ହୋଟେଲରେ ରାତିଅଧିଆ ଅଧାଲଙ୍ଗଳା ନାଚ!

ପୁରୀ : ରାତି ସାଢ଼େ ୧୧ଟା ହେବ। ପୁଲିସ୍‌ ମୁଖ୍ୟାଳୟକୁ ଖବର ଆସିଲା ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ରେ ପେଣ୍ଠକଟା ମେରାଇନ୍‌ ଥାନା ପାଖରେ ଥିବା ଏକ ହୋଟେଲ ପରିସରରେ ଚାଲିଛି ର‍୍ୟାପ୍‌ ପାର୍ଟି। ଅଧାଲଙ୍ଗଳା ନୃତ୍ୟ। ସିଟି ଡିଏସ୍‌ପି ପ୍ରଭାତ କୁମାର ରାଉତରାୟଙ୍କ ନେତୃତ୍ଵରେ ଚଢ଼ଉ ହେଲା। ସେଠାରୁ ୧୫ ଜଣ ଯୁବକଙ୍କ ସହ ୧୦ ଜଣ ଯୁବତୀଙ୍କୁ ଆଣି ଥାନା ଜିମା ଦିଆଗଲା। ଅବସ୍ଥା ଏଭଳି ଥଲା ଦୁଇଜଣ ଯୁବତୀ କେବଳ ଅନ୍ତଃବସ୍ତ୍ରରେ ଥିଲେ। ସାରା ରାତି ଥାନାରେ କଟିଲା।

ସକାଳେ ଘଟଣା ପ୍ରଘଟ ହେବା ପରେ ସେଠାରେ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। ଥାନା ବାହାରେ ୧୦ରୁ ଊଦ୍ଧ୍ଵର୍ ବିଳାସପୂର୍ଣ୍ଣ କାର୍‌ ଲାଗିଥିଲା। ଯୁବକ ଯୁବତୀମାନେ କେତେବେଳେ ବନ୍ଧା ହୋଇ କୋର୍ଟ ଚାଲାଣ ହେବେ ସମସ୍ତେ ଅପେକ୍ଷା କରି ରହିଥିଲେ। କିନ୍ତୁ ଯୁବକ ଓ ଯୁବତୀମାନଙ୍କୁ ଅପରାହ୍ନ ୨ଟା ବେଳେ ଛାଡ଼ି ଦିଆଯାଇଥିଲା। ମୁହଁରେ ଗାମୁଛା ବାନ୍ଧି ସେମାନେ ଥାନାରୁ ବାହାରି ଏହି ବିଳାସପୂର୍ଣ୍ଣ ଗାଡ଼ିରେ ବସି ଚାଲି ଯାଇଥିଲେ। ଏମିତି କ’ଣ ହେଲା ଯେ ସେମାନଙ୍କୁ ଛାଡ଼ି ଦିଆଗଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ଅନେକ ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଥିଲା। ସମସ୍ତ ଅଙ୍ଗୁଳି ପେଣ୍ଠକଟା ମେରାଇନ୍‌ ଥାନା ଅଧିକାରୀଙ୍କ ଉପରକୁ ଉଠିଥିଲା। ଏତିକିବେଳେ ଥାନାରେ ବସିଥିବା ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ ବାହାରକୁ ଆସିଥିଲେ। ଏ ସମ୍ବନ୍ଧରେ ସ୍ପଷ୍ଟ କରିଥିଲେ।

ସେ କହିଥିଲେ, ଏକ ଫୋନ୍‌ କଲ ପାଇ ସ୍ପେସାଲ ସ୍କ୍ଵାଡ୍‌ ଚଢ଼ଉ କରିଥିଲା। ବିଳମ୍ବିତ ରାତ୍ରିରେ ନାଚଗୀତ ଚାଲିଥିବାରୁ ସେମାନଙ୍କୁ ଅଣାଯିବା ସହ ହୋଟେଲ ପରିଚାଳକଙ୍କୁ ମଧ୍ୟ ଡକାଯାଇଥିଲା। ଯୁବତୀମାନଙ୍କର ପରିବାର ସହ ଯୋଗାଯୋଗ କରାଯାଇଥିଲା। ସେମାନେ ନାଚ କରିବା ପାଇଁ ଆସିଥିଲେ ବୋଲି ଆମେ ନିଶ୍ଚିତ ହୋଇଥିଲୁ। ଏଣୁ ଛାଡ଼ି ଦେଲୁ। ତେବେ ବିଳମ୍ବିତ ରାତ୍ରିରେ ନାଚ କରାଉଥିବାରୁ ହୋଟେଲ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା କରାଯାଉଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର