ପାହାଡ଼ିଆ ଜଙ୍ଗଲ ଭିତରେ ନିର୍ମାଣ ହୋଇଥିଲା ନୀଳକଣ୍ଠେଶ୍ଵର ମନ୍ଦିର, ୭୦ ବର୍ଷ ପରେ ଜଳିଲା ବିଜୁଲି ଆଲୁଅ
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ପିକ୍ନିକ୍ ସ୍ପଷ୍ଟ
ବୈପାରିଗୁଡା: ଦୀର୍ଘ ୭୦ ବର୍ଷ ପରେ ନୀଳକଣ୍ଠେଶ୍ଵର ପୀଠରେ ବିଜୁଳି ଆଲୁଅ ଜଳିଛି। ଯାହା ଭକ୍ତ ମାନଙ୍କ ମନରେ ଆନନ୍ଦ ଭରି ଦେଇଛି। ଯେଉଁ ମାନେ ଉଜାଗର ରହି ନାମ କୀର୍ତ୍ତନ କରୁଥିଲେ, ସେମାନଙ୍କ ପାଇଁ ଏହା ଆଶୀର୍ବାଦ ସଦୃଶ ହୋଇଛି ବୋଲି ଭକ୍ତ ମନେ ପ୍ରକାଶ କରିଛନ୍ତି। କାରଣ ନୀଳକଣ୍ଠେଶ୍ଵର ମନ୍ଦିର ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ ସନ୍ଧ୍ୟା ପରେ ଏହି ସ୍ଥାନଟି ଅନ୍ଧାରରେ ବୁଡି ରହିଥିଲା। ମନ୍ଦିର କମିଟି ଏବଂ ସ୍ବେଛାସେବୀଙ୍କ ଦ୍ଵାରା ସମସ୍ତେ ସାଧୁବାଦ ଜଣାଇଛନ୍ତି। ଏବେ ଚାଲିଛି ପିକନିକ୍ ଋତୁ। ପିଲାଠୁ ବୁଢ଼ା ଯାଏଁ ପିକନିକ୍ର ମଜା ଉଠାଇବା ପାଇଁ ବିଭିନ୍ନ ପିକନିକ୍ ସ୍ପଟକୁ ଯାଉଛନ୍ତି। ଶୀତ ଋତୁର ଆରମ୍ଭରେ ପିକନିକ୍ ମନାଇବାର ମଜା ନିଆରା।
Sambad is now on WhatsApp
Join and get latest news updates delivered to you via WhatsApp
କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ପିକନିକ୍ ସ୍ପଟ ରହିଛି। ସେଥିରୁ ବୈପାରିଗୁଡାର ନୀଳକଣ୍ଠେଶ୍ଵର ଅନ୍ୟତମ। ବୈପାରିଗୁଡାରୁ ମାତ୍ର ଅଢେଇ କିଲୋମିଟର ଦୂରରେ ଥିବା ବୀରଖମ୍ବ ପାହାଡ଼ର କୋଳରେ ଏହି ପିକନିକ୍ ସ୍ପଟ ରହିଛି। ଏହି ହ୍ରଦପାହାଡ଼ରେ ବୈପାରିଗୁଡା ବ୍ଲକର ଅଧିଷ୍ଠାତ୍ରୀ ଦେବୀ ବୀରଖମ୍ବଙ୍କର ଆସ୍ଥାନ ରହିଥିବା ବେଳେ ଆସ୍ଥାନ ଠାରୁ ସାମାନ୍ୟ ଦୂରରେ ରହିଛି ନୀଳକଣ୍ଠେଶ୍ଵର ମନ୍ଦିର। ଘଞ୍ଚ ଜଙ୍ଗଲ ଭିତରେ ଏକ ପ୍ରସସ୍ଥ ଜମିରେ ନୀଳକଣ୍ଠେଶ୍ଵର ମନ୍ଦିର ଅବସ୍ଥିତ। ଏହାର ଚାରିପାଖରେ ଶାଳ, ପିଆଶାଳ, ଅସନ, କେନ୍ଦୁ, ଅଁଳା, ବାହାଡ଼ା, ହରିଡ଼ା ଭଳି ବିଭିନ୍ନ ଜାତିର ଗଛ ପରିପୂର୍ଣ୍ଣ ହୋଇ ରହିଛି। ଏହାସହ ଛୋଟବଡ ପାହାଡୀ ଝରଣା ସବୁ ତଳକୁ ତଳକୁ ବହି ଯାଉଛି। ବିଭିନ୍ନ ଜାତିର ପକ୍ଷୀଙ୍କ କଳରବ ଲୋକଙ୍କୁ ବେଶ୍ ଆନନ୍ଦ ଦେଇଥାଏ। କିମ୍ବଦନ୍ତୀ କହେ, ପ୍ରଭୁ ରାମଚନ୍ଦ୍ର ଯେତେବେଳେ ଚଉଦ ବର୍ଷ ପାଇଁ ବନବାସ ଯାଇଥିଲେ, ସେତେବେଳେ ଏହି ପାହାଡ଼ରେ କିଛିଦିନ ପାଇଁ ବିଶ୍ରାମ ନେଇଥିଲେ। ଏହି ପାହାଡ଼ରେ ରହିଥିବା ଏକ ବିଶାଳ ପଥର ଉପରେ ଏକ ପାଦ ଚିହ୍ନ ରହିଛି, ଯାହା ପ୍ରଭୁ ରାମଚନ୍ଦ୍ରଙ୍କର ବୋଲି ବିଶ୍ୱାସ ରହିଛି।
ଶୀତ ଋତୁ ଆସିଲେ ଏଠାରେ ପିକନିକ୍ ମେଳା ଆରମ୍ଭ ହୋଇଯାଏ। ବିଶେଷ କରି ପବିତ୍ର କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନୀଳକଣ୍ଠେଶ୍ଵରଙ୍କର ପୂଜାର୍ଚ୍ଚନା କରିବା ସହ ଏଠାରେ ଭୋଜିଭାତ କରିଥାନ୍ତି। ଜଙ୍ଗଲର ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ଲୋକେ ପିକନିକ୍ ମନେଇବାର ଦୃଶ୍ୟ ଦେଖିବାକୁ ମିଳିଥାଏ। ଦିନ ଥିଲା ଏହି ପୀଠ ଚାରିପଟେ ଚନ୍ଦନ ଗଛର ଜଂଗଲ ରହିଥିଲା। ତେବେ କାଳକ୍ରମେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ଏହି ଚନ୍ଦନ ବନ ଉପରେ ପଡ଼ିବା ପରେ ଆଜି ସେଠାରେ ଗୋଟିଏ ବି ଚନ୍ଦନ ଗଛ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଭିତରେ ରହିଥିବା ବହୁମୂଲ୍ୟ ଗଛ ଗୁଡ଼ିକ ଧୀରେଧୀରେ ଉଭାନ ହେବାକୁ ବସିଲାଣି। ତଥାପି ନୀଳକଣ୍ଠେଶ୍ଵର ଏବେ ମଧ୍ୟ ନିଜର ଆକର୍ଷଣ ହରାଇ ନାହିଁ। ବୈପାରିଗୁଡା ସମେତ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ଏଠାକୁ ପିକନିକ୍ ପାଇଁ ଆସିଥାନ୍ତି। ସାମାନ୍ୟ ଦୂରରେ ଦେବୀ ବୀରଖମ୍ବଙ୍କର ଆସ୍ଥାନ ଥିବାରୁ ଲୋକେ ପିକନିକ୍ ମନେଇବା ସହ ବୀରଖମ୍ବଙ୍କର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି।