ଓଳମ ଭେଣ୍ଡିଆ ଓ ରଥର ‘ବ୍ରେକ୍‌’

0 49

ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ରଙ୍କ ‘ଚଉଷଠି ବିନ୍ଧାଣି’ ବିବରଣୀ କିପରି ସାଂଖ୍ୟିକ ବିଭ୍ରାନ୍ତି ଓ ଦ୍ଵନ୍ଦ୍ୱାତ୍ମକ, ତାହାର କେତୋଟି ଦୃଷ୍ଟାନ୍ତ ନଦେଲେ ଦ୍ଵନ୍ଦ୍ୱ ଦୂର ହେବନାହିଁ।

ତାଙ୍କ ‘ଚଉଷଠି ବିନ୍ଧାଣି’ ତାଲିକାର କ୍ରମ ୫ ଓ ୬ ଯଥାକ୍ରମେ ‘କାଠପଟାଳି ଦଳେଇ’ ଓ ‘ଭେଳା ଦଳେଇ’। ସେବା ବିବରଣୀରୁ ‘ଭେଳା’ ଓ ‘ପଟାଳି’ ସମାର୍ଥବାଚକ ବୋଲି ଜଣାଯାଏ। ‘ଭେଳା ଦଳେଇ’ ପ୍ରସଙ୍ଗରେ ସେ ଲେଖିଛନ୍ତି, ଏହି ସେବକ ‘‘କାଠଗଣ୍ଡିଗୁଡ଼ିକୁ ତିଥି-ବାର ଦେଖି ଭେଳା ବାନ୍ଧନ୍ତି।’’ ସେହିପରି ‘ପଟାଳି ଦଳେଇ’ ବାବଦରେ ସେ ଲେଖିଛନ୍ତି, ଏହି ସେବକ ‘‘ଶ୍ରୀଜଗନ୍ନାଥଙ୍କ ପତାକା ନେଇ ନଈରେ କାଠଗଣ୍ଡିଗୁଡ଼ିକ ପଟାଳି କରି ଛାଡ଼ନ୍ତି।’’ ତାଙ୍କ ବିବରଣୀର କ୍ରମ-୮, ‘କାଠପଟାଳି ଘଣ୍ଟୁଆ’ ବାବଦରେ ମଧ୍ୟ ଲେଖା ଅଛି, ‘‘କାଠପଟାଳି ଉପରେ ବସି ଘଣ୍ଟା ବଜାଇ ନଦୀରେ ଆସନ୍ତି।’’ ଏଥିରୁ ମଧ୍ୟ ‘ଭେଳା’ ଓ ‘ପଟାଳି’ ସମାର୍ଥବାଚକ ବୋଲି ସୂଚିତ ହୁଏ। ହୁଏତ ରଥକାଠଗୁଡ଼ିକୁ ଅନେକଗୁଡ଼ିଏ ଭେଳାରେ ବାନ୍ଧିବା ପରେ, ସେହିସବୁ ଭେଳାକୁ ପଛକୁପଛ ଛାଡ଼ିବାକୁ ‘ପଟାଳି’ କୁହାଯାଉଥାଇପାରେ। ‘ପଟାଳି ଘଣ୍ଟୁଆ’ ସେହିସବୁ ଭେଳା ମଧ୍ୟରୁ ଆଗରେ ଥିବା ଭେଳାଟିରେ ବସି ଘଣ୍ଟ ବଜାଇ ନଦୀପଥରେ ଆସୁଥାଇପାରନ୍ତି। କିନ୍ତୁ ଏଥିରେ ରଥର ‘ବିନ୍ଧାଣି’ କାମ କିଛି ନାହିଁ। ଏହା ରଥକାଠ ସଂପର୍କିତ ଏକ ଏକ ସେବା।

ଡକ୍ଟର ମିଶ୍ରଙ୍କ ତାଲିକାର କ୍ରମ-୨୦ରେ ଥିବା ‘ଦେଉଳ ପୁରୋହିତ’ଙ୍କ ବିବରଣୀ ମଧ୍ୟ ଏହିପରି ବିଭ୍ରାନ୍ତି ସୃଷ୍ଟି କରେ। ଏ ସଂକ୍ରାନ୍ତ ବିବରଣୀରେ ଉଲ୍ଲେଖ ଅଛି, ‘‘କାଠ ଅନୁକୂଳ ପୂଜା ସଂକ୍ରାନ୍ତ ସେବକ।’’ ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥଙ୍କ ରଥନିର୍ମାଣ ସଂକ୍ରାନ୍ତ ନୀତି ମଧ୍ୟରେ ‘କାଠ ଅନୁକୂଳ’ ଓ ‘ରଥ ଅନୁକୂଳ’ ଦୁଇଟି ଭିନ୍ନ ଭିନ୍ନ ନୀତି। ‘କାଠ ଅନୁକୂଳ’ ଶ୍ରୀପଞ୍ଚମୀ ତିଥିରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ହେଉଥିବାବେଳେ, ‘ରଥ ଅନୁକୂଳ’ ଅକ୍ଷୟତୃତୀୟା ଦିନ ରଥଖଳାଠାରେ ହୋଇଥାଏ। କାଠ ଅନୁକୂଳରେ ଆଜ୍ଞାମାଳ ଆସୁନଥିବାବେଳେ, ରଥ ଅନୁକୂଳରେ ଆଜ୍ଞାମାଳ ଆସିଥାଏ। କାଠ ଅନୁକୂଳର ସଂସ୍କାରପୂଜା ରାଜଗୁରୁ ସେବକ କରୁଥିବାବେଳେ ରଥଅନୁକୂଳର ହୋମ ଓ ଅସ୍ତ୍ରପୂଜା ଦେଉଳ ପୁରୋହିତ କରିଥାଆନ୍ତି। (ଏ ସଂପର୍କରେ ରଥକଥା-୨, ୩, ୪ ଓ ୬ରେ ବିଶଦ ବିବରଣୀ ଦିଆଯାଇଛି)।

Panda Mobile only

ଅନ୍ୟ ଗୋଟିଏ ହେଉଛି ତାଙ୍କ ତାଲିକାର କ୍ରମ-୨୫ରେ ଉଲ୍ଲିଖିତ ‘ଓଳମ ଭେଣ୍ଡିଆ’। ଏହି ବିନ୍ଧାଣିଙ୍କ କାର୍ଯ୍ୟ ବିବରଣୀରେ, ‘‘ରଥର ବ୍ରେକ୍‌ ତିଆରି କରନ୍ତି ଓ ରଥ ଚାଲିବାବେଳେ ଦାୟିତ୍ଵରେ ରହନ୍ତି’’ ବୋଲି ସେ ଉଲ୍ଲେଖ କରିଥିଲେ ମଧ୍ୟ, ଅନ୍ୟ କେତେକ ବିବରଣୀରେ ଏହାଙ୍କର କାମ ଭିନ୍ନ ବୋଲି ବର୍ଣ୍ଣିିତ ହୋଇଛି। ଅନ୍ୟ ବିବରଣୀରେ କୁହାଯାଇଛି- ଏହି ସେବକ ରଥର ଚାରି ନାହାକାଠାରୁ ଷୋଳ ନାହାକା ଯାଏ ତଥା ଅନ୍ୟାନ୍ୟ କାଠ ଖଞ୍ଜିବା ସମୟରେ ଓଳମ ଧରି ରଥ ନିୟନ୍ତ୍ରକ ପ୍ରସ୍ତୁତ କରିଥାଆନ୍ତି।

ଏହା ମଧ୍ୟ ଯଥାର୍ଥ ମନେହୁଏ। କାରଣ ଓଳମ (ପ୍ରକୃତ ଶବ୍ଦ ‘ଓଳନ’)ର କାମ ହେଉଛି, କୌଣସି ନିର୍ମାଣ ଯେପରି ଉପରକୁ ସିଧା ହୋଇ ଉଠେ- ତାହାର ନିୟନ୍ତ୍ରଣ। ଏ ସଂପର୍କରେ (‘ଓଳନ’ ସଂପର୍କରେ) ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ରେ କୁହାଯାଇଛି, ଏହା ‘‘ରାଜମିସ୍ତ୍ରୀଙ୍କ ବ୍ୟବହୃତ, ମୁଣ୍ଡରେ ସିସା ଦିଆଯାଇଥିବା ସୂତା। କାନ୍ଥ ସିଧାରେ ଉଠୁଛି କି ବଙ୍କା ହେଉଅଛି, ଏହା ଦେଖିବା ନିମନ୍ତେ ରାଜମିସ୍ତ୍ରୀମାନେ ଯେଉଁ ସୂତା ବ୍ୟବହାର କରନ୍ତି।’’ ଚାରିନାହାକାଠାରୁ ଷୋଳ ନାହାକା ପର୍ଯ୍ୟନ୍ତ ନିର୍ମାଣଗୁଡ଼ିକ ହିଁ ବସ୍ତୁତଃ ରଥର ଊଦ୍ଧ୍ଵର୍ମୁଖୀ ନିର୍ମାଣର ଗୁରୁତ୍ଵପୂର୍ଣ୍ଣ ଅଂଶ ଏବଂ ଏହା ବଙ୍କା ନହୋଇ ସିଧା ଭାବରେ ନିର୍ମାଣ ହେବା ଅତ୍ୟାବଶ୍ୟକ।

କିନ୍ତୁ ଡକ୍ଟର ମିଶ୍ର ଏହି ବିନ୍ଧାଣି ବା ଏହି ସେବକଙ୍କ କାମକୁ ରଥର ‘ବ୍ରେକ୍‌’ ନିର୍ମାଣ ଓ ରଥଚାଳନା ସହିତ ସଂଶ୍ଳିଷ୍ଟ କରିଛନ୍ତି। ପ୍ରକୃତରେ ତିନିରଥର ବ୍ରେକ୍‌ ପ୍ରତିବର୍ଷର ରଥ ସହିତ ନିର୍ମାଣ କରାଯାଇନଥାଏ। ସାରଥି, ଅଶ୍ୱ, ପାର୍ଶ୍ୱଦେବଦେବୀ, ଓଲଟଶୁଆ ଆଦିଙ୍କ ପରି ନବକଳେବର ବର୍ଷ ହିଁ ତିନିରଥର ତିନିଟି ବ୍ରେକ୍‌ ନିର୍ମିତ ହୋଇ ପରବର୍ତ୍ତୀ ନବକଳେବର ପର୍ଯ୍ୟନ୍ତ ରହିଥାଏ। ଏହା ଶାଳ କାଠରେ ନିର୍ମିତ ହୁଏ। ରଥ ଚାଲିବା ସମୟରେ ମଧ୍ୟ ଓଳମ ଭେଣ୍ଡିଆ ରଥର ‘ବ୍ରେକ୍‌’ ଦାୟିତ୍ଵରେ ରହିନଥାନ୍ତି। ବ୍ରେକ୍‌ର ନିର୍ମାଣ ବିଶ୍ୱକର୍ମା ସେବକ କରିଥାନ୍ତି ଏବଂ ରଥ ଚାଲିବା ସମୟରେ ଭୋଇସେବକ ଏହାର ପକା-ଉଠା କରି ରଥର ଗତି ନିୟନ୍ତ୍ରଣ କରନ୍ତି।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର

Leave A Reply

Your email address will not be published.