କଲ୍ୟାଣସିଂହପୁରର ମଦ ମୃତ୍ୟୁ ଘଟଣାର ଗୁମର ଫିଟୁଛି : ୨ ଅଟକ, ମୁଖ୍ୟ ଅଭିଯୁକ୍ତ ଫେରାର୍

ଦୀପାବଳି ପାଇଁ ଆୟୋଜନ ହୋଇଥିଲା ଭୋଜି

ରାୟଗଡ଼ା : କଲ୍ୟାଣସିଂହପୁର ବିଷାକ୍ତ ମଦ ପିଇ ମୃତ୍ୟୁ ଘଟଣାର ଗୁମର କ୍ରମଶଃ ଫିଟିବାରେ ଲାଗିଛି। ଏହି ମାମଲାରେ ପୁଲିସ ଓ ଅବକାରୀ ବିଭାଗ ହାତରେ ଲାଗିଛି ସୁରାକ୍। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଚୋରାରେ ମଦ ପ୍ରସ୍ତୁତ କରୁଥିବା କତାଗୁଡ଼ାର ପତି ହିଆଲ୍ ସପରିବାର ଫେରାର୍ ଅଛି। ଅନ୍ୟପଟେ ପୁଲିସ କଲ୍ୟାଣସିଂହପୁରର ମାର୍କଣ୍ଡ ବେନିଆ, ପର୍ଶୁ କନ୍ଧପାଣିକୁ ଉଠାଇ ଆଣି ପଚରାଉଚରା କରୁଛି। ପୁଲିସର ସ୍ବତନ୍ତ୍ର ଟିମ୍ ପତିକୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରଖିଛି। ସେପଟେ ଗାଁକୁ ଗାଁ ବୁଲି ଚୋରାରେ ମହଜୁଦ୍ ରଖିଥିବା ପୋଚକୁ ନଷ୍ଟ କରିଥିବା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି।

ଯୁଗ୍ମ ତଦନ୍ତରୁ ମିଳିଥିବା ସୂଚନାନୁଯାୟୀ, ପୁଲିସ ହେପାଜତରେ ଅଟକ ଥିବା ପର୍ଶୁ ଗ୍ରାମରେ ବାରିକ ଭାବେ କାମ କରନ୍ତି। ଦୀପାବଳି ପୂଜା ସରିବା ପରେ ପର୍ଶୁ କିଛି ଲୋକଙ୍କୁ ଭୋଜି ଦେଇଥିଲେ। ଭୋଜିରେ ମାଂସ ରୋଷୋଇ ହୋଇଥିବାବେଳେ ପର୍ଶୁ ଗ୍ରାମର ମାର୍କଣ୍ଡ ବେନିଆ ନିକଟରୁ ଦେଶୀ ମହୁଲି ମଦ ଆଣିଥିଲା। ଯାହାକୁ ଭୋଜିରେ ଯୋଗ ଦେଇଥିବା ନାରାୟଣପୁର, ଧାମୁଣିପଙ୍ଗା ପଂଚାୟତର ସିରିପୁର, କୁଲୁମୁହିଁ, କତାଗୁଡା, ଢେପାଗୁଡ଼ା, ହାତୀମୁଣ୍ଡା, ଦେବଗିରି, ନୂଆସାହି, ଦାନୁସାହି, ଇନ୍ତାଲିଗୁଡାର ୨୦ରୁ ଊର୍ଧ୍ବ ଜଣ ପିଇଥିଲେ। ମଦ ପିଇବା ପରେ ସିରିଗୁଡା, ଢେପାଗୁଡ଼ା, କୁଲୁମୁହିଁର ୮ ଜଣ ଗୁରୁତର ହୋଇ ପଡ଼ିଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ବେଳେ ଚିକିତ୍ସା ଅଭାବରୁ ମଦ୍ୟପାନ ପରେ ଗୁରୁତର ହୋଇ ପଡ଼ିଥିବା ଢେପାଗୁଡ଼ା ଗ୍ରାମର ଦାନଫୁଲ ହୁଇକା (୬୭) ଶୁକ୍ରବାର ମଧ୍ୟାହ୍ନରେ ପ୍ରାଣ ହରାଇଥିଲେ। ଦାନଫୁଲଙ୍କ ମୃତ୍ୟୁ ପରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୁଗ୍ମ ତଦନ୍ତ ପାଇଁ ଅବକାରୀ ଓ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ। ଶନିବାର ସ୍ବାସ୍ଥ୍ୟ ବିଭାଗ, ଅବକାରୀ ଓ ପୁଲିସ୍ ମିଳିତ ଭାବେ ତଦନ୍ତ କରିବା ସହ ଗୁରୁତରଙ୍କୁ ପଚରା ଉଚରା କରିବାରୁ କଲ୍ୟାଣସିଂହପୁରର ପର୍ଶୁ ମଦ ଆଣିଥିବା ଜଣା ପଡ଼ିଥିଲା। ପୁଲିସ ପର୍ଶୁକୁ ପଚରା ଉଚରା କରିବା ପରେ ମାର୍କଣ୍ଡ ବେନିଆ କତାଗୁଡ଼ା ଗ୍ରାମର ପତି ହିଆଲ ନିକଟରୁ ମଦ ଆଣି ଦେଇଥିବା ଜଣା ପଡ଼ିଥିଲା।

ପୁଲିସ ଓ ଅବକାରୀ ଟିମ୍ କତାଗୁଡା ଗାଁ ଅଭିମୁଖେ ଆସୁଥିବା ଖବର ପାଇ ପତି ହିଆଲ୍ ସପରିବାର ଫେରାର୍ ହୋଇଯାଇଛି। ସେହିପରି ତଦନ୍ତ ସମୟରେ ମୃତ ଦାନଫୁଲର ପୁଅ ମଦ୍ୟପାନ କାରଣରୁ ହିଁ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର