୨୦୨୧ ସୁଦ୍ଧା ଅନେକ ରାଷ୍ଟ୍ରରେ କରୋନାର ଅନ୍ତ ଘଟିପାରେ : ଗେଟ୍ସ
ନୂଆଦିଲ୍ଲୀ: କରୋନା ମହାମାରୀ ଆସନ୍ତାବର୍ଷ ସୁଦ୍ଧା ଅନେକ ରାଷ୍ଟ୍ରରେ ଶେଷ ହୋଇପାରେ। ଖୁବ୍ ଶୀଘ୍ର କରୋନା ଭାଇରସ୍ ପାଇଁ ଟିକା ବାହାରିବ ଏବଂ ବିଶ୍ବରେ ଅନେକ ରାଷ୍ଟ୍ର କରୋନା ମହାମାରୀର ଅନ୍ତ ଦେଖିବେ ବୋଲି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଶା ପୋଷଣ କରିଛନ୍ତି। ଏକ ଆମେରିକୀୟ ପତ୍ରିକାକୁ ସାକ୍ଷାତକାର ଦେଇ ଗେଟ୍ସ କହିଛନ୍ତି, ମହାମାରୀ ପାଇଁ ଯେଉଁ ଆର୍ଥିକ ବିନାଶ ହୋଇଛି ତାକୁ ଫେରାଇ ଆଣିବା ଖୁବ୍ କଷ୍ଟକର ହେବ। କିନ୍ତୁ ମହାମାରୀ ରୋଗ ନିର୍ଣ୍ଣୟ, ନୂତନ ଚିକିତ୍ସା ଏବଂ ଟିକା ଅନୁସନ୍ଧାନ ଦିଗରେ ନୂଆ ଉଦ୍ଭାବନ ପାଇଁ ବାଟ ଫିଟାଇଦେଇଛି। ଗେଟ୍ସ କହିଛନ୍ତି, ଧନୀ ରାଷ୍ଟ୍ରମାନେ ୨୦୨୧ ଶେଷ ସୁଦ୍ଧା ମହାମାରୀକୁ ଶେଷ କରିବାରେ ସକ୍ଷମ ହେବେ ଏବଂ ଅନ୍ୟ ରାଷ୍ଟ୍ରମାନେ ୨୦୨୨ ସୁଦ୍ଧା ଭାଇରସ୍ ଶେଷ ହେବା ଦେଖିବେ।