ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ କେନ୍ଦ୍ରର ପରାମର୍ଶ: ତାମିଲନାଡୁ ମଡେଲ୍ ଅନୁକରଣ କର
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସଡ଼କ ପରିବହନ ରାଷ୍ଟ୍ର ମନ୍ତ୍ରୀ
ଏଡିଜିପି (ସଡ଼କ ସୁରକ୍ଷା) ପଦବି ସୃଷ୍ଟି ହେଉ
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ସାରା ଦେଶରେ ୨୦୧୯ରେ ପ୍ରତି ୧୦୦ଟି ସଡ଼କ ଦୁର୍ଘଟଣାରେ ୩୬.୬୫% ଲୋକ ମରିଥିବା ବେଳେ ଓଡ଼ିଶାରେ ୪୮.୦୨% ଲୋକ ମରିଛନ୍ତି। ୨୦୨୦ରେ ଜୁନ୍ ସୁଦ୍ଧା ଯେତିକି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା ୨୦୨୧ରେ ସେହି ସମୟରେ ଅଧିକ ୨୫% ମୃତ୍ୟୁ ହୋଇଛି। ଗୋଲଡେନ୍ ଆୱାରରେ ଲୋକଙ୍କୁ ଚିକିତ୍ସା ଯୋଗାଯାଇ ପାରୁନଥିବାରୁ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି।
ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟିର ବାରମ୍ବାର ତାଗିଦ୍ ଏବଂ କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ସତ୍ତ୍ବେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କମୁନଥିବାରୁ କେନ୍ଦ୍ର ସଡ଼କ ପରିବହନ, ଜାତୀୟ ରାଜପଥ ରାଷ୍ଟ୍ର ମନ୍ତ୍ରୀ ଜେନେରୋଲ ଭି.କେ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ସରକାର ଦୁର୍ଘଟଣା ଜନିତ ମୃତ୍ୟୁ କମାଇବାକୁ ତୁରନ୍ତ ତାମିଲନାଡୁ ମଡେଲ୍ ଅନୁକରଣ କରିବାକୁ ଶ୍ରୀ ସିଂହ ନବୀନଙ୍କୁ କହିଛନ୍ତି।
ଶ୍ରୀ ସିଂହ ଚିଠିରେ ଲେଖିଛନ୍ତି ଯେ ତାମିଲନାଡୁରେ ‘୪ଇ’ ଫର୍ମୁଲା ଯଥା ଶିକ୍ଷା, ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଏମରଜେନ୍ସି କେୟାର ଯୋଗୁଁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମିଛି। ଏପରିକି ଏହା ଯୋଗୁଁ ଗତ ୫ବର୍ଷରେ ତାମିଲନାଡ଼ୁରେ ୩୮% ଦୁର୍ଘଟଣା ଏବଂ ୫୪% ଦୁର୍ଘଟଣାଜନିତ ମୃତ୍ୟୁ କମିଛି।
ମୁଖ୍ୟତଃ ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କରିବା, ନିଶାଦ୍ରବ୍ୟ ସେବନ କରିବା, କମ୍ ଆଲୋକରେ ଗାଡ଼ି ଚଲାଇବା, ନାଲିବତୀ ସିଗନାଲ୍ ନମାନିବା, ଓଭରଟେକ୍ କରିବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଖରାପ ରାସ୍ତା, ବହୁ ତ୍ରୁଟି ଥିବା ଗାଡ଼ି ଚାଲିବା, ସାଇକେଲ ଚାଳକ ଓ ପଥଚାରୀଙ୍କ ଭୁଲ୍, ଖରାପ ପାଣିପାଗ, ସାଧାରଣ ଲୋକଙ୍କ ଅବହେଳା ଯୋଗୁଁ ଦୁର୍ଘଟଣା ହେଉଛି।
ତେଣୁ ସଡ଼କ ସୁରକ୍ଷା ନେଇ ବର୍ଷତମାମ୍ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ସଚେତନ କରିବା, ଜିଲ୍ଲା ସ୍ତରରେ ସଂସଦୀୟ ସଡ଼କ ସୁରକ୍ଷା କମିଟିର ବୈଠକ ନିୟମିତ ବ୍ୟବଧାନରେ କରିବା, ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ପରିଷଦର ନିୟମିତ ବୈଠକ କରିବା, ଗୋଟିଏ ଏଡିଜିପି (ସଡ଼କ ସୁରକ୍ଷା) ପଦବି ସୃଷ୍ଟି କରି ଉକ୍ତ ଅଧିକାରୀଙ୍କୁ ରାଜ୍ୟ ପୁଲିସର ନୋଡାଲ ଅଫିସର ଭାବେ ନିଯୁକ୍ତି ଦେବା ଏବଂ ସମସ୍ତ ଦୁର୍ଘଟଣା ତଥ୍ୟ, ଦୁର୍ଘଟଣା ଜନିତ ମୃତ୍ୟୁର କାରଣର ଡାଟାବେସ୍ ପ୍ରସ୍ତୁତ କରିବା, ଗୋଲଡେନ୍ ଆୱାରରେ ସମସ୍ତ ଚିକିତ୍ସା ଯୋଗାଇବା ପାଇଁ ଭିତ୍ତିଭୂମି ସୁଦୃଢ କରିବା, ସମସ୍ତ ବ୍ଲାକ୍ସ୍ପଟ୍ ଏବଂ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ରାସ୍ତାର ମରାମତି କରିବାକୁ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି।
ଏହାପରେ ରାଜ୍ୟରେ ଏହି ସବୁ ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ କୁହାଯାଇଛି।