ଓଡ଼ିଶାରେ ବଢ଼ୁଛି ସଡ଼କ ଦୁର୍ଘଟଣା, ଉଦ୍‌ବେଗ ଜଣାଇଲେ ସୁପ୍ରିମ କୋର୍ଟ କମିଟି

ଜାତୀୟ ରାଜପଥରେ ମୃତ୍ୟୁସଂଖ୍ୟା ହୁ ହୁ ହୋଇ ବଢ଼ୁଛି, ସରକାରଙ୍କ ପଦକ୍ଷେପ ଯଥେଷ୍ଟ ହେଉନାହିଁ

ଭୁବନେଶ୍ବର,: ରାଜ୍ୟରେ ‌ବଢ଼ୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଏବଂ ରାସ୍ତାଗୁଡ଼ିକର ବିପର୍ଯ୍ୟସ୍ତ ସ୍ଥିତି ନେଇ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ରିପୋର୍ଟ ଦେଇଛି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଟିର ରିପୋର୍ଟ ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣା ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ଗତ ୫ବର୍ଷରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଅତ୍ୟନ୍ତ ଉଦ୍‌ବେଗଜନକ ହୋଇପଡ଼ିଛି। ୨୦୧୪ତୁଳନାରେ ୨୦୧୫ରେ ୯.୫% ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବାବେଳେ ୨୦୧୬ରେ ୩.୭%, ୨୦୧୭ରେ ୭.୩%, ୨୦୧୮ରେ ୧୧% ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୨୦୧୯ ଜାନୁଆରିରୁ ଜୁନ୍‌ ମଧ୍ୟରେ (୨୦୧୮ର ଏହି ସମୟ ମଧ୍ୟରେ) ଅଧିକ ୧୨.୭% ଦୁର୍ଘଟଣା ହୋଇଛି।

ଓଡ଼ିଶାରେ ଥିବା ବିଭିନ୍ନ ଜାତୀୟ ରାଜପଥରେ ୨୦୧୪ରୁ ୨୦୧୭ ମଧ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୯.୪% ବଢ଼ିଛି। ଯେତେବେଳେ କି ଏହି ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୨୧.୮୫% ବଢ଼ିଛି। ଆଶ୍ଚର୍ଯ୍ୟର ବିଷୟ ୨୦୧୭ରେ ମୋଟ୍‌ ଦୁର୍ଘଟଣା ଜନିତ ମୃତ୍ୟୁର ୭୬.୭୨% ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହୋଇଛି। ଏଥିରୁ ଜାତୀୟ ରାଜପଥରେ ୪୪.୩୨%, ରାଜ୍ୟ ରାଜପଥରେ ୩୨.୪% ଲୋକଙ୍କର ମୃତ୍ୟୁ ହୋଇଛି। ୨୦୧୭ରେ ହୋଇଥିବା ଦୁର୍ଘଟଣା ମଧ୍ୟରୁ ୫୪.୫% ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ହୋଇଥିଲା। ହେଲେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଏହା ଉପରେ ରୋକ୍‌ ଲଗାଇପାରିଲେନି। ଦ୍ରୁତ ଗତିରେ ଆସୁଥିବା ଗାଡ଼ିର ବେଗ ମାପିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ସ୍ପିଡ୍‌ ଗନ୍‌ ନାହିଁ। ଫଳରେ ଦ୍ରୁତଗତି ଜନିତ ଦୁର୍ଘଟଣା ବି କମୁନି। ଏହାସହ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା ସବୁ ରାସ୍ତାରେ ନାହିଁ। ତେଣୁ ତୁରନ୍ତ ଭୁବନେଶ୍ବର-ପୁରୀ, ସମ୍ବଲପୁର-ସାହେଲା, ମଙ୍ଗୁଳି-ସମ୍ବଲପୁର, ଜଳେଶ୍ବର-ଇଚ୍ଛାପୁରମ୍, ସମ୍ବଲପୁର-ରାଉରକେଲା ରାସ୍ତାରେ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଉ େବାଲି କମିଟି ପରାମର୍ଶ ଦେଇଛି। କମିଟି କହିଛି, ବର୍ଷକୁ ବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ୁଛି। ରାଜ୍ୟ ସରକାର ତୁରନ୍ତ ନୂତନ ଯୋଜନା ପ୍ରସ୍ତୁତ କରିବା ସହ କିପରି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ସେନେଇ ବିଭିନ୍ନ ବିଭାଗକୁ ନେଇ କମିଟି ଗଠନ କରିବା ଲାଗି ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ କେ.ଏସ୍ ରାଧାକ୍ରିଷ୍ଣନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଏହି କମିଟିରେ ଏସ୍‌. ସୁନ୍ଦର ଏବଂ ଡ. ନିଶି ମିତ୍ତଲ ସଦସ୍ୟ ଅଛନ୍ତି। ଏହି କମିଟି ଉଦ୍‌ବେଗର ସହ କହିଛି ଯେ, ସଡ଼କ ଦୁର୍ଘଟଣାର କାରଣ ଖୋଜିବା ଏବଂ ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନି।

ନଭେମ୍ବର ୩୦ ସୁଦ୍ଧା ବ୍ଲାକ୍‌ ସ୍ପଟ୍‌, ସମ୍ବେଦନଶୀଳ ରାସ୍ତାର ଉନ୍ନତୀକରଣ
ଜରିମାନା ଆଦାୟ ପାଇଁ ବ‌ର୍ଷିକିଆ ଟାର୍ଗେଟ୍ ଦିଆଯାଉ
ନିୟମ ଉଲ୍ଲଂଘନକାରୀଙ୍କ ଡିଏଲ୍‌ ରଦ୍ଦ ହାର ବୃଦ୍ଧି କରାଯାଉ

ସୂଚନାଯୋଗ୍ୟ, ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ବୈଠକରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ତଥା ତତ୍କାଳୀନ ଉନ୍ନୟନ କମିସନର ଅସିତ ତ୍ରିପାଠୀ ଯୋଗ ଦେଇଥିଲେ। କମିଟି ପରାମର୍ଶ ଦେଇଛି, ସଡ଼କ ଦୁର୍ଘଟଣା ବଢ଼ିବା ପାଇଁ ଦାୟୀ ରହୁଥିବା ବିଭିନ୍ନ ବିଭାଗକୁ ନେଇ ଏକ ସମନ୍ବୟ ପରିଷଦ ଗଠନ ହେବ। ଏହି ପରିଷଦ ବର୍ଷକୁ ଅତିକମ୍‌ରେ ଦୁଇ ଥର ବସିବ। ସଡ଼କ ସୁରକ୍ଷା ନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, କ’ଣ ଯୋଜନା ରହିଛି ସେନେଇ ଆଲୋଚନା କରିବ। ପରିଷଦର ବୈଠକର ସବିଶେଷ ବିବରଣୀ ସୁପ୍ରିମକୋର୍ଟ କମିଟି ନିକଟକୁ ପଠାଯିବ। ଏହାସହ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ୍ ଏବଂ ଜିଲ୍ଲାସ୍ତରୀୟ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ଜିଲ୍ଲାସ୍ତରରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ବର୍ଷକର ଅବଧି ରହିବ। ଯେଉଁ ରାସ୍ତାରେ ଅଧିକ ଦୁର୍ଘଟଣା ହେଉଥିବ ସେଠାକୁ ପରିବହନ ବିଭାଗ, ପୁଲିସ, ଇଞ୍ଜିନିୟର ଏବଂ ଜରୁରିକାଳୀନ ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀମାନେ ପରିଦର୍ଶନ କରି ଏହାର ନିରାକରଣ କରିବାକୁ ସ୍ବଳ୍ପ ଓ ଦୀର୍ଘସ୍ଥାୟୀ ଯୋଜନା ପ୍ରସ୍ତୁତ କରିବେ। ସେହିପରି ଏବେ ରାଜ୍ୟରେ ବ୍ଲାକ୍‌ ସ୍ପଟ୍‌କୁ ଛାଡ଼ି ୧୫୫ଟି ଅତି ସମ୍ବେଦନଶୀଳ ସ୍ଥାନ ରହିଛି। ଏହି ରାସ୍ତାର ଉନ୍ନତୀକରଣ ହେବା ଦରକାର। ଏହାସହ ରାସ୍ତା କଡ଼ରୁ ଜୋରଦାର ଉଚ୍ଛେଦ, ଅଧିକ ଟ୍ରମା କେୟାର ସେଣ୍ଟର, ସ୍ବୟଂଚାଳିତ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍, ସ୍ବୟଂଚାଳିତ ଆଇ ଆଣ୍ଡ୍‌ ସି କେନ୍ଦ୍ର, ଗୋଲଡେନ୍‌ ଆୱାରରେ ଠିକ୍ ପରିଚାଳନା ପାଇଁ ଆମ୍ବୁଲାନ୍ସ ସେବାରେ ଉନ୍ନତି କରିବା ଦରକାର। ନଭେମ୍ବର ୩୦ ସୁଦ୍ଧା ଏହି ରାସ୍ତାର ଉନ୍ନତୀକରଣ ହେବା ଦରକାର। ରାଜରାସ୍ତାରେ ବଢ଼ୁଥିବା ଦୁର୍ଘଟଣା ଜନିତ ମୃତ୍ୟୁର ମୁକାବିଲା ପାଇଁ ରାଜ୍ୟ ସରକାର ଆବଶ୍ୟକ ଉଚ୍ଛେଦ, ରାସ୍ତାର ଡିଜାଇନ୍ ବଦଳାଇବା, ଜରୁରିକାଳୀନ ସେବା ଯୋଗାଇବା ଦିଗରେ ପଦକ୍ଷେପ ନେବା ଦରକାର। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ଜିଲ୍ଲାସ୍ତରରେ ହେଉଥିବା ଦୁର୍ଘଟଣାର ତଥ୍ୟ ରଖିବା ସହ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରିବେ। କାହିଁକି ଦୁର୍ଘଟଣା ହେଉଛି, ଏହାର ନିରାକରଣ ପାଇଁ କ’ଣ ହେବା ଦରକାର ତା’ର ରିପୋର୍ଟକୁ ନେଇ ରାଜ୍ୟ ସ୍ତରୀୟ ସଡ଼କ ସୁରକ୍ଷା ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହେବ।

କମିଟି କହିଛି ଯେ, ୨୦୧୯ର ପ୍ରଥମ ୬ମାସରେ ୪୨ଟି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ବସିଥିଲେ ହେଁ ୧୮ଟି ଜିଲ୍ଲାସ୍ତରୀୟ କମିଟି ଦ୍ବିତୀୟ ଥର ପାଇଁ ବୈଠକ କରିନାହାନ୍ତି। ସମନ୍ବୟ ପରିଷଦ ନିଶ୍ଚିତ କରିବ ଯେ, ପ୍ରତି ତିନି ମାସରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିବ। ଏହି କମିଟିରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଶ୍ଚିତ ଯୋଗଦେବେ। ସଡ଼କ ସୁରକ୍ଷା ନେଇ ସରକାରୀ ଅଧିକାରୀଙ୍କୁ ନଭେମ୍ବର ୩୦, ୨୦୧୯ ସୁଦ୍ଧା ପ୍ରଶିକ୍ଷଣ ଦିଆଯାଉ। କମିଟି ହେଲମେଟ୍‌, ସିଟ୍‌ ବେଲ୍ଟ ପିନ୍ଧିବା, ଗାଡ଼ି ଚଳାଇବା ମୋବଇଲ୍ ଫୋନ୍‌ରେ କଥା ନହେବା ନେଇ କିଛି ଟାର୍ଗେଟ୍‌ ଧାର୍ଯ୍ୟ କରିନି। ତେବେ ବିନା ହେଲମେଟ୍‌, ବିନା ସିଟ୍‌ ବେଲ୍‌ଟରେ ଗାଡ଼ି ଚଳାଇବା, ମୋବାଇଲ୍‌ରେ କଥା ହୋଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଉପରୁ ଜରିମାନା ଆଦାୟ ପାଇଁ ବର୍ଷିକିଆ ଟାର୍ଗେଟ୍‌ ଧାର୍ଯ୍ୟ ଲାଗି ସୂଚାଇଛି। ଯାହା ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର କରିନାହାନ୍ତି। ସେହିପରି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହାର ଓଡ଼ିଶାରେ କମି ଯାଉଛି। ନିୟମ ଉଲ୍ଲଂଘନକାରୀଙ୍କ ଲାଇସେନ୍ସ ରଦ୍ଦ ପାଇଁ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ତେଣୁ ଏହାକୁ ତ୍ବରାନ୍ବିତ କରାଯିବା ଉପରେ କମିଟି ଗୁରୁତ୍ବାରୋପ କରିଛି।

ଅନ୍ଧାର ଯୋଗୁଁ ରାସ୍ତାରେ ଦୁର୍ଘଟଣା ବଢ଼ୁଥିବାରୁ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ରାସ୍ତା କଡ଼ରେ ଯେଉଁଠି ଜନବସତି ‌ଅଛି ସେଠାରେ ଷ୍ଟ୍ରିଟଲାଇଟ୍‌ ଲା‌ଗିବା ବାଧ୍ୟତାମୂଳକ। ଯାହା ଅଧୀନରେ ରାସ୍ତା ଥିବ ସେ ଷ୍ଟ୍ରିଟଲାଇଟ୍‌ ଲଗାଇବେ। ସେହିପରି ରାଜ୍ୟ ସରକାର ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ବିପିଆରଡି) ଗାଇଡଲାଇନ୍ ଅନୁଯାୟୀ, ୫ବର୍ଷରେ ୧୫୫ କୋଟିର ସଡ଼କ ସୁରକ୍ଷା ସାମଗ୍ରୀ କିଣିବାକୁ ଲକ୍ଷ୍ୟ ରଖିଥିବା କମିଟି ଆଗରେ କହିଛନ୍ତି। କମିଟି କହିଛି ଯେ, ୨୦୧୯-୨୦ ବର୍ଷରେ କେତେ ଟଙ୍କାର କି କି ସାମଗ୍ରୀ କିଣାଯାଉଛି ତା’ର ରିପୋର୍ଟ ଏପ୍ରିଲ ୩୦, ୨୦୨୦ ସୁଦ୍ଧା ଦେବେ। ରାଜ୍ୟରେ ୮୧୦୨ଟି ଛକ ଥିବାବେଳେ ଏଥିରୁ ୭୧୨୧ଟି ସ୍ଥାନରେ ଟ୍ରାଫିକ ପୁଲିସ ବ୍ୟବସ୍ଥା ଅଛି। ବାକି ଛକରେ କେବେ ସୁଦ୍ଧା ଟ୍ରାଫିକ ପୁଲିସ ମୁତୟନ କରିବେ ସେନେଇ ସମୟ ଧାର୍ଯ୍ୟ କରି ଜଣାଇବେ। ଜାତୀୟ ରାଜପଥ (ପୂର୍ତ୍ତ) ଅଧୀନରେ ୧୯୬କିମି ରାସ୍ତାରେ କ୍ରାସ୍‌ ବ୍ୟାରିଅର୍ ଆବଶ୍ୟକ ଥିବାବେଳେ ଏବେ ସୁଦ୍ଧା ମାତ୍ର ୧୦୨ କିମିରେ ଏହା ଅଛି। ତେଣୁ ୨୦୧୯-୨୦ରେ ୫୦କିମି ରାସ୍ତା, ୨୦୨୦-୨୧ରେ ୪୪କିମି ରାସ୍ତାରେ କ୍ରାସ୍ ବ୍ୟାରିଅର୍‌ ନିର୍ମାଣ କରିବାକୁ ରାଜ୍ୟ ସରକାର କହିଛନ୍ତି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ୪୧କିମି ରାସ୍ତାରେ କ୍ରାସ୍ ବ୍ୟାରିଅର୍ ରଖିବା ଆବଶ୍ୟକ ଥିବାବେଳେ ଏବେ ସୁଦ୍ଧା ମାତ୍ର ୭କିମିରେ ଅଛି। ବାକି ୩୪କିମିରୁ ୩୦କିମି ରାସ୍ତାରେ ମାର୍ଚ୍ଚ, ୨୦୨୧ ସୁଦ୍ଧା ଏବଂ ୪କିମି ରାସ୍ତାରେ ଜୁନ୍, ୨୦୨୧ ସୁଦ୍ଧା କ୍ରାସ୍ ବ୍ୟାରିଅର ନିର୍ମାଣ କରାଯିବ। ଏଗୁଡ଼ିକ ଆଇଆରସି ଷ୍ଟାଣ୍ଡାର୍ଡର କରିବାକୁ କୁହାଯାଇଛି। ସେହିପରି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୧୩୦ଟି ବ୍ରିଜ୍ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ମରାମତି ପାଇଁ ୬ମାସ ମଧ୍ୟରେ ଡିପିଆର୍ ପ୍ରସ୍ତୁତ କରିବାକୁ କୁହାଯାଇଛି। ୩ବର୍ଷ ମଧ୍ୟରେ ଏହାର ମରାମତି ହେବ ବୋଲି ରାଜ୍ୟ ସରକାର କହିଛନ୍ତି। ସେହିପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ୩୧୮ଟି ବ୍ରିଜ୍ ବିପଦସଙ୍କୁଳ ଅବସ୍ଥାରେ ଥିବାବେଳେ ଏହାର ମରାମତି ଆବଶ୍ୟକ ଅଛି। ମାର୍ଚ୍ଚ, ୨୦୨୨ ସୁଦ୍ଧା ଏହାକୁ ମରାମତି କରାଯିବ। ରାଜ୍ୟ ସରକାରଙ୍କ ଏହି ରିପୋର୍ଟକୁ କିନ୍ତୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ମାନିନାହାନ୍ତି। ପୁଣି ସର୍ଭେ କରି ରିପୋର୍ଟ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର