ଡିଭିଲିୟର୍ସଙ୍କ ବିସ୍ଫୋରକ ଇନିଂସ୍, ଦିଲ୍ଲୀ ଡେୟାରଡେଭିଲ୍ସକୁ ୫ ୱିକେଟରେ ହରାଇଲା ରୟାଲଚାଲେଞ୍ଜର୍ସ ବାଙ୍ଗାଲୋର

ନୂଆଦିଲ୍ଲୀ : ଦିଲ୍ଲୀର ଐତିହାସିକ ଫିରୋଜଶାହା କୋଟଲା ଗ୍ରାଉଣ୍ଡଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୫ ତମ ମ୍ୟାଚରେ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର  ଦିଲ୍ଲୀ ଡେୟାରଡେଭିଲ୍ସକୁ  ୫ ୱିକେଟରେ ହରାଇ ଦେଇଛି ।  ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି  ମାତ୍ର ୪୦ ବଲରେ ୭୦ ରନ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ । ସେହିପରି ଏବି ଡିଭିଲିୟର୍ସ ୩୭ ବଲରେ  ୭୨ ରନ କରି ଦଳକୁ ବିଜୟ ଦେଇଥିଲେ । ନିଜର ଏହି ଇନିଂସରେ ଏବି ୬ଟି ଆକର୍ଷଣୀୟ ଛକା ଓ ୪ଟି ଚୌକା ମାରିଥିଲେ । ଏହା ପୂର୍ବରୁ  ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ଦିଲ୍ଲୀ ନିଜର ଦୁଇ ଓପନର ପୃଥ୍ଵୀ ଶାହ ଓ ଜାସନ ରଏ ଙ୍କୁ ଶୀଘ୍ର ହରାଇଥିଲା । କିନ୍ତୁ ଶ୍ରେୟାସ ଆୟାର ଓ ରିଷଭ ପନ୍ତଙ୍କ ଲଢୁଆ ବ୍ୟାଟିଂ ଓ ଶେଷ ବେଳକୁ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇନିଂସ ବଳରେ ଦିଲ୍ଲୀ ୧୮୧ ରନ କରିପାରିଥିଲା । ରିଷଭ ପନ୍ତ ୩୪ ବଲରେ ୬୧ ଓ ଅଭିଷେକ ଶର୍ମା ୧୯ ବଲରେ ୪୬ ରନ ସଂଗ୍ରହ କରିଥିଲେ । ବାଙ୍ଗାଲୋର ପକ୍ଷରୁ ଯୁଜଭେନ୍ଦର ଚହଲ ୨ଟି ଓ ମୋଇନ ଅଲ୍ଲି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଚଳିତ ବର୍ଷର ଆଇପିଏଲ ବେଶ ନୈରାଶ୍ୟଜନକ ରହିଛି । ଦଳ ୧୨ଟି ମ୍ୟାଚ ଖେଳି ମାତ୍ର ୩ଟି ଜିତି ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ତଳେ ରହିଛି ।  ଆଜିର ପରାଜୟ ସହ ଦିଲ୍ଲୀ ଆଇପିଏଲର ପ୍ଲେ ଅପକୁ ଯିବା ଅସମ୍ଭବ ହୋଇପଡିଛି । ତେବେ ବାଙ୍ଗାଲୋର ଦଳ ଏହି ବିଜୟ ସହ  ୧୧ ଟି ମ୍ୟାଚ ଖେଳି  ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର