ରାଜ୍ୟ ଉପରକୁ ଦାୟିତ୍ୱ ଠେଲିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ପେଟ୍ରୋଲ୍‌, ଡିଜେଲ୍‌ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ଚାପ ପଡୁଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ କୌଣସି ସକାରାତ୍ମକ ପ୍ରତିକ୍ରିୟା ରଖିନାହାନ୍ତି। କେନ୍ଦ୍ର ସରକାର ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରିବେ, ସେ ନେଇ ସୂଚନା ପରିବର୍ତେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଓଲଟା ରାଜ୍ୟ ସରକାରଙ୍କ ଉପରକୁ ଦାୟିତ୍ୱ ଠେଲିଦେଇଛନ୍ତି। କହିଛନ୍ତି, ଅକ୍ଟୋବରରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍‌କ କମାଇଛନ୍ତି, ଏବେ ରାଜ୍ୟ ସରକାରଙ୍କ ପାଳି। ରାଜ୍ୟ ସରକାରଙ୍କୁ ଟିକସ କମାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ରାଜ୍ୟବାସୀଙ୍କୁ ଆଚମ୍ବିତ କରିଥିବା ବେଳେ ଏପଟେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଜବାବ ଦେଇ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଦାୟିତ୍ୱରୁ ଖସିବା ପାଇଁ ବାହାନା କରୁଛନ୍ତି। ତେବେ ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର-ରାଜ୍ୟ ତୁ ତୁ ମେ ମେ ଜାରି ରହିଥିଲେ ହେଁ ସାଧାରଣ ଲୋକଙ୍କ ଦୁର୍ଦଶା ସାଂଘାତିକ ସ୍ଥିତିରେ ପହଞ୍ଚିଲାଣି।

ଆଜି ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଥିଲେ, ତେଲ ଦର ଦୁଇଟି କାରଣରୁ ବୃଦ୍ଧି ପାଉଛି। ଆନ୍ତର୍ଜାତିକ ସ୍ତରରେ କିଛି ଘଟଣାକ୍ରମ ଏଥିପାଇଁ ମୁଖ୍ୟତଃ ଦାୟୀ। ତେଲ ଉତ୍ପାଦନକାରୀ ଦେଶଗୁଡ଼ିକରେ ତେଲ ଉତ୍ପାଦନ କମାଇବାର ନିଷ୍ପତ୍ତି ଓ ଦୁଇଟି ବଡ଼ ତେଲ ଉତ୍ପାଦନକାରୀ ଦେଶର ଆଭ୍ୟନ୍ତରୀଣ ରାଜନୈତିକ ସମସ୍ୟା ଆନ୍ତର୍ଜାତିକ ସ୍ତରରେ ତେଲ ଦରକୁ ପ୍ରଭାବିତ କରୁଛି। ଡଲାର ଓ ଭାରତୀୟ ମୁଦ୍ରାର ଯେଉଁ ଅସନ୍ତୁଳନ ହୋଇଛି, ତାହା ଯୋଗୁଁ ବି ତେଲ ଦର ବଢ଼ୁଛି। ତେଲ ଉପରୁ ଯେଉଁ ଟିକସ ଆଜି ଆଦାୟ କରାଯାଉଛି, ସେଥିରୁ ଅଧା ଟିକସ ରାଜ୍ୟ ଓ ଅଧା ଟିକସ କେନ୍ଦ୍ର ଆଦାୟ କରୁଛି। ତେଲ ଦର କମିବା ପାଇଁ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବାକୁ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟର ମତ ଦେଇଆସୁଛି। ଟିକସ କମାଇବା ଦାୟିତ୍ୱ କେବଳ କେନ୍ଦ୍ରର ନୁହେଁ। ଅକ୍ଟୋବର ମାସରେ ଆମେ ୨ ଟଙ୍କା ଉତ୍ପାଦ ଶୁଳ୍‌କ କମାଇଥିଲୁ। କିନ୍ତୁ ରାଜ୍ୟ ସରକାର କମାଇ ନ ଥିଲେ। ଓଡ଼ିଶାରେ ୨୬% ଟିକସ ରାଜ୍ୟ ସରକାର ଆଦାୟ କରୁଛନ୍ତି। ରାଜ୍ୟ ସରକାର ତାହାକୁ କମାଇବାକୁ ପଦକ୍ଷେପ ନିଅନ୍ତୁ। ଦୀର୍ଘକାଳୀନ ଭିତ୍ତିରେ ତେଲ ଦର କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ନେଇ କେନ୍ଦ୍ର ସରକାର ଏ ନେଇ ବିଚାର ବିମର୍ଷ କରୁଛନ୍ତି। ନିଶ୍ଚିତ ଭାବେ କିଛି ନିଷ୍ପତ୍ତି ନିଆଯିବ।

କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟର ଜବାବ ଦେଇ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନିଜକୁ ବିଶ୍ଳେଷଣ କରିବା ଦରକାର। ରାଜ୍ୟ ସରକାର ୨୬% ଭାଟ୍‌ ଆଦାୟ କରୁଥିଲା ବେଳେ ଅନେକ ବିଜେପି ଶାସିତ ରାଜ୍ୟ ୩୦ରୁ ୩୫% ଭାଟ୍‌ ଆଦାୟ କରୁଛନ୍ତି। ତାହା ବାଦ୍‌ ଅତିରିକ୍ତ ସେସ୍‌ ବି ଆଦାୟ କରାଯାଉଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍‌କ ଅଧିକ ଆଦାୟ କରୁଛନ୍ତି। ପ୍ରଥମେ କେନ୍ଦ୍ର ସରକାର ନିଜ ଟିକସ କମାନ୍ତୁ। ତାହା ପରେ ରାଜ୍ୟକୁ କହିବେ। ନିଜ ଦାୟିତ୍ୱକୁ ଖସାଇବା ପାଇଁ ଏପରି ବାହାନା କରିବା ଉଚିତ ନୁହେଁ। ନିଜ ଦାୟିତ୍ୱ ଓ ବିଫଳତାକୁ ଘୋଡ଼ାଇବା ପାଇଁ ସେ ଏପରି କହୁଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଜିଏସ୍‌ଟି ସଂକ୍ରାନ୍ତରେ ପ୍ରସ୍ତାବ ଆଣନ୍ତୁ। ରାଜ୍ୟମାନେ ନିଶ୍ଚିତ ସହମତି ପ୍ରକାଶ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର