ଭୋଟ ବେଳେ ହିଂସା : ପଞ୍ଚମା, ନୂଆଗଡ଼ରେ ଲାଠିଚାର୍ଜ, ପଞ୍ଚମାରେ ବିଜେଡି-ବିଜେପି, ତାବରଡ଼ାରେ ବିଜେଡି-କଂଗ୍ରେସ ମୁହାଁମୁହିଁ

ବିଜେପି ପ୍ରାର୍ଥୀଙ୍କୁ ‌ଠେଲାପେଲା, ଗଜପତିରେ ୨ ସ୍ଥାନରେ ୨ ଦଳ ସମର୍ଥକ ମୁହାଁମୁହିଁ, ୬ ଜଣ ଆହତ, ପୁଲିସ୍‌ର ଲାଠିଚାଳନା

ବ୍ରହ୍ମପୁର/ପାରଳାଖେମୁଣ୍ଡି/ଗୋଳନ୍ଥରା/ରା.ଉଦୟଗିରି : ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସମୟରେ ଗଞ୍ଜାମର ଗୋପାଳପୁର, ଚିକିଟି ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ କେତେକ ସ୍ଥାନରେ ହିଂସାକାଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ରାଜନୈତିକ ଦଳ କର୍ମୀ ପରସ୍ପର ସହିତ ମୁହାଁମୁହିଁ ହୋଇଛନ୍ତି। ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଗୋପାଳପୁର ନିର୍ବାଚନମଣ୍ତଳୀର କୁଠାରସି˚ ଗ୍ରାମରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ନିର୍ଦ୍ଦ‌ିଷ୍ଟ ଗୋଟିଏ ଦଳକୁ ଭୋଟ ଦେବାକୁ ପ୍ରବର୍ତାଇବାରୁ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ତେବେ ଠିକଣା ସମୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ପହଞ୍ଚି ପରିସ୍ଥିତି ଆୟତ୍ତ କରିଥିଲେ।

ସେହିପରି ସନ୍ଧ୍ୟା ୬ଟାବେଳେ ଗୋପାଳପୁର ନିର୍ବାଚନମଣ୍ତଳୀର ପଞ୍ଚମାସ୍ଥିତ ୧୮୭ ଓ ୧୮୮ ବୁଥ୍‌ରେ ଭୋଟରଙ୍କ ଭିଡ଼ ଲାଗି ରହିଥିଲା। ସକାଳେ ଇଭିଏମ୍‌ ଅଚଳ ଯୋଗୁଁ କିଛି ସମୟରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ସନ୍ଧ୍ୟାରେ ଭୋଟରଙ୍କ ଲମ୍ବାଧାଡ଼ି ଲାଗି ରହିଥିଲା। ଏହି ସମୟରେ କିଛି କର୍ମୀ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବାକୁ କହିବାରୁ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରିକି ଦୁଇ ଗୋଷ୍ଠୀ ମାଡପିଟ ହୋଇଥିଲେ। ଏଥିରେ ୩ ଜଣ ଆହତ ହୋଇଥିଲେ। ଠିକଣା ସମୟରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠିଚାଳନା କରିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବ‌ା‌ବେଳେ ୧୦ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ତେବେ, ଥାନାରେ କୌଣସି ପକ୍ଷରୁ ଅଭିଯୋଗ ହୋଇନାହିଁ।

ଦିଗପହଣ୍ତି ନିର୍ବାଚନମଣ୍ତଳୀର କୁକୁଡାଖଣ୍ତିର ବୁଥ୍‌ ୯୨ରେ ବିଜେପି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବ˚ ବିଜେଡି କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ପାଟିତୁଣ୍ତ ହୋଇଥିଲା। ଉକ୍ତ ବୁଥ୍‌ରେ ଜଣେ ସରପଞ୍ଚ ରହି ନିର୍ଦ୍ଦି‌ଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହୁଥିଲେ। ଏହାକୁ ଭୃଗୁ ବିରୋଧ କରିବାରୁ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ସ୍ପର୍ଶକାତର ନିର୍ବାଚନମଣ୍ତଳୀ ଭାବେ ପରିଚିତ ଚିକିଟିରେ ପୁରୁଣା ମଇସାନପୁର ଓ ଝାଟିପଦର ବୁଥରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସମାନ୍ତରାୟଙ୍କୁ ଠେଲାପେଲା ହୋଇଥିବା କୁହାଯାଉଛି। ମାତ୍ର, ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

ଅନ୍ୟପକ୍ଷରେ ଚିକିଟ ଏନ୍‌ଏସିର ୬୫ ନମ୍ବର ବୁଥ୍‌ରେ ଉତ୍ତେଜନା ଓ ଗଣ୍ତଗୋଳ ଯୋଗୁଁ ଘଣ୍ଟାଏ ମତଦାନ ବନ୍ଦ ରହିଥିଲା। ଏସ୍‌ପିଙ୍କ ହସ୍ତକ୍ଷେପ ପରେ ପରସ୍ଥିତିରେ ସୁଧାର ଆସିଥିଲା। କେତେକ ବୁଥ୍‌ରେ ରିଗିଂ ପାଇଁ ଉଦ୍ୟମ ଚାଲିଥିବା ବେଳେ ପୁଲିସ ହସ୍ତକ୍ଷେପ ଫଳରେ ସ୍ଥିତିରେ ସୁଧାର ଆସିଥିଲା।

ଗଜପତି ଜିଲ୍ଲା ମୋହନା ବିଧାନସଭା ଆସନ ଅଧୀନ ନୂଆଗଡ଼ ବ୍ଲକ୍‌ରେ ମତଦାନ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଥିଲା। କେବଳ ତାବରଡ଼ା ପଞ୍ଚାୟତର ୧୪୧ ନ˚ ବୁଥ୍‌ରେ ବୁଥ୍‌ ରିଗିଂ ଅଭିଯୋଗକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏହି ବୁଥ୍‌ରେ ବିଜେଡ଼ି ଓ କ˚ଗ୍ରେସ କର୍ମୀଙ୍କ ମଧୢରେ ରିଗି˚କୁ ନେଇ ବଚସା ହୋଇଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ବିଶୃଙ୍ଖଳିତ କର୍ମୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ତଥାପି ଉତ୍ତେଜନା ନଥମିବାରୁ ଲାଠିଚାର୍ଜ କରିବାକୁ ବାଧୢ ହୋଇଥିଲା ପୁଲିସ। ତେବେ ଏଥିରେ କେହି ଆହତ ହୋଇ ନଥିବା ଜଣାପଡିଛି। ଏହି ବୁଥ୍‌ରେ ସମୁଦାୟ ୧୦୧୩ ଜଣ ମତଦାତା ଥିବାବେଳେ ୮୦୩ ଜଣ ମତଦାତା ମତସାବ୍ୟସ୍ତ କରିଛନ୍ତି। ନୂଆଗଡ଼ ବ୍ଲକ୍‌ରେ ସନ୍ଧ୍ୟା ୫ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଦୁର୍ଗମ ଅଞ୍ଚଳର ଆହୁରି କିଛି ବୁଥ୍‌ରୁ ବର୍ତମାନ ସୂଚନା ସଂଗ୍ରହ ହୋଇପାରିନି।

ଆଜି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା ବିଧାନସଭା ପାଇଁ ଭୋଟ ଗ୍ରହଣ ସମୟରେ ଦୁଇ ତିନିଟି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି। ପାରଳାଖେମୁଣ୍ଡି ପୈାରାଞ୍ଚଳ ୨୦୩ ଓ ୨୦୬ ବୁଥରେ ଭୋଟରଙ୍କୁ ପ୍ରଭାବିତ ପାଇଁ ଉଦ୍ୟମକୁ କେନ୍ଦ୍ରକରି ଦୁଇ ଦଳର ସମର୍ଥକଙ୍କ ମଧୢରେ ବଚସା ଓ ଠେଲାପେଲା ହୋଇଥିବା ଜଣାପଡ଼ିଛି। ଏଥିରେ କିଛି କର୍ମୀ ସାମାନ୍ୟ ଆହତ ହୋଇଥିବା କୁହାଯାଇଥିବାବେଳେ ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସେହିଭଳି ମୋହନା ବିଧାନସଭା ଅନ୍ତର୍ଗତ ପୂଷ୍ପାଗ ୧୪୧ ବୁଥରେ କ˚ଗ୍ରେସ ଓ ବିଜେଡ଼ିର ଦୁଇ ଗୋଷ୍ଠୀ ମଧୢରେ ସାମାନ୍ୟ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀକୁ ବୁଥ ନିକଟରୁ ଘଉଡ଼ାଇଦେଇଥିଲା ବୋଲି ଏସ୍‌ଡ଼ିପିଓ ଅଶୋକ ମହାନ୍ତି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର