ଜାତୀୟ ବରିଷ୍ଠ ମହିଳା ମୁଷ୍ଟିଯୁଦ୍ଧ: ହରିଆନାର ଆଧିପତ୍ୟ ଜାରି

ବ୍ରହ୍ମପୁର: ସପ୍ତଦଶ ଜାତୀୟ ମହିଳା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ହରିଆନାର ଆଧିପତ୍ୟ ଜାରି ରହିଛି। ବୁଧବାର ସମସ୍ତ ୧୦ ବର୍ଗର ସେମିଫାଇନାଲ ମୁକାବିଲା ହୋଇଥିଲା ବେଳେ ହରିଆନା ୭ ଫାଇନାଲ୍‌ରେ ପହଞ୍ଚିଯାଇଛି। ସେମିଫାଇନାଲ୍‌ରେ ହରିଆନା ପ୍ରତିଯୋଗୀମାନେ ଦମ୍‌ଦାର୍‌ ପ୍ରଦର୍ଶନ କରି ନିଜ ନିଜ ମୁକାବିଲା ଜିତ ନେଇଛନ୍ତି। ଅନ୍ୟପକ୍ଷରେ ଆଣ୍ଡାମାନର ୩ ଖେଳାଳି ଫାଇନାଲକୁ ଉନ୍ନୀତ ହୋଇ ଅନ୍ୟ ଦଳମାନଙ୍କୁ ପଛରେ ପକାଇ ଦେଇଛନ୍ତି। ୪୫-୪୮ କେଜି ବର୍ଗର ଫାଇନାଲ ମୁକାବିଲା ଆଣ୍ଡାମାନର ରିତୁ ଓ ଛତିଶଗଡ଼ର ରବୀନାଙ୍କ ମଧ୍ୟରେ ଖେଳାଯିବ। ୫୧ କେଜି ବର୍ଗରେ ଆସାମର ପଦ୍ମା ଛେତ୍ରୀ ଓ ହରିୟାନାର ପ୍ରୀତି, ୫୪ କେଜି ବର୍ଗରେ ପଂଜାବର ରିୟା, ଓ ଛତିଶଗଡ଼ର ଭାରତୀ ପୋଶଓ୍ଵାଲ, ୫୭ କେଜି ବର୍ଗରେ ହରିଆନାର ମନୀଶା ଓ ପଂଜାବର ହରମନ୍‌ଦୀପ, ୬୦ କେଜି ବର୍ଗରେ ଆସାମର ସୁମଳା ଡୋଲେ, ହରିଆନାର ସିଓ୍ଵି, ୬୪ କେଜି ବର୍ଗରେ ନାଗାଲାଣ୍ଡର ଅନୁ, ଆଣ୍ଡାମାନ୍‌ର ଦୀକ୍ଷା, ୬୯ କେଜି ବର୍ଗରେ କର୍ଣ୍ଣାଟକର ଅଂଜୁ ବାଲା, ହରିଆନାର ପୂଜା, ୭୫ କେଜି ବର୍ଗରେ ଆଣ୍ଡାମାନର ପ୍ରିୟଙ୍କା ତେଓ୍ଵତିଆ, ହରିଆନାର ସୋନିଆ ଦେବୀ, ୮୧ କେଜି ବର୍ଗରେ ତେଲେଙ୍ଗାନାର ମାଲିପ୍ରିୟା ମାଥୁରୀ, ହରିଆନାର ସୁନୈନା, ୮୧ କେଜିରୁ ଅଧିକ ବର୍ଗରେ ହରିଆନାର ପ୍ରୀତି ଓ ନାଗାଲାଣ୍ଡର ପୂଜା ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ବୁଧବାର ବ୍ରହ୍ମପୁର ମହାନଗର ନିଗମ ମେୟର୍‌ କେ ମାଧବୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ଡ. ରାଜେନ୍ଦ୍ର ପ୍ରସାଦ ଦାସ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଗୁରୁବାର ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର