ଭୁବନେଶ୍ୱର : ବହୁ ଅଭିଯୋଗ ଆସୁଛି। ଗୋଟିଏ ପରିବାରର ଏକାଧିକ ବ୍ୟକ୍ତିଙ୍କୁ ‘କାଳିଆ’ ସହାୟତା ତାଲିକାରେ ସଂଯୁକ୍ତ କରାଯାଇଛି। କେଁଉଠି ନା କେଉଁଠି ହିତାଧିକାରୀ ଚିହ୍ନଟ କରିବାରେ ତ୍ରୁଟି ରହୁଛି।
Sambad is now on WhatsApp
Join and get latest news updates delivered to you via WhatsApp
କାଳିଆ ଯୋଜନାରେ ହିତାଧିକାରୀ ଚୟନ ଓ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସରକାର ବିଫଳ ହୋଇଥିବା ନେଇ ବିରୋଧୀ ଦଳ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଆଜି ଖୋଦ୍ ବିଜେଡି ବିଧାୟକମାନେ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୋଟିଏ ପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ଯୋଜନାରେ ହିତାଧିକାରୀଙ୍କୁ ଏତେ ଟଙ୍କା କିଭଳି ଦିଆଗଲା, କେଉଁମାନେ ଟଙ୍କା ପାଇଛନ୍ତି, ସେ ନେଇ ପ୍ରମାଣ ଦେବାକୁ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ବେଳେ ବିଜେଡି ବିଧାୟକଙ୍କ ଏଭଳି ଶାଣିତ ପ୍ରଶ୍ନ ଆଲୋଚନାକୁ ସରଗରମ କରିଥିଲା।
ତେବେ ଚତୁରତାର ସହିତ କୃଷି ମନ୍ତ୍ରୀ ଅରୁଣ ସାହୁ ଅନେକ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଓଲଟା ଘୋଷଣା କରିଥିଲେ ଯେ ଯେଉଁମାନଙ୍କୁ କାଳିଆ ସହାୟତା ଦିଆଯାଇଛି, ଅଗଷ୍ଟ ମାସରେ ସେମାନଙ୍କ ତାଲିକା େଵବ୍ସାଇଟରେ ଉପଲବ୍ଧ ହେବ। କାଳିଆ ସହାୟତା ସଫଳତାର ଶିଖର ଛୁଇଁଛି ବୋଲି ମନ୍ତ୍ରୀ ଗୃହରେ ଦୃଢ଼ ମତ ରଖିଥିଲେ।
କାଳିଆ ଯୋଜନା ସମାଲୋଚନାରୁ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ ହେଁ ସଂକ୍ଷିପ୍ତ ବକ୍ତବ୍ୟ ପାଇଁ ଉପବାଚସ୍ପତି ସୂଚାଇବା କାରଣରୁ ରୁଷିଥିଲେ। ପରେ ବିଜେପି ସଦସ୍ୟ ଆଉ ଆଲୋଚନାରେ ଭାଗ ନେଇନଥିଲେ। ଶ୍ରୀ ମାଝୀଙ୍କୁ ପରବର୍ତୀ ସମୟରେ ଉପବାଚସ୍ପତି ବାରମ୍ୱାର ଆଲୋଚନାରେ ସାମିଲ ହେବାକୁ ନିବେଦନ କରିଥିଲେ ହେଁ, ସେ ଆଉ ଉଠିନଥିଲେ।
ଆଜି ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଥିଲେ, କାଳିଆ ଯୋଜନାର ଆଦି ଅନ୍ତ କିଛି ନାହିଁ। ଅତୀତରେ କାଳିଆ ଠାକୁରଙ୍କ ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ଚାବି ହଜିବା ଆଦି ଘଟଣାର ତଦନ୍ତ ନିର୍ଦେଶ ଦେଇ ସରକାର ସିନା ଖସିଯାଇଥିଲେ, କାଳିଆ ସହାୟତା କ୍ଷେତ୍ରରେ କିନ୍ତୁ ସେମିତି ହେବନି। ତରବରିଆ ଭାବେ ଏହି ଯୋଜନାକୁ ସରକାର ପ୍ରସ୍ତୁତ କରିଛନ୍ତି। ଋଣ ଛାଡ଼ ପ୍ରସ୍ତାବକୁ ସରକାର ଟାଳି ଦେଇଛନ୍ତି । ବ୍ୟାଙ୍କର୍ସ କମିଟି ବୈଠକ ରିପୋର୍ଟ ଅନୁସାରେ, ରାଜ୍ୟରେ ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ମୁଣ୍ଡରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଅଛି। ସମବାୟ ବ୍ୟାଙ୍କ କ୍ଷେତ୍ରରେ ୯ ହଜାରର ୭୩୦ କୋଟି ଓ ଅନ୍ୟ ବ୍ୟାଙ୍କରେ ୧୬ ହଜାର ୮୭୬ କୋଟି। ରାଜ୍ୟ ସରକାର ଯଦି ୭୦ ହଜାର ଟଙ୍କା ଲେଖାଏଁ ଋଣ ଛାଡ଼ କରିଥାନ୍ତେ, ତେବେ ୨୪ ହଜାର ୬୩୫ କୋଟି ଆବଶ୍ୟକ ହୋଇଥାନ୍ତା। ରାଜ୍ୟ ଅର୍ଥନୀତି କ୍ଷମତାରେ ଏହା ଥିଲା ବୋଲି ଶ୍ରୀ ମାଝୀ କହିଥିଲେ।
ତେବେ ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କୁ ବକ୍ତବ୍ୟ ସାରିବାକୁ କହିବାରୁ ଶ୍ରୀ ମାଝୀ ଉତ୍କ୍ଷିପ୍ତ ହୋଇ ଆଉ ଆଲୋଚନାରେ ଭାଗ ନେଇନଥିଲେ । ଗୋଟିଏ କି ଦୁଇ ମିନିଟ୍ ନୁହେଁ,ଏହାକୁ ନେଇ ଦୀର୍ଘ ୮ ମିନିଟ୍ କାଳ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପରେ ମୁଲତବୀ ଆଲୋଚନାରେ ଭାଗ ନେବାକୁ ଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ଆଲୋଚନାରୁ ଦୂରେଇ ରହିଥିଲେ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଚାଷୀକୁ ପ୍ରତି କ୍ୱିଣ୍ଟାଲ ୨୫୦୦ ଟଙ୍କା ଦିଆଯାଉଛି। ସେଠାରେ ସରକାର ଗଠନ କଲା କଂଗ୍ରେସ। ରାଜ୍ୟ ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ଜୀବନ ଜୀବିକା ସହାୟତା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀ ଟଙ୍କା ପାଇଥିବା ସରକାର ଦାବି କରିଛନ୍ତି। କାହାକୁ ୧୦ ହଜାର, ଆଉ କାହାକୁ ୧୨ ହଜାର ୫୦୦ ଟଙ୍କା ଦିଆଯାଇଛି ବୋଲି କୁହାଯାଉଛି। ଏତେ ଟଙ୍କା କେଉଁଠୁ ଆସିଲା? ହିସାବ କଲେ ଦେଖାଯାଉଛି ଯେ ପାଖାପାଖି ୫୧୦୫ କୋଟି ଟଙ୍କା ଆବଶ୍ୟକ। ସରକାର ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ସେ ମନ୍ତ୍ରୀଙ୍କଠାରୁ କୈଫିୟତ ଲୋଡ଼ିଥିଲେ।
ଶ୍ରୀ ମିଶ୍ର ଆହୁରି କହିଥିଲେ, ଏହି ଯୋଜନାରେ ଭାଗଚାଷୀଙ୍କୁ ସାମିଲ କରାଯାଇଛି। ଭାଗଚାଷୀ ଆଇନ ସମ୍ମତ କି? ଯଦି ଭୂସଂସ୍କାର ଆଇନ ଏହାକୁ ବିେରାଧାଚରଣ କରୁଛି, ତେବେ ସରକାର ଏମାନଙ୍କୁ ଟଙ୍କା ଦେଲେ କେମିତି ।
ଶ୍ରୀ ମିଶ୍ର କହିଥିେଲ, ଚାଷୀର ଉତ୍ପାଦନ ଖର୍ଚ୍ଚ ପାଖାପାଖି ୨୪୦୦ ଟଙ୍କା। ତାକୁ ସେ ଅର୍ଥ ମିଳୁନାହିଁ। ଗୋଟିଏ ହେକ୍ଟର ଜମିରେ ୨୦ କ୍ୱିଣ୍ଟାଲ ଧାନ ହେବ। ଗୃହରେ ସର୍ବସମ୍ମତ ଭାବେ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ଦେବାକୁ କୁହାଯାଇଥିଲା। ତାହା ହେଲାନି। ଏବେ ପୁଣି ମରୁଡ଼ି ହେଲାଣି। ଏପରି ପରିସ୍ଥିତିରେ ୧୦ ହଜାର ଟଙ୍କା ଚାଷୀକୁ କେମିତିି ସହାୟତା ଦେବ େବାଲି ସେ ମନ୍ତ୍ରୀଙ୍କଠାରୁ ଉତ୍ତର େଲାଡ଼ିଥିଲେ।
ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଆଲୋଚନାରେ ଭାଗ ନେଇ କହିଥିଲେ, ଭୋଟ ଟାଣିବା ପାଇଁ ଏହି କାଳିଆ ଯୋଜନା କରାଯାଇଛି। ଏଇଟାକୁ ବିଜୁ ବାବୁଙ୍କ ନାମରେ କରିଦିଅନ୍ତୁ ଓ ଜଗନ୍ନାଥଙ୍କୁ ତ୍ରାହି ଦିଅନ୍ତୁ । ଏହି ଟଙ୍କା ଗାଁରେ ବିଜୁ ଯୁବ ବାହିନୀ, ବିଜୁ କର୍ମୀ, ବିଜୁ ମହିଳା କର୍ମୀଙ୍କୁ ହିଁ ଦିଆଯାଇଛି ।
ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ଭାଗ ନେଇ ବିଧାୟକ ପ୍ରଶାନ୍ତ ମୁଦୁଲି, ପ୍ରଫୁଲ୍ଲ ସାମଲ, ସୁଧୀର ସାମଲ ଓ ଅଶୋକ ବଳ ପ୍ରମୁଖ ଭାଗ ନେଇଥିଲେ। ଶ୍ରୀ ମୁଦୁଲି କହିଥିଲେ, ଗୋଟିଏ ଗୋଟିଏ ପରିବାରରୁ ଏକାଧିିକ ବ୍ୟକ୍ତି ଏହି ସହାୟତା ପାଇଛନ୍ତି। ଗୋଟିଏ ପରିବାରର କେତେଜଣଙ୍କୁ ଦିଆଯିବ, ସେ କଥା ସରକାର ସ୍ପଷ୍ଟ କରନ୍ତୁ। ଭାଗଚାଷୀ ପାଇବେ ନା ନାହିଁ। ଶ୍ରୀ ସାମଲ କହିଥିଲେ, ୯୧ଲକ୍ଷ ଲୋକ ଦରଖାସ୍ତ କରିଥିଲେ। ତାଲିକା ପ୍ରସ୍ତୁତିରେ ଅନେକ ତ୍ରୁଟି ରହିଛି। ଅତୀତରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ଚାଷୀ ତାଲିକା ହୋଇଥିଲା। ୫୬ଲକ୍ଷ କୃଷକ ଓ କୃଷି ଶ୍ରମଜୀବୀ ଥିଲେ। ପରେ ଏହା ୬୭ଲକ୍ଷରେ ପହଞ୍ଚିଲା। ତାକୁ ସରକାର ଗ୍ରହଣ କରନ୍ତୁ।
ଆଲୋଚନା ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, ବିଭିନ୍ନ ଚାଷୀ ସଂଗଠନର ପ୍ରସ୍ତାବ ଓ ଦାବି ଅନୁସାରେ ୨୦୧୮-୧୯ରେ କୃଷି ବିଭାଗ ଏକ ପାଣ୍ଠି କରିଥିଲା। ଏକ ଅନ୍ତଃରାଜ୍ୟ କମିଟି ବି ଗଠନ ହୋଇଥିଲା। ବିଭିନ୍ନ କୃଷକ, ଚାଷୀ ପ୍ରତିନିଧି ପ୍ରମୁଖଙ୍କ ସହ ଆଲୋଚନା କରି ସରକାର କାଳିଆ (ଜୀବିକା ଓ ଆୟ ବୃଦ୍ଧି ନିମିତ୍ତ କୃଷକଙ୍କୁ ସହାୟତା ଯୋଜନା) ୨୦୧୮ ଡିସେମ୍ୱର ୨୧ ତାରିଖରେ ଅନୁମୋଦନ କରିଥିଲେ। ଏହାକୁ କିଭଳି ଠିକ୍ ଭାବେ କାର୍ଯ୍ୟକାରୀ କରାଯିବ, ସେ ନେଇ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ବ୍ଲକସ୍ତରରେ ବିଡିଓଙ୍କୁ ନେଇ ବି କମିଟି ହୋଇଛି। ଦୁଇଟି ପର୍ଯ୍ୟାୟରେ ସରକାର ୯୬ଲକ୍ଷ ସବୁଜ ଫର୍ମ ପାଇଥିଲେ। ସବୁ ମିଶାଇ ୧ କୋଟି ୧୯ଲକ୍ଷ ଚାଷୀ ତାଲିକା ପ୍ରସ୍ତୁତ ହୋଇଥିଲା। ସେ ମଧ୍ୟରୁୁ ୩୬ ଲକ୍ଷ ୩୪ ହଜାର ୭୧୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ୧୪ଲକ୍ଷ ୭୦ ହଜାର ୫୮୦ ପରିବାରକୁ ଚିହ୍ନଟ କରାଯାଇ ମୋଟ ୫୧ଲକ୍ଷ ୫ ହଜାର ୨୯୦ ଜଣଙ୍କୁ ସହାୟତା ରାଶି ଦିଆଯାଇଛି।
ଏହି ଯୋଜନାକୁ ବିଭିନ୍ନ ସ୍ତରରେ କିଭଳି ପ୍ରଶଂସା କରାଯାଇଛି, ତାର ତାଲିକା ଦେବା ସହିତ ମନ୍ତ୍ରୀ କହିଥିଲେ, ଓଡ଼ିଶାର ଚାଷୀ ସବୁଥିରେ ଜଗନ୍ନାଥଙ୍କୁ ଦେଖେ । ଯଦି କାଳିିଆ ଯୋଜନା ଭିତରେ ଜଗନ୍ନାଥଙ୍କୁ ଦେଖୁଛି, ତେବେ ଭଲକଥା । ପାପ ନୁହେଁ । ଆଶୀର୍ବାଦସୂଚକ ।