ଚାପ ବଢ଼ିଲା : ୧୧ ଦିନ ହେଲା ବାଟ ବାହାରିପାରୁନି

ଭୁବନେଶ୍ୱର (ଆଜି) : ପେଟ୍ରୋଲ ୭୬ ଟଙ୍କା ୬୪ ପଇସା, ଡିଜେଲ ୭୩ ଟଙ୍କା ୭୦ ପଇସା

ଭୁବନେଶ୍ୱର : ନିର୍ବାଚନୀ ବର୍ଷରେ ତେଲ ଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପାଇଁ ପ୍ରବଳ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ବଜାର ଉପରେ ଏହାର ଜୋରଦାର ପ୍ରଭାବ ପଡ଼ୁଥିବା କାରଣରୁ ତେଲ ଦର ବୃଦ୍ଧିକୁ ନେଇ ସମଗ୍ର ଦେଶରେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ମାତ୍ର କିଭଳି ଭାବେ ଦର ହ୍ରାସ ପାଇବ ସେ ବାଟ କେନ୍ଦ୍ର ସରକାର ପାଉନାହାନ୍ତି। ସ୍ଥିତି ଏମିତି ଗମ୍ଭୀର ହେଲାଣି ଯେ ଦେଶରେ ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ବାଟ ଖୋଲୁଛି। ଓଡ଼ିଶାରେ ଶାସକ ବିଜେଡି ଆସନ୍ତା ୨୮ ତାରିଖରୁ ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବା ଲାଗି ବୁଧବାର ଡାକରା ଦେଇଥିଲା। ଆଜି କିନ୍ତୁ କ୍ରିକେଟର ବିରାଟ କୋହଲିଙ୍କ ଫିଟ୍‌ନେସ୍‌ ଚାଲେଞ୍ଜ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିବାର ଅଳ୍ପ କିଛି ସମୟ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ ‘ତେଲ ଚାଲେଞ୍ଜ୍‌’ ଦେଇଛନ୍ତି।

ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟକୁ ପ୍ରତ୍ୟାହାର ନକଲେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ରାହୁଲ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ ମୁହଁ ଖୋଲୁ ନଥିବାରୁ କଂଗ୍ରେସ ଯୋଗାଯୋଗ ବିଭାଗ ଦାୟିତ୍ୱରେ ଥିବା ରଣଦୀପ ସୁରଜଓ୍ଵାଲା ମଧ୍ୟ ମୋଦିଙ୍କୁ ସମାଲୋଚନା କରିଛନ୍ତି।

କଂଗ୍ରେସ ଅଭିଯୋଗ କରିଛି, ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ମାଧ୍ୟମରେ ମୋଦି ସରକାର ଲୁଟ୍‌ କରିଥିବା ୧୦ ଲକ୍ଷ କୋଟି ଟଙ୍କାକୁ ଦର ହ୍ରାସ ଦିଗରେ ବିନିଯୋଗ କରନ୍ତୁ। ଆର୍ଥିକ ଦୃଷ୍ଟିରୁ ସାଧାରଣ ଲୋକଙ୍କୁ ଅଣ୍ଟା ସଳଖି ଛିଡ଼ା ହେବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ଶ୍ରୀ ସୁର୍‌ଜଓ୍ଵାଲା କହିଛନ୍ତି। ୪ ବର୍ଷ ଭିତରେ ମୋଦି ସରକାର ୧୧ ଥର ଉତ୍ପାଦନ ଶୁଳ୍କ ବୃଦ୍ଧି କରି ଏହି ଟଙ୍କା ନେଇଛନ୍ତି ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି କମ୍‌ ଥିବା ସମୟରେ ତେଲ ଦର ଯେଉଁ ସ୍ତରକୁ କମିବା କଥା ତାହା ହୋଇ ନଥିଲା। କେନ୍ଦ୍ର ସରକାର ଏକାଧିକ ଥର ଉତ୍ପାଦନ ଶୁଳ୍କ ବୃଦ୍ଧି କରି ତେଲ ଦରକୁ ଉଚ୍ଚ ସ୍ତରରେ ରଖିଲେ। ଏ ବାବଦରେ ବିପୁଳ ପରିମାଣର ଟଙ୍କା ଗ୍ରାହକଙ୍କଠାରୁ ନେଲେ। ଏବେ ତେଲ ଦର ମାତ୍ରାଧିକ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର କିମ୍ବା କମ୍ପାନି ସେମାନଙ୍କ ଭାଗ ଛାଡ଼ିବାକୁ ରାଜି ହେଉନାହାନ୍ତି। ରାଜ୍ୟ ସରକାର ମଧ୍ୟ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ଲାଗି ଭାଟ୍‌ କମାଇବାକୁ ଆଗ୍ରହ ଦେଖାଉନଥିବାରୁ ସ୍ଥିତି ଗମ୍ଭୀର ଆଡ଼କୁ ଗତି କଲାଣି। ଏପରିକି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏ ଦିଗରେ କେନ୍ଦ୍ର ସରକାରଙ୍କୁ ସହଯୋଗର ହାତ ବଢ଼ାଇବାକୁ ଆଗ୍ରହ ଦେଖାଉନାହାନ୍ତି।

ସେପଟେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ କିମ୍ବା ଏହାପରେ ସରକାର ତେଲ ଦର ବୃଦ୍ଧି ହ୍ରାସ ଦିଗରେ କୌଣସି ଠୋସ୍‌ ନିଷ୍ପତ୍ତି ନେବେ ବୋଲି ଆଶା ରଖାଯାଇଥିଲା। କିନ୍ତୁ ଏହା ଉପରେ କୌଣସି ପଦକ୍ଷେପ କେନ୍ଦ୍ର ସରକାର ନେଇପାରିନାହାନ୍ତି। ଦୀର୍ଘମିଆଦୀ ପଦକ୍ଷେପ ଉପରେ ଆଲୋଚନା ଚାଲିଛି କହି ସରକାର ଏହି ପ୍ରସଙ୍ଗରେ ଲୋକଙ୍କୁ ଗତ ୧୧ ଦିନ ଧରି ଭୂଅାଁ ବୁଲାଇ ଚାଲିଛନ୍ତି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ନିର୍ବାଚନ ପରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରତିଦିନ ମାତ୍ରାଧିକ ବୃଦ୍ଧି କରି ଚାଲିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣକୁ ସରକାର ୨୦୧୪ରୁ ନିୟନ୍ତ୍ରଣମୁକ୍ତ କରିଛନ୍ତି ବୋଲି କହୁଥିଲେ ହେଁ କର୍ଣ୍ଣାଟକ ନିର୍ବାଚନ ସମୟରେ ୧୯ ଦିନ ଧରି ବୃଦ୍ଧି କରି ନଥିଲେ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କ୍ରମାଗତଭାବେ ବୃଦ୍ଧି ପାଇବା ସହିତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହୋଇଚାଲିଥିଲା। ତେଲ କମ୍ପାନିଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିଲା। କିନ୍ତୁ ସରକାରଙ୍କ ଅଲିଖିତ ନିର୍ଦ୍ଦେଶ ବଳରେ ସେମାନେ ଏହାକୁ ଦୀର୍ଘ ୧୯ ଦିନ ଧରି ଚାପି ରଖିଥିଲେ। କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ ଗତ ୧୪ ତାରିଖରୁ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରକୁ ବଢ଼ାଇ ଚାଲିଛନ୍ତି।

ମିିଳିଥିବା ସୂଚନା ଅନୁସାରେ, ଗତ ୧୪ ତାରିଖରେ ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ଦର ୭୩ ଟଙ୍କା ୬୪ ପଇସା ଥିବାବେଳେ ଡିଜେଲ ଦର ୭୦ ଟଙ୍କା ୮୮ ପଇସା ରହିଥିଲା। କିନ୍ତୁ ଗୁରୁବାର ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୨୮ ପଇସା ଏବଂ ଡିଜେଲ ଦର ୭୩ ଟଙ୍କା ୪୬ ପଇସାରେ ପହଞ୍ଚି ଯାଇଛି। ଏହାକୁ ଦେଖିଲେ ଗତ ୧୧ ଦିନ ଭିତରେ ରାଜଧାନୀରେ ଲିଟର ପିଛା ପେଟ୍ରୋଲ ଦର ୨ ଟଙ୍କା ୬୪ ପଇସା ଏବଂ ଡିଜେଲ ଦର ୨ ଟଙ୍କା ୫୮ ପଇସା ବଢ଼ିଗଲାଣି। ୧୧ ଦିନ ବିତିଯାଇଥିଲେ ମଧ୍ୟ ସରକାର ଏହାର କୌଣସି ବାଟ ବାହାର କରିପାରୁନାହାନ୍ତି।

ଉତ୍ପାଦ ଶୁଳ୍କ ହଟାଇବା ପାଇଁ ବିଭିନ୍ନ ମହଲରେ ଦାବି ଉଠୁଥିବାବେଳେ ଆଜି ନିତି ଆୟୋଗ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହିତ ତାଳଦେଇ ରାଜ୍ୟ ଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍‌ ହ୍ରାସ କରିବା ଲାଗି ପରାମର୍ଶ ଦେଇଛି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି, ରାଜ୍ୟଗୁଡ଼ିକ ବର୍ତ୍ତମାନ ସ୍ଥିତିରେ ଭାଟ୍‌ କମାଇ ପାରିବେ। ସେହିଭଳି ପେଟ୍ରୋଲ ଉପରୁ ଅତିରିକ୍ତ ଉତ୍ପାଦନ ଶୁଳ୍କକୁ ହ୍ରାସ କରିବା ଲାଗି ମଧ୍ୟ ସେ ମତ ଦେଇଛନ୍ତି। ପେଟ୍ରୋଲ ଏବଂ ବିଜୁଳିକୁ ଜିଏସ୍‌ଟି ପରିସରରେ ସାମିଲ କରିବା ଲାଗି ସେ କହିଛନ୍ତି।

ତେବେ ସାଉଦି ଆରବ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଉଚ୍ଚସ୍ତରରେ ରଖିବାକୁ ଚାପ ପକାଇବା ଆରମ୍ଭ କରିଦେଇଛି। ଏପରିକି ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୮୦ ଡଲାର ସ୍ତରରେ କିଛିଦିନ ପାଇଁ ରଖିବା ଲାଗି ଏହି ଦେଶ ଚାହୁଁଛି। ଏହାର କାରଣ ହେଲା ଉକ୍ତ ଦେଶର ସରକାରୀ ତେଲ କମ୍ପାନି ସାଉଦି ଆରାମକୋର ଆଇପିଓ ଆଗାମୀ ଦିନରେ ଆସିବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚରେ ରହିଲେ ସାଉଦି ଆରାମ୍‌କୋର ସେୟାର ମୂଲ୍ୟ ଅଧିକ ରହିବ। ଫଳରେ ନିବେଶକମାନେ ଏହି କମ୍ପାନିର ସେୟାର କିଣିବାକୁ ଆକୃଷ୍ଟ ହେବେ ବୋଲି ଏହି ଦେଶ ଆଶା ରଖିଛି। ସାଉଦି ଆରବ ଓପେକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଥିବାରୁ ଅନ୍ତର୍ଜାତୀୟ ବଜାରରେ ଆଗାମୀ ଦିନରେ ଅଶୋଧିତ ତେଲ ଦର ଆହୁରି ବଢ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର