ସୁନକଙ୍କ ଛକା: ଋଷି ହେଲେ ରାଜା
ବିକଳ୍ପ ବିଶ୍ବ - ଭଗବାନପ୍ରକାଶ
ପ୍ରସିଦ୍ଧ ସଂସ୍କୃତ ନାଟକକାର ପଣ୍ଡିତ ଭଟ୍ଟନାରାୟନ ତାଙ୍କର ନାଟକ ବେଣୀସଂହାରରେ ମହାଭାରତର ମହାବୀର କର୍ଣ୍ଣଙ୍କର ଜାତିଭେଦ ସଂପର୍କରେ ଏକ ଉକ୍ତି ଉଦ୍ଧାର କରି ଲେଖିଛନ୍ତି- ‘‘ଦୈବାୟତ୍ତମ୍ କୂଳେ ଜନ୍ମ- ମଦାୟତ୍ତମ୍ ଚ ପୌରୁଷମ୍’’। ଅର୍ଥାତ୍ କେଉଁ ଜାତି, କୂଳ, ସ୍ଥାନରେ ଜନ୍ମ ହେବ- ତାହା ଦଇବର ହାତରେ- କିନ୍ତୁ ପୁରୁଷକାର ମୋର ଅଧୀନ ଓ ମୋ ନିଜ ହାତରେ। ମୋ ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକୁ ମୁଁ ନିଜେ ବିକଶିତ କରିପାରିବି। ତାଙ୍କୁ ଯେଉଁମାନେ ସୂତପୁତ୍ର କହି ତାଚ୍ଛଲ୍ୟ କରୁଥିଲେ, ସେମାନଙ୍କ ପ୍ରତି ଏହା ଥିଲା କର୍ଣ୍ଣଙ୍କର ଉତ୍ତର। ଭାରତ ବଂଶଜ, ଶ୍ୟାମଳ ବର୍ଣ୍ଣ ଋଷି ସୁନକ ଯେତେବେଳେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଲେ ଅନେକ ଗୋରା ଇଂରେଜ ଏହାକୁ ସହଜରେ ହଜମ କରିପାରିନଥିଲେ। ଯେଉଁ ଦେଶକୁ ଆମେ ଦୁଇ ଶହ ବର୍ଷ ଧରି ଶାସନ କରୁଥିଲୁ, ସେ ଦେଶର ଗୋଟେ ୪୧ ବର୍ଷର ଟୋକା ଆଜି ଆମର ପ୍ରଧାନମନ୍ତ୍ରୀ ହେଇ ଆମକୁ ଶାସନ କରିବ କେମିତି? କିନ୍ତୁ ଏହା ଏକ ଅଦୃଷ୍ଟ ବିଧିର ବିଧାନ। ପୁରୁଷକାରର ବିଜୟ, ବୋଧହୁଏ ଇଂଲଣ୍ଡର ଭାଗ୍ୟଲିପି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାଚୀନ ଗ୍ରୀକ୍ମାନେ ଇଂରେଜୀ ଶବ୍ଦ ‘ଲକ୍’କୁ କହୁଥିଲେ ‘ଡେଷ୍ଟିନି’ ବା ଭବିତବ୍ୟ ନିୟତି, ଲଲାଟ ଲିଖନ, ପ୍ରାରବ୍ଧ କର୍ମର ଫଳ। ସେହି କାରଣରୁ ଆଜି ବ୍ରିଟିସ ରାଜକୁମାର ହାରି ଓ ଉଇଲିୟମଙ୍କ ଧମନୀରେ ବହୁଚି ଭାରତ ବଂଶଜଙ୍କର ରକ୍ତ ଓ ଜିନ୍। କାରଣ ସେମାନଙ୍କର ଗୋସେଇଁ ମା ଏଲିଜା କେୱର୍କ ନିଜେ ଥିଲେ ଅଧା ଭାରତୀୟ ଓ ଅଧା ଆର୍ମେନିଆନ୍। ଭାରତରେ ଥିଲାବେଳେ ପ୍ରେମରେ ପଡ଼ିଥିଲେ। ଏହି ପ୍ରକ୍ରିୟାରେ ଆଫ୍ରିକା କ୍ରୀତଦାସ ବଂଶଜ ବାରାକ୍ ହୁସେନ ଓବାମା, ୨୦୦୯ ମସିହାରେ ଆମେରିକାର ୪୪ତମ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ସାରା ପୃଥିବୀକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ। ବହୁବର୍ଷ ଧରି ଭାରତକୁ ଶାସନ କରୁଥିଲା ବିଦେଶୀ ବ୍ରିଟିସ ଇଷ୍ଟ ଇଣ୍ଡିଆ କମ୍ପାନି। ଆଜି ପଶା ପାଲି ଓଲଟି ଯାଇଛି। ଏବେ ଆଲ୍ଫାବେଟ୍, ଫେଡେକ୍ସ, ଆଇବିଏମ୍, ମାଇକ୍ରୋସଫ୍ଟ ଭଳି ଶତାଧିକ ବିଶ୍ବ ବିଖ୍ୟାତ କମ୍ପାନିର ମୁଖ୍ୟ ଭାବରେ ରହିଛନ୍ତି ଭାରତ ବଂଶଜ। ପ୍ରାରବ୍ଧ ଓ ପୌରୁଷର ପରିଣାମ।
ଋଷି ସୁନକଙ୍କ ପରିବାର ଅଙ୍କା ବଙ୍କା ରାସ୍ତା ଦେଇ ପହଞ୍ଚିଥିଲେ ଇଂଲଣ୍ଡରେ। ତାଙ୍କ ପିତା ଯଶବୀର ସୁନକ ଥିଲେ ପଞ୍ଜାବୀ। ଦେଶ ବିଭାଜନ ଓ ତଜ୍ଜନିତା ସାଂପ୍ରଦାୟିକ ଦଙ୍ଗା ପରେ ଚାଲି ଯାଇଥିଲେ ପୂର୍ବ ଆଫ୍ରିକା। ଯଶବୀର ସୁନକ ତାଞ୍ଜାନିଆରେ ଜନ୍ମଗ୍ରହଣ କରିଥିବା ପ୍ରବାସୀ ଭାରତୀୟ ଉଷାଙ୍କୁ ବିବାହ କରିଥିଲେ। ଯଶବୀର ଥିଲେ ଡାକ୍ତର ଓ ଉଷା ଫାର୍ମାସିଷ୍ଟ। ଆଫ୍ରିକାର କେତେକ ଦେଶରେ ପ୍ରତିକୂଳ ପରିସ୍ଥିତି ଉପୁଜିବାରୁ ସୁନକ ଓ ଅନେକ ଭାରତୀୟ ପରିବାର ଇଂଲଣ୍ଡ ଚାଲିଯାଇଥିଲେ। ମେ ମାସ ୧୨ ତାରିଖ ୧୯୮୦ ମସିହାରେ ଇଂଲଣ୍ଡର ସାଉଥ୍ହାମ୍ପଟନ ସହରରେ ଋଷି ସୁନକଙ୍କର ଜନ୍ମ। ଅଗଷ୍ଟ ୨୦୦୯ରେ ଇନ୍ଫୋସିସ୍ ମାଲିକ ନାରାୟଣ ମୂର୍ତ୍ତି ଓ ସୁଧା ମୂର୍ତ୍ତିଙ୍କ କନ୍ୟା ଅକ୍ଷତା ମୂର୍ତ୍ତିଙ୍କ ସହ ବିବାହ। ଏହା ପୂର୍ବରୁ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କଲେଜରୁ ରାଜନୀତି, ଦର୍ଶନ ଶାସ୍ତ୍ର ଓ ଅର୍ଥନୀତିରେ ଡିଗ୍ରୀ ହାସଲ କରିସାରିଥିଲେ। ପ୍ରଖ୍ୟାତ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟରୁ ଏମ୍ବିଏ (୨୦୦୧)।
ଏତେ ପରିବର୍ତ୍ତନ, ସ୍ଥାନାନ୍ତର ଓ ପ୍ରଭାବ ସତ୍ତ୍ବେ ଋଷି ତାଙ୍କ ଧର୍ମ ପରିବର୍ତ୍ତନ କରିନାହାନ୍ତି। ସେ ନିଜକୁ ହିନ୍ଦୁ ପରିଚୟ ଦେଇ ମନ୍ଦିର ଓ ଧର୍ମାନୁଷ୍ଠାନରେ ଯୋଗ ଦେବାରେ ସଙ୍କୋଚ କରନ୍ତି ନାହିଁ। ୨୦୧୫ ମସିହାରେ ପ୍ରଥମ ଥର ପାଇଁ ଏମ୍ପି ଭାବରେ ନିର୍ବାଚିତ ହେଲା ପରେ ସେ ଭଗବତ୍ ଗୀତା ଛୁଇଁ ବ୍ରିଟିସ ପାର୍ଲାମେଣ୍ଟରେ ଶପଥ ଗ୍ରହଣ କରିଥିଲେ। ଏହାପରେ ସେ ହୋଇଥିଲେ ଇଂଲଣ୍ଡର ଜଣେ ଅତି ସଫଳ ବିତ୍ତମନ୍ତ୍ରୀ। ଗତ ଅକ୍ଟୋବର ୨୫ରେ ମହାରାଜା ଚାର୍ଲସ୍-୩, ତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି। ସେ ହେବେ ଇଂଲଣ୍ଡର ପ୍ରଥମ ଏସିଆନ୍ ପ୍ରଧାନମନ୍ତ୍ରୀ, ପ୍ରଥମ ଅଣଖ୍ରୀଷ୍ଟିଆନ ପ୍ରଧାନମନ୍ତ୍ରୀ, ଗତ ୨୦୦ ବର୍ଷ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ଭାରତ ବଂଶଜ ପ୍ରଧାନମନ୍ତ୍ରୀ। ତାଙ୍କ ଆଗମନକୁ ପ୍ରତୀକ୍ଷା କରିଚି ନମ୍ବର-୧୦, ଡାଉନିଙ୍ଗ୍ ସଡ଼କ, ଲଣ୍ଡନ। ୧୭୩୫ ମସିହାରୁ ଏହା ବ୍ରିଟିସ ପ୍ରଧାନମନ୍ତ୍ରୀଙ୍କ କର୍ମକ୍ଷେତ୍ର। ଲଙ୍କାରେ ହରି ଶବ୍ଦ ଭଳି ଡାଉନିଙ୍ଗ୍ ସଡ଼କରେ ରହିବେ ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ। ଏହା ଇଂଲଣ୍ଡ ରାଜନୀତିରେ ଏକ ନୂଆ ଅଧ୍ୟାୟ ଏବଂ ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ତଥା ପବିତ୍ର ଦୀପାବଳି ଅବସରରେ ଐତିହାସିକ ଉପହାର। ଏକଦା ଚର୍ଚ୍ଚିଲ କହୁଥିଲେ ଭାରତୀୟମାନେ ଦେଶ ଶାସନ ପାଇଁ ଅଯୋଗ୍ୟ। ସହୃଦୟ ସୁନକ ଭାରତୀମାନଙ୍କୁ ତାଙ୍କ ଭାଷାରେ ଅଭିନନ୍ଦନ ଜଣାଇ କହିଛନ୍ତି- ନମସ୍ତେ, ସଲାମ୍, କେମ୍ଛୋ, ଆପ୍ ସବ୍ ମେରେ ପରିବାର ହୋ।
ଏହି ଯୁଗାନ୍ତକାରୀ ଘଟଣା ଇଂଲଣ୍ଡକୁ ଏକ ପରିପକ୍ବ ଗଣତନ୍ତ୍ରର ପରିଚୟ ଦିଏ। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ସଂପ୍ରଦାୟ ଭାବନାରୁଊର୍ଦ୍ଧ୍ବକୁ ଉଠି ବହୁ ସଂଖ୍ୟାରେ ସାଂସଦ ଓ ଦଳୀୟ ନେତାମାନେ ସୁନକଙ୍କୁ ତାଙ୍କ ଯୋଗ୍ୟତା ଓ ଦକ୍ଷତା ଆଧାରରେ ଭୋଟ ଦେଲେ ଏବଂ ତାଙ୍କର ଉଭୟ ଶ୍ବେତକାୟ ପ୍ରତିଦ୍ବନ୍ଦ୍ବୀଙ୍କୁ ଧରାଶାୟୀ କଲେ। ଏହିପରି ଆଉ ଜଣେ ଅଶ୍ବେତ ଭାରତୀୟ ବଂଶଜ କମଳା ହାରିସ୍ ଆଜି ଆମେରିକାରେ ଉପରାଷ୍ଟ୍ରପତି। କାଲି ବିଶ୍ବ ମହାଶକ୍ତି, ଶ୍ବେତକାୟ ବହୁଳ ଯୁକ୍ତରାଷ୍ଟ୍ର ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ହୋଇପାରନ୍ତି। ଧର୍ମନିରେପକ୍ଷ ଗଣତାନ୍ତ୍ରିକ ଦେଶମାନଙ୍କରେ ଏପରି ସମ୍ଭାବନା ଅଧିକ। ଭାରତରେ ଅଳ୍ପ ସଂଖ୍ୟକଙ୍କ ପ୍ରତିନିଧିମାନେ ଦେଶର ପ୍ରଧାନମନ୍ତ୍ରୀ (ମନମୋହନ ସିଂ), ରାଷ୍ଟ୍ରପତି (ଚାରିଥର), ଉପରାଷ୍ଟ୍ରପତି ହୋଇ ସାରିଲେଣି। ଏକଦା, ଏକ ସମୟରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଭୟ ଥିଲେ ସଂଖ୍ୟାଲଘୁ।
ଏହାଦ୍ବାରା ଗଣତାନ୍ତ୍ରିକ ବିଶ୍ବରେ ଭାରତ ପ୍ରତି ସମ୍ମାନ ଓ ଆମ ସମ୍ବିଧାନ ପ୍ରତି ସବୁ ସଂପ୍ରଦାୟର ଆସ୍ଥା ଓ ବିଶ୍ବାସ ବଢ଼ିଥିଲା। ଅପରପକ୍ଷେ, ପଡ଼ୋଶୀ ପାକିସ୍ତାନ ସମ୍ବିଧାନ ଅନୁସାରେ କେବଳ ମୁସଲିମଙ୍କ ଛଡ଼ା, ଅନ୍ୟ କୌଣସି ସଂଖ୍ୟାଲଘୁ ସେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ମାଳଦ୍ବୀପ, ଆଫଗାନିସ୍ତାନ, ଇଣ୍ଡୋନେସିଆ ଭଳି ଅନେକ ମୁସଲିମ୍ ବହୁଳ ଦେଶରେ ଯାହାର ପିତାମାତା ମୁସଲିମ୍ ନୁହନ୍ତି, ଯେ ସର୍ବଶକ୍ତିମାନ ଆଲ୍ଲାଙ୍କୁ ମାନନ୍ତି ନାହିଁ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବା ପାଇଁ ଅଯୋଗ୍ୟ। ଏହାଛଡ଼ା ଚାଇନା ଭଳି ଅନେକ ଦେଶ ଅଛନ୍ତି ଯେଉଁଠି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ତ ଦୂରର କଥା, ସାଧାରଣ ନାଗରିକ ହେବା କାଠିକାର ପାଠ।
ଇଂଲଣ୍ଡକୁ କୁହାଯାଏ ଗଣତନ୍ତ୍ରର ମାତୃଭୂମି। ଏହାର ପାର୍ଲାମେଣ୍ଟରେ ଦୁଇଟି ମୁଖ୍ୟ ଦଳ- କଞ୍ଜରଭେଟିଭ୍ ପାର୍ଟି ଓ ଲେବର୍ ପାର୍ଟି। ଲେବର୍ ପାର୍ଟି ଅମଳରେ ଭାରତକୁ ମିଳିଥିଲା ସ୍ବାଧୀନତା। କଞ୍ଜରଭେଟିଭ୍ ପାର୍ଟି ଭାରତ ସ୍ବାଧୀନତାକୁ ବିରୋଧ କରୁଥିଲା। ଆଜି ସେମାନେ ଏଥିପାଇଁ ଅନୁତପ୍ତ। ଆଜି ସେଇ ଭାରତ ଇଂଲଣ୍ଡକୁ ପଛରେ ପକାଇ ବିଶ୍ବର ପଞ୍ଚମ ଅର୍ଥନୈତିକ ମହାଶକ୍ତି ଏବଂ ବିଶ୍ବର ବୃହତ୍ତମ ଗଣତନ୍ତ୍ର। ଭାରତ ବଂଶଜ ଋଷି ସୁନକ ଯେଉଁ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେଇ ଦେଶ ଏବେ ଭୀଷଣ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ନିରାପତ୍ତା ଏବେ ସଙ୍କଟାପନ୍ନ। ଏହି କାରଣରୁ ସୁନକଙ୍କୁ ହରାଇ ପ୍ରଧାନମନ୍ତ୍ରୀ ହୋଇଥିବା ଶ୍ରୀମତୀ ଲିଜ୍ ଟ୍ରସ ଦେଢ଼ମାସ କ୍ଷମତାରେ ରହିପାରିଲେ ନାହିଁ ଓ ଇସ୍ତଫା ଦେଇ ଦେଲେ। କହିଲେ- ମୁଁ ଅବସ୍ଥା ସମ୍ଭାଳି ପାରିବି ନାହିଁ। ଏବେ ସେ ନୂଆ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୁଭକାମନା ଜଣାଇଛନ୍ତି। ଏକ ସଫଳ, ଦକ୍ଷ ବିତ୍ତମନ୍ତ୍ରୀ ଭାବରେ ସୁନକଙ୍କର ସୁନାମ ରହିଚି। ତେଣୁ ସେ ଅର୍ଥନୈତିକ ସଙ୍କଟରୁ ଦେଶକୁ ରକ୍ଷା କରିପାରିବେ ବୋଲି ଜନତା ଆଶାବାଦୀ। ତାଙ୍କ ବିରୋଧୀମାନେ କହୁଛନ୍ତି- ସୁନକ ପାରିବେ ନାହିଁ। ଆଉ ଥରେ ସାଧାରଣ ନିର୍ବାଚନ କରାଯାଉ। ତାହା ହେଲେ ଦେଶର ୬୫୦ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ କରିବାକୁ ପଡ଼ିବ। ଗତ ଛଅ ବର୍ଷ ଭିତରେ କଞ୍ଜରଭେଟିଭ୍ ପାର୍ଟିରେ ୫ ଥର ନେତା ପରିବର୍ତ୍ତନ ହେଲାଣି।
ତେଣୁ ସୁନକଙ୍କୁ ଅନେକ କଠିନ ଓ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ତାଙ୍କୁ ନେଇ ଅନେକ ଉତ୍ସାହ ସୃଷ୍ଟି ହୋଇଛି। ଭାରତ ପ୍ରଧାନମନ୍ତ୍ରୀଙ୍କ ଆଶା ସେ ଭାରତ ବଂଶଜଙ୍କ ପାଇଁ ‘ଏ ଲିଭିଙ୍ଗ ବ୍ରିଜ୍’ ବା ଜୀବନ୍ତ ସେତୁ ଭାବରେ କାମ କରିବେ। ତାଙ୍କ ପୂର୍ବପୁରୁଷ ପାକିସ୍ତାନର ଗୁଜରାନ୍ବାଲା ସହରରୁ ଆସିଥିବାରୁ ଅନେକ ପାକିସ୍ତାନୀ ବି ଖୁସି ଅଛନ୍ତି। ସେହିପରି ତାଙ୍କ ପରିବାର ଆଫ୍ରିକାରୁ ଇଂଲଣ୍ଡ ଯାଇ ବସବାସ କରିଥିବାରୁ ଆଫ୍ରିକା ସହ ତାଙ୍କର ଭଲ ସଂପର୍କ ରହିବ ବୋଲି ଆଶା କରୁଛନ୍ତି ଏବଂ ସେ ଆଫ୍ରିକା ପାଇଁ ଦ୍ବିତୀୟ ବାରାକ୍ ଓବାମା ହେବେ ବୋଲି ଆଶା କରୁଛନ୍ତି। ଇଂଲଣ୍ଡରେ ଥିବା ଓଡ଼ିଆ ସମାଜ, ଲଣ୍ଡନରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନିଜକୁ ହିନ୍ଦୁ ବୋଲି ଧାର୍ମିକ ପରିଚୟ ଦେଉଥିବା ଋଷି ସୁନକଙ୍କ ଉପରେ ଭରସା ରଖିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ୧୦- ଡାଉନିଙ୍ଗ୍ ପାହାଚ ଉପରେ ଠିଆ ହୋଇ ଋଷି ଦେଶବାସୀଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଯେ ସେ ଦେଶର ଏକତା ଓ ସମୃଦ୍ଧି ପାଇଁ ଦିନ ରାତି ଏକ କରି କାମ କରିବେ। ତାଙ୍କୁ ଆମର ଶୁଭେଚ୍ଛା, ଗୁଡ୍ଲକ୍। ଆଶା ସେ ଇଂଲଣ୍ଡର ଅନ୍ୟ ନାମ ଗ୍ରେଟ୍ ବ୍ରିଟେନ୍ର ‘ଗ୍ରେଟ୍ନେସ୍’ ଫେରାଇ ଆଣିବେ। ଭାରତ ମାତା ଗର୍ବ ଅନୁଭବ କରିବ।
ମୋ: ୯୯୩୭୦୨୭୦୧୭