ଦେଶରେ କନଫ୍ୟୁଜନ ନୁହେଁ କମିଟମେଣ୍ଟର ସରକାର ଚାଲୁଛି: ପ୍ରଧାନମନ୍ତ୍ରୀ ମୋଦି

ବାଲିଯାତ୍ରା ପଡ଼ିଆରେ ‘ଜନକଲ୍ୟାଣ’ ସମାବେଶରେ ମୋଦିଙ୍କ ଉଦ୍‌ବୋଧନ

କଟକ: ଦେଶରେ କନଫ୍ୟୁଜନ ନୁହେଁ କମିଟମେଣ୍ଟର ସରକାର ଚାଲୁଛି। ଭାରତ ନିରାଶାରୁ ଆଶାର ମାର୍ଗରେ ଅଗ୍ରସର ହେଉଛି। କୁଶାସନରୁ ସୁଶାସନ ଆଡ଼କୁ ଗତି କରୁଛି। ଗରିବଙ୍କ ଶ୍ରମଝାଳ ଆମ ପାଇଁ ଗଙ୍ଗା ପରି ପବିତ୍ର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କଟକର ଅନୁଷ୍ଠିତ ‘ଜନକଲ୍ୟାଣ’ ସମାବେଶକୁ ସମ୍ବୋଧନ କରିବା ଅବସରରେ ଶନିବାର ମୋଦି କହିଛନ୍ତି, ସବକା ସାଥ୍‌ ସବକା ବିକାଶ ମନ୍ତ୍ରରେ ବିଜେପି କାମ କରୁଛି। ଆପଣଙ୍କ ଆଶା, ଆଶୀର୍ବାଦ ମୋତେ ଶକ୍ତି ଦେଉଛି ବୋଲି ମୋଦି କହିଛନ୍ତି। ମୋଦି କହିଛନ୍ତି ୪ ବର୍ଷ ପୂର୍ବେ ପୂର୍ଣ୍ଣ ବହୁମତ ସରକାର ଗଠିତ ହୋଇଥିଲା। ବିଜେପି ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଲୋକଙ୍କ ବିଶ୍ୱାସ ଜିଣିଛି।

ମୋଦି କହିଛନ୍ତି, ୩୫ କୋଟି ବେନାମି ସମ୍ପତ୍ତି ଜବତ ହୋଇଛି। ୪ ବର୍ଷ ମଧ୍ୟରେ ଘରେ ଘରେ ବିଜୁଳି ସଂଯୋଗ ହୋଇ ପାରିଛି। ଦେଶର ଅଧା ଲୋକଙ୍କ ପାଖରେ ବିଜୁଳି ଓ ଗ୍ୟାସ ନଥିଲା। ଅଧା ଦେଶବାସୀଙ୍କ ପାଖରେ ପାଇଖାନା ଓ ରାସ୍ତା ନ ଥିଲା। ଓଡ଼ିଶାର ୨୫ ଲକ୍ଷ ଘରେ ଗ୍ୟାସ ସଂଯୋଗୀକରଣ କରାଯାଇ ପାରିଛି। ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଦେଶକୁ ବରବାଦ କରାଯାଇଥିଲା। ପୂର୍ବରୁ ସରକାର ବିକାଶ ପାଇଁ ଯେତିକି ଚିନ୍ତିତ ନଥିଲା, କେବଳ ନିଜ ଭୋଟ ବ୍ୟାଙ୍କ ପାଇଁ ଅଧିକ ଚିନ୍ତାରେ ରହୁଥିଲା। ଦେଶରେ ବିଜେପି ପ୍ରତି ଲୋକଙ୍କର ବିଶ୍ୱାସ ରହୁଛି। ଫଳରେ ୨୦ଟି ରାଜ୍ୟରେ ବିଜେପି ସରକାର ଚାଲିଛି।

ପ୍ରଧାନମନ୍ତ୍ରୀ ଓଡ଼ିଶାର ମହାପୁରୁଷମାନଙ୍କୁ ମନେ ପକାଇବା ସହିତ ପ୍ରଣାମ କରିଛନ୍ତି। ସେ କହିଛନ୍ତି, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉତ୍କଳ ଟ୍ୟାନେରୀ, କଟକର ତାରକସି କାମକୁ ମଧ୍ୟ ମନେପକାଇଛନ୍ତି। ଗରିବଙ୍କ ଦେବତା ଶ୍ରୀଜଗନ୍ନାଥଙ୍କ ମାଟିକୁ ଆସି ମୁଁ ନିଜକୁ ଗର୍ବ ଅନୁଭବ କରୁଛି।

ଦୀର୍ଘ ୩୧ ବର୍ଷ ପରେ ଐତିହାସିକ ସହର କଟକକୁ ଭାରତର ପ୍ରଧାନମନ୍ତ୍ରୀ ଆସିଥିବାରୁ ସାଧାରଣ ଜନତା ଉତ୍ସାହିତ ଦେଖାଯାଇଥିଲେ। ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର କଟକ ଆସିଥିଲେ। ଜନକଲ୍ୟାଣ କାର୍ଯ୍ୟକ୍ରମରେ କେନ୍ଦ୍ର ଅନୁସୂଚିତ ଜାତି/ଜନଜାତି ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ, କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶନିବାର ଅପରାହ୍ନ ୪ଟା ୧୬ରେ ପହଞ୍ଚିବା ପରେ ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ ଜଣାଇଥିଲେ। ମୋଦି ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱର ବିମାନରେ ପହଞ୍ଚି ଥିଲେ। ପରେ ସେ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ‘ଜନକଲ୍ୟାଣ’ ସମାବେଶ ପାଇଁ ଅନୁଷ୍ଠିତ ସଭାରେ ଯୋଗଦେବାକୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର