ନୂଆଦିଲ୍ଲୀ: ନିହଙ୍ଗ ସମ୍ପ୍ରଦାୟ ମୁଖ୍ୟ ବାବା ଅମନ ସିଂହଙ୍କ ସହ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାରଙ୍କ ଉଦ୍ଦେଶ୍ୟମୂଳକ ଫଟୋକୁ ନେଇ ମଙ୍ଗଳବାର ବିବାଦ ସୃଷ୍ଟି ହୋଇଥିବା ବେଳେ ଶିଖ୍ ସମ୍ପ୍ରଦାୟର ଧାର୍ମିକ ନେତା କହିଛନ୍ତି ଯେ, କୃଷକଙ୍କ ଆନ୍ଦୋଳନ ସ୍ଥଳ ସିଂଘୁ ଛାଡ଼ିବା ପାଇଁ କେନ୍ଦ୍ର ତରଫରୁ ଟଙ୍କା ଯଚାଯାଇଥିଲା। ବିବାଦ ସୃଷ୍ଟି କରିଥିବା ଫଟୋରେ ଅଛନ୍ତି ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଚାକିରିରୁ ବରଖାସ୍ତ ହୋଇଥିବା ପଞ୍ଜାବର ପୁଲିସ ଅଫିସର ଗୁରମିତ ସିଂହ ପିଙ୍କି ଏବଂ ବିଜେପି ନେତା ହରବିନ୍ଦର ଗାରେୱାଲ। ଏହି ଫଟୋ ପ୍ରାୟ ଦୁଇମାସ ତଳେ ଏକ ବୈଠକରେ ଉଠାଯାଇଥିବା ଅନୁମାନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅମନ ସିଂହଙ୍କ ସମ୍ପ୍ରଦାୟର ଜଣେ ସଦସ୍ୟ ସିଂଘୁଠାରେ ଜଣେ ଦଳିତ ଶିଖ୍ଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ। ଘଟଣା ପରେ ଅମନ ସିଂହ ହତ୍ୟାକୁ ଯଥାର୍ଥ ବୋଲି କହିଥିଲେ। ‘କୃଷକଙ୍କ ଆନ୍ଦୋଳନ ସ୍ଥଳ ଛାଡ଼ିବା ପାଇଁ ମୋତେ ୧୦ ଲକ୍ଷ ଟଙ୍କା ଓ ମୋ ସଂଗଠନକୁ ୧ ଲକ୍ଷ ଟଙ୍କା ଯଚାଯାଇଥିଲା। କିନ୍ତୁ ଆମକୁ କିଣାଯାଇ ପାରିବ ନାହିଁ’ ବୋଲି ଅମନ ସିଂହ ମଙ୍ଗଳବାର କହିଥିଲେ। ସିଂଘୁରେ ରହିବୁ କି ନାହିଁ ସେ ବାବଦରେ ନିହଙ୍ଗ ସମ୍ପ୍ରଦାୟ ଅକ୍ଟୋବର ୨୭ରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। ତେବେ କୃଷିମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି ଉତ୍ତର ଦେଇ ନ ଥିଲେ। ଗୁରମିତ ସିଂହଙ୍କୁ ପଚାରିବାରୁ ସେ କହିଲେ ଯେ ନିହାଙ୍ଗ ମୁଖ୍ୟ କୃଷି ବିଲ୍ ବିଷୟରେ ଆଲୋଚନା କରିବାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଟଙ୍କା ଯାଚାଯାଇ ନଥିଲା ବୋଲି ସେ କହିଛନ୍ତି।