଣ ପୁଲିସକର୍ମୀଙ୍କ ମଧ୍ୟରୁ ଜଣେ ଝରକା ବାଟ ଦେଇ ମହିଳାଙ୍କ ହାତ ଧରି ପକାଇଥିଲେ। ସେତେବେଳେ ଅନ୍ୟ ପୁଲିସକର୍ମୀମାନେ ସ୍ଥାନୀୟଲୋକଙ୍କ ସାହାଯ୍ୟରେ ଏକ ଶିଢ଼ି ଲଗାଇ ଦେଇଥିଲେ। ଏହାପରେ ଝୁଲୁଥିବା ମହିଳାଙ୍କୁ ଉପରକୁ ଟାଣି ଆଣିଥିଲେ। ପରେ ତାଙ୍କ ସ୍ୱାମୀଙ୍କୁ ବି ନିଆଁ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପୁଲିସକର୍ମୀ ନିଜ ଜୀବନକୁ ତିଳେମାତ୍ର ଖାତିର ନକରି ଉକ୍ତ ଦମ୍ପତ୍ତିଙ୍କ ଜୀବନ ମୃତ୍ୟୁମୁଖରୁ ବଞ୍ଚାଇଥିବା ନେଇ ପ୍ରଶଂସାର ସୁଅ ତାଙ୍କ ପାଖକୁ ଛୁଟି ଆସୁଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟଲୋକମାନେ ପୁଲିସକର୍ମୀଙ୍କ ଏହି ଉଦ୍ଧାରକାର୍ଯ୍ୟର ଦୃଶ୍ୟକୁ କ୍ୟାମେରାରେ କୈଦ କରି ନେଇଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦିଲ୍ଲୀ ପୁଲିସ ତିନିଜଣ ପୁଲିସକର୍ମୀଙ୍କ ବାହାଦୁରି ପାଇଁ ସମ୍ମାନୀତ କରିବା ପାଇଁ ଘୋଷଣା କରିଛି।

ସମ୍ବନ୍ଧିତ ଖବର