ଡାଇବେଟିସ୍‌ ଉପସମ ପାଇଁ ଏଇ ପତ୍ର ଅବ୍ୟର୍ଥ

କଇଁଚିକାକୁଡ଼ି, ବନକୁନ୍ଦୁରି ବା ବିମ୍ବିଫଳ ହେଉଛି ଧଳାଫୁଲ ଫୁଟୁଥିବା ଲତାଜାତୀୟ ଏକ ଗୁଳ୍ମ। ଫଳ ଦେଖିବାକୁ କୁନ୍ଦୁରି ପରି। ପାଚିଲେ ଲାଲ୍‌ ଟହ ଟହ ଦିଶେ। ସାଧାରଣତଃ ମାଈଲତାକୁ କଇଁକାକୁଡ଼ି ଏବଂ ଅଣ୍ଡିରାଲତାକୁ ଗୋରୁଖିଆ ବୋଲି କୁହାଯାଏ। କେତେକ ଏହାକୁ ବନ କୁନ୍ଦୁରି ମଧ୍ୟ କହନ୍ତି। କ୍ରାନ୍ତୀୟ ଅଞ୍ଚଳରେ ଭଲ ଉଧାଉ ଥିବା ଏହି ଲତାଟିର ଔଷଧୀୟ ଗୁଣ ଅସୁମାରି।

ଆୟୁର୍ବେଦ, ସିଦ୍ଧ ୟୁନାନୀ ଓ ହୋମିଓପାଥିରେ ଏହାର ବହୁଳ ବ୍ୟବହାର ଦେଖାଯାଏ। ଅନ୍ୟାନ୍ୟ ଅନେକ ରୋଗ ଉପସମ କରୁଥିଲେ ବି ମଧୁମେହ ଦମନ ପାଇଁ ଏହାର ପତ୍ର ବହୁଳ ବ୍ୟବହୃତ।

ବହୁ କାଳରୁ ଏହା ମଧୁମେହ ବା ଡାଇବେଟିସ୍‌ ରୋଗ ଉପସମ କରାଇବାରେ ବ୍ୟବହୃତ ହୋଇ ଆସୁଛି। ଦୈନିକ କଇଁଚିକାକୁଡ଼ି ପତ୍ରର ରସ ପାନ କଲେ ମଧୁମେହ ନିୟନ୍ତ୍ରଣରେ ରହେ। ମଧୁମେହ ଉପସମ ପାଇଁ କେତୋଟି ପତ୍ରରୁ କେତେ ରସ ବାହାର କରି ପାନ କରିବେ ତାହା ଆୟୁର୍ବେଦ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।

ଏହାର କଞ୍ଚାପତ୍ର ଚୋବାଇଲେ ତୁଣ୍ଡ ଘା ଭଲ ହୋଇଯାଏ। ପତ୍ରକୁ ଛେଚି ଘା’ବଥରେ ଲଗାଇଲେ ଉପସମ ମିଳେ। ଏହାର ଫଳ ଖାଇଲେ ଗ୍ରନ୍ଥି ଓ କାଶ ବେମାରି ଭଲ ହୁଏ। ରାଶି ତେଲରେ ଏହାର ପତ୍ରକୁ ଭାଜି ସେ ତେଲକୁ ରିଙ୍ଗ୍‌ଓ୍ଵାର୍ମ, ସୋରିଆସିସ୍‌ ଏବଂ କୁଣ୍ଡିଆରେ ଲେପନ କରାଯାଏ।

ପତ୍ରର ରସ ପିଇଲେ ମାମୁଲି ବୃକ୍କ ସମସ୍ୟା ଦୂର ହେବା ସହ ପରିସ୍ରାରେ ବିଷାକ୍ତ ପଦାର୍ଥ ବାହାରି ଯାଏ। କେତେକୁ ଯୌନ ସଂକ୍ରମଣଜନିତ ରୋଗ ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ। ଖାଇବା ପରେ ଏହା ପତ୍ରରୁ କେତୋଟି ଚୋବାଇ ଖାଇଲେ ହଜମକ୍ରିୟାରେ ସହାୟକ ହେବା ସହ କୋଷ୍ଠ ପରିଷ୍କାର କରିଥାଏ। ଏହାର ପତ୍ର ଓ କଅଁଳ ଲତାକୁ ଝୋଳ କରି ଭାତ ସହ ଖିଆଯାଏ। ଏହାର ଚେରକୁ ଗୁଣ୍ଡ କରି ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଦୁଇ ଚା ଚାମଚ ଖାଇଲେ କୋଷ୍ଠବଦ୍ଧତା ରୋଗରୁ ଉପସମ ମିଳେ।

କାଶ, କଫ, ଶ୍ୱାସପ୍ରଶ୍ୱାସ ଜନିତ ଅସୁସ୍ଥତା, କୃମି, କୁଣ୍ଡିଆ, ସାଇନନ୍‌, ଜ୍ୱର, ଜ୍ୱାଳା, ଫୁଲା ଏବଂ ରକ୍ତହୀନତା କ୍ଷେତ୍ରରେ ମଧ୍ୟ କଇଁଚି କାକୁଡ଼ି ଲତା ବ୍ୟବହୃତ ହୁଏ।

ଶରୀରରେ କଇଁଚିକାକୁଡ଼ି ପତ୍ର ଶୀତଳତା ଆଣି ଝାଳ ବୁହାଇ ଦେଉଥିବାରୁ ଜ୍ୱର କମିଯାଇ ଥାଏ।

ବି. ଦ୍ର: କଇଁଚିକାକୁଡ଼ି ଏବଂ ଅନ୍ୟାନ୍ୟ ଔଷଧୀୟ ଗଛବୃଚ୍ଛ ବ୍ୟକ୍ତି ଓ ରୋଗ ବିଶେଷରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଇ ଥାଆନ୍ତି। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଆୟୁର୍ବେଦ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରି।

ସମ୍ବନ୍ଧିତ ଖବର