ଭୁବନେଶ୍ୱର : ‘ସମ୍ବାଦ’ ଶିିକ୍ଷାନୁଷ୍ଠାନ ସମୂହର ପ୍ରମୁଖ ଅଙ୍ଗ କେଏମ୍ବିବି ଇଞ୍ଜିନିୟରିଂ କଲେଜର ଶିକ୍ଷା ନିର୍ଦେଶକ ଓ ବିଶିଷ୍ଟ ଶିକ୍ଷାବିତ୍ ଡ. ଧନଦାକାନ୍ତ ମିଶ୍ର ହଂକଂ ବିଜ୍ଞାନ ଓ ପ୍ରଯକୁତି ବିଶ୍ୱବିଦ୍ୟାଳୟଠାରେ ଏକ ବର୍ଷ ପାଇଁ ଗବେଷଣା କରିବା ଲକ୍ଷ୍ୟରେ ବିଦେଶ ଯାତ୍ରା କରିଛନ୍ତି। ବିଶ୍ୱର ଉଚ୍ଚମାନ୍ୟତା ପ୍ରାପ୍ତ ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟରୁ ସିଭିଲ୍ ଇଞ୍ଜିନିୟରିଂରେ ପିଏଚ୍ଡି କରିଥିବା ଡ. ମିଶ୍ର କେଏମ୍ବିବି କଲେଜର ପ୍ରତିଷ୍ଠା ସମୟରୁ ଏହାର ନେତୃତ୍ୱ ନେଇ ଆସିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ଏକ ବର୍ଷ ଧରି ସେ କ୍ରିଷ୍ଟୋଫର୍ ଲିୟଙ୍ଗ୍ଙ୍କ ଅଧୀନରେ ‘ଗ୍ରିନ୍ ଇନ୍ଫ୍ରାଷ୍ଟ୍ରକ୍ଚର’ ବା ’ସବୁଜ ନିର୍ମାଣ ଭିତ୍ତିଭୂମି’ ଉପରେ ଗବେଷଣା କରିବେ। ପ୍ରଫେସର୍ ଲିୟଙ୍ଗ୍ ଆମେରିକାର ବିଖ୍ୟାତ ଏମ୍ଆଇଟି ବିଶ୍ୱବିଦ୍ୟାଳୟରେ ଡ. ମିଶ୍ରଙ୍କ ପିଏଚ୍ଡି ମାର୍ଗଦର୍ଶକ ଡ. ଭିକ୍ଟର ସିଲିଙ୍କ ତତ୍ତ୍ୱାବଧାନରେ ହିଁ ପିଏଚ୍ଡି ଗବେଷଣା କରିଥିଲେ। ହଂକଂ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ୧୯୯୧ ମସିହାରେ ପ୍ରତିଷ୍ଠିତ ହେଇଥିଲେ ମଧ୍ୟ ବର୍ତ୍ତମାନ ବିଶ୍ୱରେ କନିଷ୍ଠ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଦ୍ୱିତୀୟ ଓ ସବୁ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୩୦ତମ ସ୍ଥାନରେ ରହିଛି। ଏହାର ପରିକଳ୍ପନା, ନିର୍ମାଣ ଓ ପରିଚାଳନା ବିଷୟରେ ଅଭିଜ୍ଞତା ଓଡ଼ିଶାରେ ପ୍ରସ୍ତାବିତ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ସବୁର ବିକାଶରେ ସହାୟକ ହେବ। ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ଟାସ୍କ୍ଫୋର୍ସର ସଦସ୍ୟ ରହିଥିବା ଡ. ମିଶ୍ର ମଧ୍ୟ ଏ ଦିଗରେ ବିଶେଷ ଦୃଷ୍ଟି ଦେବେ ଓ ବହୁମୂଲ୍ୟ ଅଭିଜ୍ଞତା ହାସଲ କରିବେ। ‘ସମ୍ବାଦ’ ଶିକ୍ଷାନୁଷ୍ଠାନ ପରିବାର, ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତରଫରୁ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଡ. ମିଶ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।