ଭୁବନେଶ୍ୱର: ଅଳ୍ପ କିଛିଦିନର ବ୍ୟବଧାନ ପରେ ଦେଶବାସୀଙ୍କୁ ପୁଣି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଅସ୍ତବ୍ୟସ୍ତ କରି ପକାଇଛି। ପାଖାପାଖି ୩ ମାସର ବ୍ୟବଧାନ ପରେ ଦେଶରେ ଡିଜେଲ ମୂଲ୍ୟ ପୂର୍ବ ରେକର୍ଡକୁ ଭାଙ୍ଗି ବେଲଗାମ ହୋଇଛି। ଡିଜେଲ ଦର ଆଜି ଭୁବନେଶ୍ୱରରେ ଲିଟର ପିଛା ୭୪ ଟଙ୍କା ୩୦ ପଇସାରେ ପହଞ୍ଚି ଯାଇଛି। ପ୍ରତିଦିନ ତେଲ ଦର ବୃଦ୍ଧି ହେଉଥିବାରୁ ଏହା ସବୁ ଖାଉଟିଙ୍କ ନଜରକୁ ଆସୁ ନଥିଲେ ମଧ୍ୟ ସଚେତନ ଖାଉଟିମାନେ ଏହାକୁ ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି। ପୂର୍ବରୁ ତେଲ ଦର ଶେଷ ଥର ପାଇଁ ଭୁବନେଶ୍ୱରରେ ଗତ ମେ ମାସ ୨୯ ତାରିଖରେ ସର୍ବୋଚ୍ଚ ସ୍ତର ଛୁଇଁଥିଲା। ମେ ୨୯ରେ ଲିଟର ପିଛା ପେଟ୍ରୋଲ ଦର ୭୭ ଟଙ୍କା ୨୩ ପଇସା ଏବଂ ଡିଜେଲ ଦର ୭୪ ଟଙ୍କା ୩୦ ପଇସା ଛୁଇଁଥିଲା। ତେବେ ଏହା ପରଠାରୁ ପେଟ୍ରୋଲ ଏବଂ ଡିଜେଲ ଦର ନିମ୍ନମୁଖୀ ହୋଇଥିଲା। କିନ୍ତୁ ଏବେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଦୁର୍ବଳ ହେବା ପ୍ରଭାବରେ ଭାରତକୁ ଅଶୋଧିତ ତେଲ ଆମଦାନି ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାର ପ୍ରଭାବରେ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତମାସ ୨୫ ତାରିଖରେ ଭୁବନେଶ୍ୱରରେ ଡିଜେଲ ଦର ଲିଟର ପିଛା ୭୪ ଟଙ୍କା ୨୧ ପଇସା ରହିଥିବାବେଳେ ୨୬ ତାରିଖରେ ଏହା ମେ ମାସ ୨୯ ତାରିଖର ରେକର୍ଡ ଦର (୭୪ ଟଙ୍କା ୩୦ ପଇସା)କୁ ଅତିକ୍ରମ କରି ୭୪ ଟଙ୍କା ୩୬ ପଇସାରେ ପହଞ୍ଚି ଯାଇଥିଲା। ୨୬ ତାରିଖ ତୁଳନାରେ ୨୭ ତାରିଖରେ ଡିଜେଲ ଦର ଲିଟର ପିଛା ୧୫ ପଇସା ବୃଦ୍ଧି ଘଟି ୭୪ ଟଙ୍କା ୫୧ ପଇସାରେ ପହଞ୍ଚିଯାଇଛି। ତେବେ ପେଟ୍ରୋଲ ଦର ପୂର୍ବର ସର୍ବାଧିକ ଦର ୭୭ ଟଙ୍କା ୨୩ ପଇସାଠାରୁ ମାତ୍ର ୪୪ ପଇସା କମ୍ ରହିଛି। ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଦର ଲିଟର ପିଛା ୭୬ ଟଙ୍କା ୭୯ ପଇସାରେ ପହଞ୍ଚି ଯାଇଛି।
କେବଳ ଭୁବନେଶ୍ୱରରେ ନୁହେଁ, ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଡିଜେଲ ଦର ପୂର୍ବ ରେକର୍ଡକୁ ଅତିକ୍ରମ କରିଯାଇଛି। ସେହିଭଳି ପେଟ୍ରୋଲ ଦର ୭୮ ଟଙ୍କା ପାଖାପାଖି ହେବାକୁ ବସିଲାଣି। ପୂର୍ବରୁ ଗତ ମେ ୨୯ରେ ଦିଲ୍ଲୀରେ ଡିଜେଲ ଦର ଲିଟର ପିଛା ରେକର୍ଡ ୬୯ ଟଙ୍କା ୩୧ ପଇସା ଛୁଇଁଥିବା ବେଳେ ଆଜି ଏହା ସେହି ରେକର୍ଡକୁ ଭାଙ୍ଗି ୬୯ ଟଙ୍କା ୪୬ ପଇସାରେ ପହଞ୍ଚିଯାଇଛି। ପେଟ୍ରୋଲ ଦର ଦିଲ୍ଲୀରେ ଆଜି ଲିଟର ପିଛା ୭୭ ଟଙ୍କା ୯୧ ପଇସା ଛୁଇଁଛି। ତେବେ ଦିଲ୍ଲୀର ପେଟ୍ରୋଲ ଏବଂ ଡିଜେଲ ଦର ଦେଶର ଅନ୍ୟ ମେଟୋ ତୁଳନାରେ କମ୍ ରହିଛି।