କାବୁଲ୍ ବିମାନ ବନ୍ଦରକୁ ନ ଯିବା ପାଇଁ ଆମେରିକୀୟମାନଙ୍କୁ ସତର୍କ କରାଇଲା ଆମେରିକା ଦୂତାବାସ
ୱାସିଂଟନ୍: ଏବେ ‘ହମିଦ୍ କର୍ଜାଇ ଆନ୍ତର୍ଜାତିକ ବିମାନ ବନ୍ଦର’କୁ ନ ଯିବା ଲାଗି କାବୁଲ୍ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଆମେରିକୀୟ ନାଗରିକମାନଙ୍କୁ ପରାମର୍ଶ ଦେଇଥିବା କଥା ବିଳମ୍ବିତ ବୁଧବାରେ ଦୂତାବାସ ଜାରି କରିଥିବା ‘ସିକ୍ୟୁରିଟି ଆଲର୍ଟ’ରୁ ଜଣାପଡ଼ିଛି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଯେଉଁ ନାଗରିକମାନେ ସେ ବିମାନ ବନ୍ଦରର ‘ଆବି ଗେଟ୍’, ‘ଇଷ୍ଟ୍ ଗେଟ୍’ ଏବଂ ‘ନର୍ଥ ଗେଟ୍’ରେ ଅପେକ୍ଷା କରିଛନ୍ତି, ନିରାପତ୍ତା ଦୃଷ୍ଟିରୁ ସେମାନେ ତୁରନ୍ତ ଫେରି ଆସନ୍ତୁ।
ଦୂତାବାସ ୱେବ୍ସାଇଟ୍ରେ ପୋଷ୍ଟ୍ ହୋଇଥିବା ଏହି ସତର୍କ ସୂଚନା କାହିଁକି ଜାରି ହୋଇଛି, ସେ ସଂକ୍ରାନ୍ତରେ କୌଣସି କାରଣ ଦର୍ଶାଯାଇ ନାହିଁ। କେବଳ ସେଥିରେ ଉଲ୍ଲେଖ ଅଛି, ସମ୍ପ୍ରତି ‘ଆବି ଗେଟ୍’, ‘ଇଷ୍ଟ୍ ଗେଟ୍’, କିଂବା ‘ନର୍ଥ ଗେଟ୍’ରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକମାନେ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବା ଉଚିତ।
ଦୂତାବାସ ପୁଣି କହିଛି ଯେ, କାବୁଲ୍ ବିମାନ ବନ୍ଦର ଫାଟକ ବାହାରେ ନିରାପତ୍ତା ପ୍ରତି ବିପଦ ଥିବା କାରଣରୁ ବିମାନ ବନ୍ଦରକୁ ଯାତ୍ରା କରିବା ଲାଗି ଆମେ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକମାନଙ୍କୁ ପରାମର୍ଶ ଦେଉଛୁ। ଏହାଛଡ଼ା, ସେଠାକୁ ଯିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସରକାରୀ ପ୍ରତିନିଧିଙ୍କ ଠାରୁ ବ୍ୟକ୍ତିଗତ ଭାବେ ନିର୍ଦେଶ ନ ପାଇବା ପର୍ଯ୍ୟନ୍ତ ବିମାନ ବନ୍ଦରର ଫାଟକ ନିକଟକୁ ନ ଯିବାକୁ କହୁଛୁ।
ଆଫଗାନିସ୍ତାନ ତାଲିବାନ ଅକ୍ତିଆରକୁ ଆସିବା ପରେ ସେ ଦେଶ ଛାଡ଼ିବାକୁ ବ୍ୟାକୁଳ ହୋଇ ଅସୁମାରି ଜନତା ବିମାନ ବନ୍ଦର ଫାଟକଗୁଡ଼ିକରେ ଅସମ୍ଭବ ଗହଳି ଲଗାଇଛନ୍ତି। ଏଭଳି ପରିସ୍ଥିତିରେ ଜନସ୍ଥାନାନ୍ତରଣ ଅଭିଯାନ ଚାଲିଥିବାରୁ ସେଠାରେ ‘ଇସ୍ଲାମିକ୍ ଷ୍ଟେଟ୍’ ଆକ୍ରମଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ପୂର୍ବରୁ ସତର୍କ କରାଇ ଦେଇଛନ୍ତି।
ଆପଣା ଚତୁର୍ପାଶ୍ବର ପରିସ୍ଥିତି ଏବଂ ବିଶେଷକରି ବିପୁଳ ଜନଗହଳି ହେଉଥିବା ସ୍ଥାନଗୁଡ଼ିକରେ ସଦାସର୍ବଦା ହୁସିଆର୍ ରହିବା ଲାଗି ଆମେରିକୀୟମାନଙ୍କୁ ସତର୍କ କରାଇ ଦିଆଯାଇଛି।