ବରଗଡ଼ରେ ସିଟି ହସ୍ପିଟାଲ ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବରଗଡ଼ ସାଂସଦ

ବରଗଡ଼: ସ୍ଥାନୀୟ ସାଂସଦ ସୁରେଶ ପୂଜାରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସହରବାସୀଙ୍କ ଅସୁବିଧା ସଂପର୍କରେ ଅବଗତ ହେବା ପରେ ବରଗଡ଼ ସାଂସଦ ଶ୍ରୀ ପୂଜାରୀ ବରଗଡ଼ ସହରରେ ସିଟି ହସ୍‌ପିଟାଲ ଖୋଲିବାକୁ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ନବନିର୍ମିତ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଉଦଘାଟନ କରିଥିଲେ। ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲାରେ ନବନିର୍ମିତ କୋଠା ସହରଠାରୁ ୧୦ କିଲୋମିଟର ଦୂରରେ ଥିବାରୁ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଯିବା ଆସିବା ପାଇଁ ଅସୁବିଧା ହେଉଛି। ସହର ମଧ୍ୟରୁ ନବନିର୍ମିତ ହସ୍‌ପିଟାଲକୁ ବସ୍‌ ୨ ଥର ଯିବା ଆସିବା କରୁଛି। ତେଣୁ ରୋଗୀ ସଂପର୍କୀୟଙ୍କ ବାରମ୍ବାର ହସ୍‌ପିଟାଲ ଯିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ରାତି ସମୟରେ ଲୋକେ ଅଧିକ ହଇରାଣ ହେଉଛନ୍ତି।

ଉପରୋକ୍ତ ଅସୁବିଧାକୁ ଦେଖି ବିଗତ ୨ ଦିନ ହେବ ବରଗଡ଼ରେ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପକ୍ଷରୁ ରାସ୍ତାରୋକ ହୋଇଛି। ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ସିଟି ହସ୍ପିଟାଲ ଖୋଲିବାକୁ ଦାବି କରିଛନ୍ତି।

ସହରବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ରବିବାର ବରଗଡ଼ ଲୋକସଭା ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର