ଝାରପଡ଼ା ଜେଲ୍ରେ ଇ-ମୁଲାକାତ୍ ଆରମ୍ଭ : ଜେଲ୍ ପରିସରରେ ହ୍ୟାଣ୍ଡୱାସ୍ର ବ୍ୟବସ୍ଥା,ଏକାସଙ୍ଗରେ ୨ ଜଣଙ୍କୁ ଅନୁମତି, ସକାଳ ପ୍ରାର୍ଥନା ବନ୍ଦ
ଭୁବନେଶ୍ୱର : କରୋନା ଭାଇରସ୍ ମୁକାବିଲା ଲାଗି ସରକାରଙ୍କ ନିର୍ଦ୍ଦେଶ ପରେ ଆଜିଠୁ ଝାରପଡ଼ା ଜେଲ୍ରେ ଇ-ମୁଲାକାତ ଆରମ୍ଭ ହୋଇଛି। କଏଦୀଙ୍କ ସମ୍ପର୍କୀୟମାନେ ଆଜିଠାରୁ ଇଣ୍ଟରନେଟ୍ ଭିଡିଓ କନଫରେନ୍ସିଂ ଜରିଆରେ ମୁଲାକାତ୍ କରିଛନ୍ତି। ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି। ମିଳିଥିବା ଗୋଟିଏ କମ୍ପ୍ୟୁଟର୍ ଜେଲ୍ ମୁଲାକାତ୍ ରୁମ୍ ଭିତରେ ଓ ଅନ୍ୟଟି ବାହାର ମୁଲାକାତ୍ ପ୍ରକୋଷ୍ଠରେ ରଖାଯାଇଛି। ଭିଡିଓ କନଫରେନ୍ସ ଆପ୍ ‘ସ୍କାଏପି’ ଜରିଆରେ ଇ-ମୁଲାକାତ୍ ସେବା ଆରମ୍ଭ ହୋଇଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ ସକାଳେ ହେଉଥିବା ସମ୍ମିଳିତ ପ୍ରାର୍ଥନାକୁ ବନ୍ଦ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, କରୋନା ଭାଇରସ୍ ମୁକାବିଲା ଲାଗି ସରକାରଙ୍କ କଡ଼ା ନିର୍ଦ୍ଦେଶ ପରେ ଜେଲ୍ରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମୁଲାକାତ୍ ସମୟରେ ଅଧିକ ସ˚କ୍ରମଣର ଆଶଙ୍କା ଥିବାରୁ କଏଦୀଙ୍କ ସହ ସମ୍ପର୍କୀୟ ସିଧାସଳଖ ଝରକା ବାଟେ ଆଉ ମୁଲାକାତ୍ ନ କରି ଇ-ମୁଲାକାତ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର। ସେହି ନିର୍ଦ୍ଦେଶ ଅନୁସାରେ, ଆଜିଠୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ପ୍ରାୟ ୨୦ଜଣ ସମ୍ପର୍କୀୟ ଇ-ମୁଲାକାତ୍ ଜରିଆରେ କଏଦୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ଏକାଥରକେ ମୁଲାକାତ୍ ରୁମ୍କୁ ୨ଜଣଙ୍କୁ ଯିବାକୁ ଅନୁମତି ମିଳୁଛି। ପ୍ରଥମ ଦୁଇଜଣ ମୁଲାକାତ ସାରି ଯିବା ପରେ ଆଉ ଦୁଇଜଣ ଆସୁଛନ୍ତି। ଯେଉଁମାନେ ମୁଲାକାତ୍ ପାଇଁ ଆସୁଛନ୍ତି, ସେମାନଙ୍କ ଲାଗି ଜେଲ୍ ପରିସରରେ ଏକ ହ୍ୟାଣ୍ଡୱାସ୍ ପାଇଁ ବେସିନ୍ର ବ୍ୟବସ୍ଥା କରାଯାଇଛି। ହାତ ଧୋଇବା ପରେ ସେମାନେ ମୁଲାକାତ୍ ରୁମକୁ ଯାଉଛନ୍ତି। ମୁଲାକାତ୍ ସରିବା ପରେ ମଧ୍ୟ ହାତ ଧୋଇ ଜେଲ୍ ପରିସରରୁ ବାହାରିବା ପାଇଁ କଏଦୀଙ୍କ ସମ୍ପର୍କୀୟଙ୍କୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି। ସେହିପରି କଏଦୀ ସମ୍ପର୍କୀୟଙ୍କୁ ଭେଟି ସାରିବା ପରେ ହାତ ଧୋଇବା ପାଇଁ କୁହାଯାଇଛି। ଏହାସହ ହାତରେ ଲୁଣ ବୋଳି ହିଟର୍ ସାମ୍ନାରେ ଦେଖାଇଲେ, ଜୀବାଣୁ ନାଶ ହେବେ ବୋଲି ମଧ୍ୟ କଏଦୀଙ୍କୁ ପରାମର୍ଶ ଦିଆଯାଇଛି।
ପ୍ରାଥମିକ ପର୍ଯ୍ୟାୟରେ ଗୋଟିଏ କମ୍ପ୍ୟୁଟର୍ ବ୍ୟବସ୍ଥା କରାଯାଇଥିବା ବେଳେ ଯଦି ଆଗକୁ ଭିଡ଼ ହୁଏ, ଆହୁରି ଅଧିକ କମ୍ପ୍ୟୁଟର୍ ଲଗାଯାଇପାରେ। ପରବର୍ତ୍ତୀ ଆଦେଶନାମ ଲାଗୁ ହେବା ପର୍ଯ୍ୟନ୍ତ ଇ-ମୁଲାକାତ୍ ଜାରି ରହିବ। ସେହିପରି ଜେଲ୍କୁ ଆସୁଥିବା ନୂଆ କଏଦୀଙ୍କ ଭିତରୁ ଯଦି କେହି ଅସୁସ୍ଥ ଥାଆନ୍ତି, ତୁରନ୍ତ ହସ୍ପିଟାଲରେ ଭର୍ତି କରାଯିବ। ଜେଲ୍ ଭିତରେ ଥିବା କେହି କଏଦୀ ଯଦି ଥଣ୍ତା, କାଶ, ଜ୍ବରରେ ଆକ୍ରାନ୍ତ ହୁଅନ୍ତି, ତୁରନ୍ତ ହସ୍ପିଟାଲରେ ଭର୍ତି କରାଯିବ ବୋଲି ଝାରପଡ଼ା ଜେଲ୍ ଅଧୀକ୍ଷକ ଡି. ଏନ୍ ବାରିକ ସୂଚନା ଦେଇଛନ୍ତି। ସେହିପରି ଜେଲ୍ ରୋଷଶାଳା, ପରିସର ସ୍ବଚ୍ଛତାକୁ ଗୁରୁତ୍ବ ଦିଆଯାଇଛି।