ମାଲକାନଗିରି : ଦିନେ କି ଦୁଇ ଦିନ ନୁହଁ, ଦୀର୍ଘ ୧୦ବର୍ଷ ହେବ ଅସୁସ୍ଥ ପୁଅକୁ ଡାକ୍ତରଖାନା ନେଇନାହାନ୍ତି ଜଣେ ଆଦିବାସୀ ପରିବାର। ଅଜଣା ରୋଗରେ ପୀଡ଼ିତ ପୁଅକୁ ମୟୂର ପିଂଛରେ ଝାଡି ସୁସ୍ଥ କରିବା ପାଇଁ ଲାଗିଛନ୍ତି ମାଆ। ଦିନକୁ ୪ରୁ ୫ଥର ମୟୂର ପିଂଛରେ ମା’ ଝାଡୁଥିବା ବେଳେ ସଂଧ୍ୟା ହେଲେ ଗୁଣିଆ ଚିକିତ୍ସା କରୁଥିବା ଜଣା ପଡ଼ିଛି। ଉପାନ୍ତ ଅଂଚଳରୁ ପୁଣି ଥରେ ସାମ୍ନାକୁ ଆସିଛି ଅନ୍ଧବିଶ୍ୱାସର ଆଉ ଏକ ନଗ୍ନ ରୂପ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜାମ୍ବଗୁଡା ଗାଁରୁ ଆସିଛି ଏଭଳି କରୁଣ ଚିତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ପୁଅ ଭଲ ହେବା ଆଶାରେ ମୟୂର ପିଂଛା ମୁଠାରେ ଝାଡି ଦେଉଛି ମାଆ। ଜାମ୍ବଗୁଡ଼ା ଗାଁର ଇର୍ମା ପଡ଼ିଆମୀଙ୍କ ୨୨ବର୍ଷର ପୁଅ ଦେବା ପଡ଼ିଆମୀ ୧୦ବର୍ଷ ହେଲାଣି ପେଟ ଯନ୍ତ୍ରଣା ଭୋଗୁଛନ୍ତି। ହେଲେ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଉନାହାନ୍ତି ପରିବାର ଲୋକେ। ଅର୍ଥାଭାବ ସାଙ୍ଗକୁ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବର୍ଷ ବର୍ଷ ଧରି ପୁଅକୁ ଗୁଣିଆ ଭରସାରେ ଛାଡି ଦେଇଛନ୍ତି ଏହି ଆଦିବାସୀ ପରିବାର। ଦେବା ପେଟରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ମୟୂର ପିଂଛରେ ଝାଡିଦେଲେ ସେ ଆଶ୍ୱସ୍ଥି ଅନୁଭବ କରୁଥିବା କହନ୍ତି ତାଙ୍କ ମା’। ବିଜ୍ଞାନ ଯୁଗରେ ରୋଗର ଉପଶମ ପାଇଁ ଝଡାଫୁଙ୍କା କରିବା ହେଉଛି ସଚେତନତା ଅଭାବର ନଗ୍ନ ଚିତ୍ର।
ସୂଚନା ମୁତାବକ, ପିଲାଟି ଦିନରୁ ଏପରି ନଥିଲେ ଦେବା। ଗାଁର ଅନ୍ୟ ପିଲାଙ୍କ ଭଳି ସେ ଚେଡେଙ୍ଗା ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲେ। କିନ୍ତୁ ହଠାତ ପେଟ ଜଳାପୋଡା ହେବା ସହ ବାନ୍ତି ଏବଂ ଦୁର୍ବଳ ଅନୁଭବ କରିଥିଲେ ଦେବା ପଡିଆମୀ। ଆଉ ସେବେଠାରୁ ସେ ଶଯ୍ୟାଶାୟୀ। ତେବେ ଏପରି ଅବସ୍ଥାରେ ଥିବା ପୁଅକୁ ଡାକ୍ତରଖାନା ନେବା ବଦଳରେ ଗୁଣିଆ ଓ ଝଡ଼ାଫୁଙ୍କା ଭରସାରେ ଛାଡି ଦେଇଛନ୍ତି ପରିବାର ଲୋକେ। ଏନେଇ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଜାଣିବା ପରେ ଦେବାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯିବ ବୋଲି କହିଛନ୍ତି। ବିଜ୍ଞାନ ଯୁଗରେ ବି ଆଦିବାସୀ ଅଂଚଳରେ ବଳବତ୍ତର ରହିଛି ଅନ୍ଧବିଶ୍ୱାସ। ସରକାରୀସ୍ତରରେ ବ୍ୟାପକ ସଚେତନତା ହେଉଥିଲେ ହେଁ ଲୋକଙ୍କ ମନରୁ ଲିଭିନି ଝଡାଫୁଙ୍କା, ତନ୍ତ୍ରବିଦ୍ୟା ଭଳି ଅସତ୍ୟ ବିଶ୍ୱାସ।