ମହାପ୍ରଭୁଙ୍କ ଦଶମୂଳ ସେବାର ପରମ୍ପରା କାହିଁ କେଉଁ ଆବାହମାନ କାଳରୁ ଚାଲିଆସିଛି। ବୈଦ୍ୟରତ୍ନ ମାଗୁଣି ବ୍ରହ୍ମାଙ୍କ ପୂର୍ବଜମାନେ ମହାପ୍ରଭୁଙ୍କ ଏହି ଦୁଲ୍ଲଭ ସେବା କରି ଆସୁଥିଲେ। ପରେ ବୈଦ୍ୟରତ୍ନ ମାଗୁଣି ବ୍ରହ୍ମା ଏହି ସେବା ନିଷ୍ଠାର ସହ ତୁଲାଇଲେ। ବର୍ତ୍ତମାନ ବୈଦ୍ୟରତ୍ନ ସ୍ବର୍ଗତ ମାଗୁଣି ବ୍ରହ୍ମାଙ୍କ ଚାରିଅଂଶ ଏହି ସେବା ନିଷ୍ଠାର ସହ ବର୍ଷ ବର୍ଷ ଧରି କରି ଆସୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ନୀଳକଣ୍ଠ ମିଶ୍ର, ବିନାୟକ ମିଶ୍ରଙ୍କ ପୁଅ ସର୍ବେଶ୍ବର ମିଶ୍ର, କ୍ଷୀରୋଦ ମିଶ୍ର, ଦୁର୍ଗାପ୍ରସାଦ ମିଶ୍ର, ରୁଦ୍ରନନ୍ଦନ ମିଶ୍ର, ଦୁର୍ଗାନନ୍ଦନ ମିଶ୍ର, ନନ୍ଦନନ୍ଦନ ମିଶ୍ର ଓ ସେମାନଙ୍କ ପରିବାର ବୈଦ୍ୟ ସେବା କରି ଆସୁଛନ୍ତି। ଚାରିଅଂଶ ଭିତରେ ନୀଳକଣ୍ଠ ମିଶ୍ର ଓ ବିନାୟକ ମିଶ୍ରଙ୍କ ଏକ ଅଂଶ, କ୍ଷୀରୋଦ ମିଶ୍ର ଏକ ଅଂଶ, ଦୁର୍ଗାପ୍ରସାଦ ମିଶ୍ର ଏକ ଅଂଶ ଓ ରୁଦ୍ରନନ୍ଦନ ମିଶ୍ର ଏକ ଅଂଶର ସେବା କରୁଛନ୍ତି। ମହୌଷଧୀ ଦଶମୂଳ ସେବା ଓ ପୂଜାବିଧି ବି ସ୍ବତନ୍ତ୍ର। ଚାରି ଅଂଶରୁ ଦଶମୂଳ ପ୍ରସ୍ତୁତି ହୋଇ ୪ଟି ତାଳପେଡ଼ିରେ ଶ୍ରୀମନ୍ଦିର ନିଆଯାଇଥାଏ। ଗୋଟିଏ ପେଡ଼ିରେ ୫ଟି ଓଳି ରହିଥାଏ। ପ୍ରତି ଓଳିରେ ୫ଟି ଗୁଳା ମହୌଷଧୀ ରହିଥାଏ। ପ୍ରସ୍ତୁତି ପ୍ରଣାଳୀ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଚକାବିଜେ ନୀତି ପରେ ଶ୍ରୀମନ୍ଦିରକୁ ଏହି ଦଶମୂଳ(ମୋଦକ) ବିଜେ କରାଯାଇଥାଏ। ମହାପ୍ରଭୁଙ୍କ କବିରାଜମାନେ ସପରିବାର ଏହି ମହୌଷଧୀକୁ ମାସେ ଆଗରୁ ଶୁଦ୍ଧପୁତ ଭାବରେ ପ୍ରସ୍ତୁତ କରିଥାନ୍ତି। ଆୟୁର୍ବେଦ ପଦ୍ଧତି ଏବଂ ଶାସ୍ତ୍ରାନୁସରଣରେ ଏହି ମହୌଷଧୀ ପ୍ରସ୍ତୁତ ହୋଇଥାଏ। ଏକାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଦଶମୂଳ ଲାଗି କରିବାର ବିଧି ରହିଛି। ଔଷଧ ତିଆରି ପୂର୍ବରୁ ବୈଦ୍ୟମାନେ ଚେରମୂଳ ସଂଗ୍ରହରେ ମାସେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି।
ଶ୍ରୀମନ୍ଦିର ବୈଦ୍ୟ ମାନ୍ୟତାପ୍ରାପ୍ତ କବିରାଜ ସେବକମାନେ ପୁରୁଷାନୁକ୍ରମେ ପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତି ସେବାରେ ନିୟୋଜିତ ଅଛନ୍ତି। କବିରାଜମାନଙ୍କ କହିବା ମୁତାବକ, ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀଘିଅ, ମହୁ, ନବାତ, ଖୁଆ ସର ଆଦି ଉତ୍ପାଦ ସମ୍ମିଶ୍ରଣରେ ମହାପ୍ରଭୁଙ୍କ ପାଇଁ ଏହି ମହୌଷଧୀ ପ୍ରସ୍ତୁତ ହେଉଛି। ହବିଷାନ୍ନ ବ୍ରତ ପାଳନ ସହ ଭକ୍ତିପୁତ ଚିତ୍ତରେ ନିଷ୍ଠାର ସହ ଏହି ଔଷଧ ପ୍ରସ୍ତୁତ କରାଯାଉଛି। ମହାପ୍ରଭୁଙ୍କ ଏହି ମହୌଷଧୀରେ ୩ କିଲୋରୁ ଅଧିକ ଚେରମୂଳି ବ୍ୟବହୃତ ହେଉଛି। ଧନ୍ୱନ୍ତରୀ ଆୟୁର୍ବେଦ ଶାସ୍ତ୍ର ଆଧାରରେ ଏହି ମୋଦକ ପ୍ରସ୍ତୁତ ହୋଇ ଆସୁଛି। ପ୍ରଥମେ ଶାଳପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣିବଥୁ, ପଟଳି, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି ଆଦିକୁ ଶୁଖାଇ ଶୁଷ୍କ କରାଯାଇଥାଏ। ପରେ ଏହାର ଚୁର୍ଣ୍ଣ ପ୍ରସ୍ତୁତ କରି ଏଥିରେ ଦେଶୀଘିଅ, ଖୁଆ, ସର ଆଦି ମିଶ୍ରଣ କରାଯାଇଥାଏ। ପରେ ଓଳିରେ ରଖି ପେଡ଼ିରେ ଭର୍ତ୍ତି କରି ମହାପ୍ରଭୁଙ୍କ ଲାଗି ପାଇଁ ଶ୍ରୀମନ୍ଦିର ନିଆଯାଇଥାଏ।