ମିଳୁନି ଓଆରଏସ୍‌ : ଚୂଡ଼ାନ୍ତ ହୋଇପାରୁନି ଇପିଏମ୍‌ ରେଟ କଣ୍ଟ୍ରାକ୍ଟ

ଟେଣ୍ଡର ନେଇଥିବା କମ୍ପାନି ଦେଲା ନିମ୍ନମାନର ଓଆରଏସ୍‌

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ସବୁବେଳ ପାଇଁ ଔଷଧ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ରାଜ୍ୟ ଔଷଧ ନିଗମ ଗଠନ କଲେ। ‘ନିରାମୟ’ ଯୋଜନାରେ ନିଗମ ଔଷଧ କିଣି ସବୁ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇବା ପାଇଁ ନିଷ୍ପତ୍ତି ହେଲା। ମାତ୍ର ଦିନେ କି ଦୁଇ ଦିନ ନୁହେଁ, ୭ ମାସରୁ ଅଧିକ ହେବ ‘ନିରାମୟ’ଯୋଜନାରେ ଓଆରଏସ୍‌ ପ୍ୟାକେଟ୍‌ ମିଳୁନାହିଁ। ନିଗମ କର୍ତୃପକ୍ଷ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ମାତ୍ର ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଇପିଏମ୍‌ ରେଟ କଣ୍ଟ୍ରାକ୍ଟ ଚୂଡ଼ାନ୍ତ ହୋଇ ନ ଥିବାରୁ ନିଗମ ଓଆରଏସ୍‌ କିଣିପାରୁ ନାହିଁ। ଇପିଏମ୍‌ ରେଟ କଣ୍ଟ୍ରାକ୍ଟ ପାଇଁ ବୈଠକ ପରେ ବୈଠକ ବସୁଛି, ହେଲେ ସମାଧାନର ବାଟ ବାହାରି ପାରୁନାହିଁ।

ବର୍ଷା ଋତୁ ଆରମ୍ଭ ହୋଇଥିବା ବେଳେ ସରକାରୀ ଡାକ୍ତରଖାନାରେ ଓଆରଏସ୍‌ ଏକ ଏକ ସର୍ବନିମ୍ନ ଆବଶ୍ୟକତା। ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କୁ ଓଆରଏସ୍‌ ଦିଆଯାଇଥାଏ। ପ୍ରତ୍ୟେକ ଦିନ ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ରୋଗୀମାନେ ଡାକ୍ତରଖାନାରେ ଭର୍ତି ହେଉଛନ୍ତି। ହେଲେ ମେଡିକାଲ କଲେଜଠୁ ଆରମ୍ଭ କରି ସବ୍‌ ସେଣ୍ଟର ନିରାମୟ କାଉଣ୍ଟରରେ କେଉଁଠି ବି ଓଆରଏସ୍‌ ଉପଲବ୍ଧ ନାହିଁ। ନିଗମ ପକ୍ଷରୁ ଏହାର ଯୋଗାଣ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଡାକ୍ତରଖାନାକୁ ଅତିରିକ୍ତ ୨୦ ପ୍ରତିଶତ ଅର୍ଥ ଔଷଧ ଓ ଅନ୍ୟାନ୍ୟ ଜିନିଷ କିଣିବା ପାଇଁ ଦିଆଯାଇଛି। ଡାକ୍ତରଖାନା କର୍ତୃପକ୍ଷ ଏହାକୁ କିଣୁଛନ୍ତି ମଧ୍ୟ। ତଥାପି ନିଅଣ୍ଟ ହେଉଛି। ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନରେ ଥିବା ଏକ୍ସପୋର୍ଟ ପ୍ରମୋସନ ଏଣ୍ଡ ମାକେର୍ଟିଂ ନିର୍ଦେଶାଳୟ (ଡିଇପିଏମ୍‌) ପକ୍ଷରୁ ଓଆରଏସ୍‌ ପାଇଁ ରେଟ୍‌ କଣ୍ଟ୍ରାକ୍ଟ ଚୂଡ଼ାନ୍ତ ହୋଇପାରୁ ନ ଥିବାରୁ ମାସ ମାସ ଧରି ଏଭଳି ସମସ୍ୟା ଲାଗି ରହିଛି।

ରାଜ୍ୟରେ ସରକାରୀ ଡାକ୍ତରଖାନାରେ ବର୍ଷକୁ ୫/୬ କୋଟି ଓଆରଏସ୍‌ ପ୍ୟାକେଟ୍‌ ଆବଶ୍ୟକ। ୨୦୧୬/୧୭ ବର୍ଷରେ ନିଗମ ପକ୍ଷରୁ ଓଆରଏସ୍‌ ପାଇଁ ଟେଣ୍ଡର ଆହ୍ଵାନ କରାଯାଇଥିଲା। ଦୁଇଟି ପ୍ୟାକେଟ୍‌, ୧ଲିଟର ଓ ଅନ୍ୟଟି ୨୦୦ମି.ଲି ପାଇଁ ଟେଣ୍ଡର ହୋଇଥିଲା। ମଧ୍ୟପ୍ରଦେଶର ଏକ କମ୍ପାନି କାର୍ଯ୍ୟାଦେଶ ପାଇଥିଲା। ଓଆରଏସ୍‌ ଯୋଗାଣ ଠିକ୍‌ ଚାଲିଥିଲା ବେଳେ ଗତବର୍ଷ ସେପ୍ଟେମ୍ବରରେ ନିଗମ ପକ୍ଷରୁ ଯାଞ୍ଚ ସମୟରେ ଓଆରଏସ୍‌ ନିମ୍ନମାନର ବୋଲି ଜଣାପଡ଼ିଥିଲା।

କମ୍ପାନି ପକ୍ଷରୁ ଦିଆଯାଉଥିବା ଏକାଧିକ ବ୍ୟାଚ୍‌ର ଓଆରଏସ୍‌ ପ୍ୟାକେଟ୍‌ ଅତି ନିମ୍ନମାନର ବୋଲି ରିପୋର୍ଟରେ ଆସିଥିଲା। ଫଳରେ ନିଗମ କର୍ତୃପକ୍ଷ କମ୍ପାନିର ଟେଣ୍ଡର ବାତିଲ କରିବା ସହିତ ଓଆରଏସ୍‌ ଯୋଗାଉଥିବା କମ୍ପାନିକୁ କଳାତାଲିକାଭୁକ୍ତ କରିଥିଲେ। ପରବର୍ତୀ ସମୟରେ ଏହାର ପୁନଃ ଟେଣ୍ଡର କରି ଓଆରଏସ୍‌ ପ୍ୟାକେଟ୍‌ କିଣିବା ପାଇଁ ନିଗମ ଉଦ୍ୟମ ଆରମ୍ଭ କରିଥିଲା। ମାତ୍ର ଏହି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟରେ କିଣିବା ପାଇଁ ଚିଠି ଦିଆଯାଇଥିଲା। ଫଳରେ ନିଗମ ଏହାକୁ କିଣିପାରି ନ ଥିଲା। ଏହିଠାରୁ ହିଁ ଓଆରଏସ୍‌ ଯୋଗାଣ ଏକପ୍ରକାର ବନ୍ଦ ହୋଇଯାଇଛି।

ଗତ ଜାନୁଆରିରୁ ଓଆରଏସ୍‌ ଇପିଏମ୍‌ ରେଟ କଣ୍ଟ୍ରାକ୍ଟ ଫୋଲ୍ଡକୁ ଯାଇଛି। ଥରେ ଇପିଏମ୍‌ ରେଟ୍‌ କଣ୍ଟ୍ରାକ୍ଟ ଫୋଲ୍ଡକୁ ଚାଲିଗଲେ ଏହାର ଟେଣ୍ଡର ହୋଇପାରିବ ନାହିଁ ବୋଲି ନିୟମ ରହିଛି। ତେଣୁ ନିଗମ ଇପିଏମ୍‌ ରେଟ କଣ୍ଟ୍ରାକ୍ଟକୁ ଚାହିଁ ବସିଛି। ଏହାଭିତରେ ୨ରୁ ଅଧିକ ବୈଠକ ବସିଥିବା ସୂଚନା ମିଳିଛି। ତଥାପି ଓଆରଏସ୍‌ ସଂପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନାହିଁ।

ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, କିଛି ମାସ ହେବ ରାଜ୍ୟରେ ଓଆରଏସ୍‌ ସଂକଟ ଦେଖାଦେଇଛି। ଓଆରଏସ୍‌ ସମେତ ଅନ୍ୟ କେତେକ ଔଷଧ ଏବେ ଇପିଏମ୍‌ ରେଟ କଣ୍ଟ୍ରାକ୍ଟ ଫୋଲ୍ଡକୁ ଆସିଥିବାରୁ ଏହାର ଦର ଚୂଡ଼ାନ୍ତ ହେବା ପରେ ହିଁ ଯାହା ନିଷ୍ପତ୍ତି ନିଆଯିବ। ତଥାପି ସରକାରୀ ଡାକ୍ତରଖାନାକୁ ଦିଆଯାଉଥିବା ଅର୍ଥରେ ଏହାକୁ କିଣିବା ପାଇଁ କୁହାଯାଇଛି ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର