ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ
ଯୋଗଦେବେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
ବିପିସିଏଲ୍ ନିବେଶ କରିଛି ୧୦୩ କୋଟି
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ୍) ପକ୍ଷରୁ ବଲାଙ୍ଗୀରଠାରେ ନିର୍ମାଣାଧୀନ ଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ର ଉଦ୍ଘାଟନ ଆସନ୍ତା ୨୭ ତାରିଖରେ ହେବ। ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଏହି ବଟଲିଂ ପ୍ଲାଣ୍ଟ୍କୁ ସମର୍ପିତ କରିବେ। ଖୋର୍ଦ୍ଧା ପରେ ବଲାଙ୍ଗୀରର ବରକାନିଠାରେ ନିର୍ମାଣ ହୋଇଥିବା ଏହି ବଟଲିଂ ପ୍ଲାଣ୍ଟ୍ ରାଜ୍ୟରେ ବିପିସିଏଲ୍ର ଦ୍ବିତୀୟ କାରଖାନା। ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଂଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବିପିସିଏଲ୍ ପକ୍ଷରୁ ଆଜି ଭୁବନେଶ୍ବରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ୨୦୧୮ ମେ ୨୧ ତାରିଖରେ ଏହି ପ୍ଲାଣ୍ଟ୍ର ଭିତ୍ତି ପ୍ରସ୍ତର କେନ୍ଦ୍ର ପେଟ୍ରୋଲୟିମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦ୍ବାରା ସ୍ଥାପନ ହୋଇଥିଲା। ରେକର୍ଡ ୧୯ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୨୩ ଏକରରୁ ଅଧିକ ପରିମିତ ଜମିରେ ସ୍ଥାପନ ହୋଇଥିବା ଏହି ଅତ୍ୟାଧୁନିକ ଏଲପିଜି ବଟଲିଂ ପ୍ଲାଣ୍ଟ୍ରେ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡରରେ ଗ୍ୟାସ ଭର୍ତ୍ତି ହେବ। ଦିନକୁ ୧୦ ହଜାର ସିଲିଣ୍ଡରରେ ଗ୍ୟାସ ଭରା ଯାଇ ପାରିବ। ଏହି ପ୍ଲାଣ୍ଟ୍ ନିର୍ମାଣ ପାଇଁ ୧୦୩ କୋଟି ଟଙ୍କା ନିବେଶ ହୋଇଛି। ପ୍ଲାଣ୍ଟ୍ ସ୍ଥାପନ ଦ୍ବାରା ୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବ। ଏଠାରୁ ୧୪ଟି ଜିଲ୍ଲାକୁ ଏଲ୍ପିଜି ଯୋଗାଣ ହେବ। ସେହି ଜିଲ୍ଲା ଗୁଡ଼ିକ ହେଲା ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଏବଂ ନୂଆପଡ଼ା। ସାମ୍ବାଦିକ ସମ୍ମିଳନୀରେ ବିପିସିଏଲ୍ର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଏଲ୍ପିଜି ମୁଖ୍ୟ ସଞ୍ଜୟ ଶର୍ମା, ଡିଜିଏମ୍-ଇଞ୍ଜିନିୟରିଂ (ଇ ଆଣ୍ଡ୍ ପି) ସୁବୁଦ୍ଧି କେଭିଆର, ଆଞ୍ଚଳିକ ଏଲପିଜି ପ୍ରବନ୍ଧକ (ଇଷ୍ଟ୍) ଅତୁଲ କୁମାର ଓ ଡିଜିଏମ୍ (ବ୍ରାଣ୍ଡ୍ ଓ ପିଆର) ଏସ ଏସ ସୁନ୍ଦରରାଜନ ଉପସ୍ଥିତ ଥିଲେ।